ଏଣିକି ଯୁକ୍ତ୩ରେ ପଢାଯିବ ବିପର୍ଯ୍ୟୟ ପରିଚାଳନା ବିଷୟ

- ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ଭୁବନେଶ୍ୱର : ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଦ୍ୱାରା ଶୁକ୍ରବାର ଅନୁଷ୍ଠିତ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଣିକି ଯୁକ୍ତ୩ ପ୍ରଥମ ବର୍ଷ ଅଧ୍ୟୟନରେ ବାଧ୍ୟତାମୂଳକ ରହିବ ବିପର୍ଯ୍ୟୟ ପରିଚାଳନା କୋର୍ସ । ବିପର୍ଯ୍ୟୟ, ମହାମାରୀ ପରିଚାଳନା ଓ ସର୍ଭାଇଭାଲ ସ୍କିଲ ପଢାଯିବ । ସମସ୍ତ କଳା, ବାଣିଜ୍ୟ ଏବଂ ବିଜ୍ଞାନ ୩ଟି ଯାକ ଫର୍ମାଟର ଛାତ୍ରଛାତ୍ରୀଙ୍କ ପାଇଁ ଏହି ବିଷୟ ବାଧ୍ୟତାମୂଳକ ରହିବ । ଏହି ବିଷୟ ମୋଟ ୧୦୦ ମାର୍କର ରହିବ । ଏ ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି
ସୂଚନା ଯେ, ଓଡିଶା ହେଉଛି ଏକ ଉପକୂଳବର୍ତ୍ତୀ ରାଜ୍ୟ । ପ୍ରାୟତଃ ପ୍ରତି ବର୍ଷ ବାତ୍ୟା, ବନ୍ୟା ମରୁଡି ଭଳି ପ୍ରାକୃତିକ ଦୁର୍ବିପାକ ଆସିଥାଏ । ଏହାକୁ ମୁକାବିଲା କରିବା ପ୍ରଶାସନ ପାଇଁ ବେଶ ଚ୍ୟାଲେଞ୍ଜିଂ ହୋଇଥାଏ । ତେଣୁ ଛାତ୍ରଛାତ୍ରୀମାନଙ୍କୁ ଏ ନେଇ ସ୍ୱତନ୍ତ୍ର ତାଲିମ ଦିଆଯିବ । ଏହା ସହିତ ବିପର୍ଯ୍ୟୟକୁ କିଭଳି ଭାବେ ମୁକାବିଲା କରିହେବ ତାହା ଏହି ବିପର୍ଯ୍ୟୟ ପରିଚାଳନା କୋର୍ସରେ ସାମିଲ କରାଯିବ ।