ପଂଚଭୂତରେ ଲୀନ ହେଲେ ଦେବାଶିଷ ପାଣିଗ୍ରାହୀ

ଭୁବନେଶ୍ୱର : ପଂଚଭୂତରେ ଲୀନ ହେଲେ ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଡ. ଦେବାଶିଷ ପାଣିଗ୍ରାହୀ । କଟକ ଖାନନଗର ଶ୍ମଶାନରେ ଦେବାଶିଷ ପାଣିଗ୍ରାହୀଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଗତକାଲି କୋଲକାତାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିଲା । ଶନିବାର ଦିନ ସଡକପଥରେ କଟକ ସ୍ଥିତ ବାସଭବନରେ ପାର୍ôଥବ ଶରୀର ପହଂଚିବା ପରେ ବିଶିଷ୍ଟ ବ୍ୟକ୍ତିମାନେ ଶେଷ ଦର୍ଶନ କରିଥିଲେ ।
ଉଲ୍ଲେଖ୍ୟଯୋଗ୍ୟ ଯେ ଗତ ମେ’ ମାସରେ ସେ କରୋନାରେ ସଂକ୍ରମିତ ହୋଇଥିଲେ । କଟକର ଏକ ଘରୋଇ ହସ୍ପିଟାଲରେ ଦେବାଶିଷଙ୍କୁ ଭର୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା ଓ ଇକ୍ମୋ ଚିକିତ୍ସା ଆବଶ୍ୟକ ହୋଇଥିଲା । ତେଣୁ ଜୁନ୍ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ୱରରୁ କୋଲକାତା ନିଆଯାଇଥିଲା । ଚାରିଦିନ ତଳେ ତାଙ୍କ ରକ୍ତ ସଂକ୍ରମଣ ବଢ଼ି ଯାଇଥିଲା । ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ୱେ ଗତକାଲି ରାତି ୧୦ଟା ୧୫ବେଳେ ତାଙ୍କର ଦେହାନ୍ତ ହୋଇଥିଲା ।
୧୯୯୧ ବ୍ୟାଚର ଓ଼ଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ଦେବାଶିଷ ପାଣିଗ୍ରାହୀ ବରିଷ୍ଠ ପୋଲିସ ଅଧିକାରୀ ଭାବେ କାମ କରିବା ସହ ରାଜ୍ୟର ଜଣାଶୁଣା ସାହିତ୍ୟିକ ଭାବେ ପରିଚିତ ଥିଲେ । ୧୯୬୫ ଅଗଷ୍ଟ ୨୯ରେ ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିବା ଦେବାଶିଷ ଜଣେ ଦକ୍ଷ ପ୍ରଶାସକ ସହ ସୁସାହିତ୍ୟିକ ଓ ଦ୍ୱିଭାଷୀ ଲେଖକ ମଧ୍ୟ ଥିଲେ । ରେଭେନ୍ସା କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକ ଓ ବାଣୀବିହାରରୁ ପିଜି କରିବା ପରେ ୧୯୯୧ରେ ଭାରତୀୟ ପୋଲିସ ସେବାରେ ଯୋଗ ଦେଇଥିଲେ । ଚାକିରୀ ଜୀବନ କାଳରେ କେନ୍ଦୁଝର, ଭୁବନେଶ୍ୱର, ପୁରୀ, ଗଞ୍ଜାମ ଓ କଟକର ଏସ୍ପି ଭାବେ ଦାୟିତ୍ୱ ତୁଲାଇଥିଲେ । ଏହାସହ ଡିଆଇଜି, ଗୃହ ବିଭାଗର ସ୍ୱତନ୍ତ୍ର ସଚିବ, ଆଇଜି (ଆଧୁନିକୀକରଣ), ଆଇଜି (କାର୍ମିକ) ଓ ଏଡିଜି (କାର୍ମିକ) ପଦରେ କାମ କରିବା ପରେ ୨୦୧୭ରୁ ଭିଜିଲାନ୍ସର ନିର୍ଦ୍ଦେଶକ ଥିଲେ । ଏହା ବ୍ୟତୀତ ଓଡିଆ ଓ ଇଂରାଜୀ ଭାଷାରେ ବହୁ କ୍ଷୂଦ୍ରଗଳ୍ପ ସଂକଳନ, କବିତା, ଉପନ୍ୟାସ ଆଦି ମଧ୍ୟ ରଚନା କରିଥିଲେ । ୨୦୦୨ ମସିହାରେ କ୍ଷୂଦ୍ରଗଳ୍ପ ସଂକଳନ ପାଇଁ ସେ ଓଡିଆ ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।