ମଧୁମେହର ମହୌଷଧି ତେଜପତ୍ର
ବର୍ତମାନର ପରିବର୍ତିତ ଜୀବନଶୈଳୀ ଆମ ସ୍ୱାସ୍ଥ୍ୟ ଉପରେ ବିଶେଷ ପ୍ରଭାବ ପକାଉଛି । ଖାଦ୍ୟରେ ଅନିୟମିତତା ସାଙ୍ଗକୁ ନିଦ୍ରାହୀନତା ଭଳି ସମସ୍ୟା ସୃଷ୍ଟି ହେଉଛି । ଏହି ସମସ୍ୟା ଧୀରେ ଧୀରେ ଶରୀରରେ ନୂଆ ନୂଆ ରୋଗକୁ ଜନ୍ମ ଦେବାରେ ସହାୟକ ହୋଇଥାଏ । ତନ୍ମଧ୍ୟରୁ ମଧୁମେହ ଗୋଟିଏ । ଏବେ ଘରେ ଘରେ ମଧୁମେହ ରୋଗୀ । ଏହି ରୋଗକୁ କେବଳ ସନ୍ତୁଳିତ ଆହାର ସାଙ୍ଗକୁ ଶାରୀରିକ ସୁସ୍ଥତା ମାଧ୍ୟମରେ ଭଲ କରିହେବ । କିନ୍ତୁ ଚାହିଁଲେ ଘରୋଇ ଉପାୟରେ ଏହାକୁ ନିୟନ୍ତ୍ରଣରେ ରଖିପାରିବେ । ଏଥିପାଇଁ ତେଜପତ୍ର ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇପାରିବ । ଅନେକଙ୍କର ଧାରଣା, ତେଜପତ୍ର କେବଳ ବ୍ୟଞ୍ଜନ ପ୍ରସ୍ତୁତିରେ ବ୍ୟବହୃତ ହୁଏ । କିନ୍ତୁ ପ୍ରକୃତ କଥା ହେଉଛି, ତେଜପତ୍ରରେ ଔଷଧୀୟ ଗୁଣ ଭରପୁର୍ ହୋଇ ରହିଛି । ଏଥିରେ ପ୍ରଚୁର ମାତ୍ରାରେ ଆଂଟିଅକ୍ସିଡାଂଟ୍, କପର୍, ପଟାସିୟମ୍, କ୍ୟାଲସିୟମ୍, ସେଲୋନିୟମ୍ ଓ ଆଇରନ୍ ଭରପୁର୍ ରହିଛି । ଏସମସ୍ତ ଭିଟାମିନ୍, ପ୍ରୋଟିନ୍ ମଣିଷ ଶରୀରକୁ ସୂଚାରୁରୂପେ ସଂଚାଳନ ନିମନ୍ତେ ଜରୁରୀ । କିନ୍ତୁ ସବୁଠୁ ବଡ଼ କଥା, ଏହି ତେଜପତ୍ରରେ ଥିବା ଭିଟାମିନ୍ ପ୍ରୋଟିନ୍ ମଧୁମେହ ଭଳି ଦୂରାରୋଗ୍ୟ ରୋଗକୁ ଭଲ କରିବାରେ ରାମବାଣ ପରି କାମ କରିଥାଏ । ଜୀବନଶୈଳୀରେ ପରିବର୍ତନ ଯୋଗୁ ହେଉ ବା ବଂଶାନୁକ୍ରମିକ, ମଧୁମେହର ଶିକାର ହୋଇଥାଉ । ଯଦ୍ୱାରା ଅନେକ ଯନ୍ତ୍ରଣା ଭୋଗିବାକୁ ପଡ଼େ । କିନ୍ତୁ ଏଥିରୁ ରକ୍ଷା ପାଇବାକୁ ତେଜପତ୍ର ବେଶ୍ ଉପଯୋଗୀ । ପ୍ରତ୍ୟହ ଖାଦ୍ୟରେ ତେଜପତ୍ରର ଉପଯୋଗ ଦ୍ୱାରା ମଧୁମେହକୁ ନିୟନ୍ତ୍ରଣରେ ରଖିହେବ । ପ୍ରତିଦିନ ସକାଳେ ଅବା ସନ୍ଧ୍ୟାରେ ଉଷୁମ ପାଣିରେ ତେଜପତ୍ର ପକାଇ ପିଇଲେ ସୁଫଳ ମିଳିଥାଏ । କେବଳ ସେତିକି ନୁହେଁ ଅନିୟମିତ ଓ ଦୂଷିତ ଖାଦ୍ୟପେୟ ଯୋଗୁ ହେଉଥିବା ପେଟର ପଥରୀ ରୋଗକୁ ମଧ୍ୟ ତେଜପତ୍ର ଦ୍ୱାରା ଭଲ କରିହେବ ।