ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ, ୫ ଦିନ ଲାଗିରହିବ ବର୍ଷା

- ଆଜି ୨୩ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ପ୍ରଭାବରେ ରାଜ୍ୟରେ ଲାଗି ରହିଛି କାଳବୈଶାଖୀ ଜନିତ ବର୍ଷା । ଆସନ୍ତା ୪୮ ଘଣ୍ଟା ଭିତରେ ଏହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ରାଜ୍ୟରେ ଆସନ୍ତା ୫ ଦିନ ଯାଏଁ ବିଭିନ୍ନ ଜିଲାରେ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ମାତ୍ର ରାଜ୍ୟରେ ଏବେ ବର୍ଷାର ଯେଉଁଭଳି ଅଭାବ ରହିଛି, ତାହା ଭରଣା ହେବା ସମ୍ଭାବନା କମ୍ । ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମଧ୍ୟ ରାଜ୍ୟର ଅଧିକାଂଶ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ୨୩ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଜିଲାଗୁଡିକ ହେଲା ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ଭ୍ରଦକ, କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖେର୍ଦ୍ଧା, ପୁରୀ, ନୟାଗଡ଼, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି ହୋଇଛି ।
କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ହେଲା, ଘୂର୍ଣ୍ଣିବଳୟ ଗୁରୁବାରକୁ ଲଘୁଚାପ ରୂପ ନେଇପାରେ । ହେଲେ ଏହା ବିଶେଷ ବର୍ଷା କରାଇବ ନାହିଁ । ୨୨ ତାରିଖରେ ସମଗ୍ର ରାଜ୍ୟରେ ଓ ୨୩ରେ ଦକ୍ଷିଣ ଏବଂ କେନ୍ଦ୍ରୀୟ ଓଡ଼ିଶାର କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ହେବ । ୨୩ରେ ଉପକୂଳ ଜିଲ୍ଲା ଓ ୨୩/୨୪ରେ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାରେ ଲଘୁଚାପଜନିତ ମୌସୁମୀ ବର୍ଷା ହେବ । ୨୪ରୁ ଅଧିକାଂଶ ଜାଗାରେ ବର୍ଷା ଛାଡ଼ିଯିବ । ସେହିପରି ଆସନ୍ତା ୨୬ ତାରିଖ ସୁଦ୍ଧା ଦକ୍ଷିଣ କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ସମୁଦାୟ ବର୍ଷା ହାରାହାରି ୪୦, ଉପକୂଳରେ ୮୦ ଓ ସୀମାନ୍ତବର୍ତ୍ତୀ ଆଭ୍ୟନ୍ତରୀଣ ଓଡ଼ିଶାରେ ୧୦୦ ମିମି ବର୍ଷା ହୋଇପାରେ । ଖୋର୍ଦ୍ଧା ଓ ନୟାଗଡ଼ରେ ସମୁଦାୟ ୬୦ ମିମି ବର୍ଷା ହୋଇପାରେ । ୨୬ ତାରିଖରେ ସୃଷ୍ଟି ହେବାକୁ ଯାଉଥିବା ସମ୍ଭାବ୍ୟ ଘୂର୍ଣ୍ଣିବଳୟର ପ୍ରଭାବ ୨୪ ତାରିଖ ବେଳକୁ ଜଣାପଡ଼ିବ । ତେଣୁ ବର୍ତ୍ତମାନର ନିଅଣ୍ଟିଆ ମୌସୁମୀ ଅତିକମ୍ରେ ୨୬ ପର୍ଯ୍ୟନ୍ତ ଅଧିକ ବଢ଼ିବ । ଦକ୍ଷିଣ କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାର ଅଣଜଳସେଚିତ ଜମିରେ ଧାନର ରୁଆବେଉସା କାମ ବେଶି ଆଗେଇବ ନାହିଁ ।