ଦାମୋଦର ରାଉତ : ୫ ଦଶନ୍ଧିର ସକ୍ରିୟ ଓ ଚର୍ଚ୍ଚିତ ରାଜନୈତିକ ଜୀବନ
ଭୁବନେଶ୍ୱର : ଆରପାରିରେ ଓଡ଼ିଶା ରାଜନୀତିର ବରିଷ୍ଠ ନେତା ଭାବେ ପରିଚିତ ଡାକ୍ତର ଦାମୋଦର ରାଉତ। ୮୩ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ଆଜି ସକାଳ ୫ଟା ୨୩ ମିନିଟରେ ଦାମ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ହସ୍ପିଟାଲ ପକ୍ଷରୁ ପ୍ରକାଶ କରାଯାଇଛି । ଦାମୋଦରଙ୍କ ଦେହାନ୍ତ ନେଇ ପୁଅ ସମ୍ବିତ ସୂଚନା ଦେଇଛନ୍ତି।
ଓଡ଼ିଶା ରାଜନୀତିର ଜଣେ ଟାଣୁଆ ନେତା ଥିଲେ ଡାକ୍ତର ଦାମୋଦର ରାଉତ । ସତୁରୀ ଦଶକର ଶେଷ ଭାଗରୁ ଓଡିଶାର ରାଜନୀତିରେ ସକ୍ରିୟ ଥିଲେ ଦାମୋଦର ରାଉତ। ଜନତା ପାର୍ଟି, ଜନତା ଦଳ ଓ ବିଜୁ ଜନତା ଦଳର ସଦସ୍ୟ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଦାମ ବାବୁ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅନୁଗତଙ୍କ ମଧ୍ୟରେ ଦାମୋଦର ରାଉତ ଥିଲେ ଅନ୍ୟତମ। ବିଜେଡି ବିଧାୟକ ଭାବେ ନବୀନ ପଟ୍ଟନାୟକଙ୍କ ସରକାରରେ ସେ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ। ତାଙ୍କୁ ‘ବିଜେଡିର ତୁଣ୍ଡ’ ବୋଲି କୁହାଯାଉଥିଲା । ହେଲେ ପରବର୍ତ୍ତୀ ସମୟରେ ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା ଓ ପରେ ତାଙ୍କୁ ଦଳରୁ ବିଦା କରାଯାଇଥିଲା । ବିଜେଡିରୁ ବିଦା ହେଲା ପରେ ସେ ବିଜେପିରେ ମିଶିଥିଲେ । ୨୦୧୯ ବିଧାନସଭା ନିର୍ବାଚନରେ ସେ ବିଜେପି ଟିକେଟରେ ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରୁ ଲଢିଥିଲେ ମଧ୍ୟ ମାତ୍ର ପରାଜିତ ହୋଇଥିଲେ । ବିଜେପିରେ ସେ ବେଶୀ ଦିନ ତିଷ୍ଠି ପାରିନଥିଲେ । କିଛି ମାସ ତଳେ ବହିଷ୍କାର ଆଦେଶ ପ୍ରତ୍ୟାହାର ପରେ ଦାମୋଦର ରାଉତ ବିଜେଡିକୁ ଫେରିଥିଲେ ।
୧୯୪୨ ମସିହା ଜୁଲାଇ ୨ ତାରିଖରେ ଜଗତସିଂହପୁରରେ ଜନ୍ମ ଲାଭ କରିଥିବା ଦାମ ରାଉତ ଓଡ଼ିଶା ବିଧାନସଭାକୁ ବିଧାୟକ ଭାବେ ୭ ଥର ନିର୍ବାଚିତ ହୋଇଥିଲେ। ୭ ଥର ବିଧାୟକ ଓ ବହୁ ବାର ମନ୍ତ୍ରୀ ହୋଇଥିବା ଦାମୋଦର ବିଜୁ ପଟ୍ଟନାୟକଙ୍କର ବି ଥିଲେ ଅତି ଘନିଷ୍ଠ ସହଯୋଗୀ। ୧୯୭୭ ମସିହାରେ ପ୍ରଥମ ଥର ପାଇଁ ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜନତାଦଳ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରେ ୧୯୮୦ରେ ଜନତା ଦଳ ସେକୁଲାରରୁ ଜିତି ଦ୍ୱତୀୟ ଥର ପାଇଁ ବିଧାନସଭା ଆସିଥିଲେ। ଯଦିଓ ୧୯୯୫ ମସିହାରେ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା, ହେଲେ ୨ ହଜାରରୁ ୨୦୧୯ ପର୍ଯ୍ୟନ୍ତ ବିଜୁ ଜନତା ଦଳରୁ ଲଗାତର ନିର୍ବାଚିତ ହୋଇ ଆସିଥିଲେ । ୫ଥର ଏରସମା ଓ ୨ଥର ପାରାଦ୍ୱୀପରୁ ଲଢି ବି ଜିତିଥିଲେ ଦାମ। ବାପା ବିଜୁ ପଟ୍ଟନାୟକ ଓ ପୁଅ ନବୀନ ପଟ୍ଟନାୟକଙ୍କ ସରକାରରେ ବିଭିନ୍ନ ସମୟରେ କୃଷି, ପଞ୍ଚାୟତିରାଜ, ସ୍ବାସ୍ଥ୍ୟ, ସମବାୟ ଭଳି ୭ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀପଦ ସମ୍ଭାଳି ଥିଲେ ଦାମ । ଜଣେ ଦକ୍ଷ ରାଜନେତା ଭାବେ ଦାମ ଯେତିକି ଜଣାଶୁଣା ତାଙ୍କ ରୋକଠୋକ୍ କଥାବାର୍ତ୍ତା ପାଇଁ ମଧ୍ୟ ସେ ସେତିକି ଚର୍ଚ୍ଚିତ।