ଶିଶୁଙ୍କ ଉପରେ କୋଭୋଭାକ୍ସର ଟ୍ରାଏଲକୁ ମିଳିଲାନି ଅନୁମତି

vaccination of children. An injection. Selective focus.
ନୂଆଦିଲ୍ଲୀ : ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ବଡ ଝଟକା ଲାଗିଛି । କେନ୍ଦ୍ରୀୟ ଔଷଧ ପ୍ରାଧିକରଣର ବିଶେଷଜ୍ଞ କମିଟି ଶିଶୁଙ୍କ ଉପରେ ଭାକସିନର ଟ୍ରାଏଲ ପାଇଁ ଅନୁମତି ଦେଇନାହିଁ । ବିଶେଷଜ୍ଞ କମିଟି ଗୁରୁବାର ସେରମ ଇନଷ୍ଟିଚ୍ୟୁଟକୁ ୨ରୁ ୧୭ ବର୍ଷର ଶିଶୁଙ୍କ ଉପରେ କୋଭିଡ୍-୧୯ ଭାକସିନ୍ କୋଭୋଭାକ୍ସର ଦ୍ୱିତୀୟ କିମ୍ବା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ଆବେଦନକୁ ନାମଞ୍ଜୁର କରିଛି ।
ସୂଚନା ଯେ, ଗତ ସୋମବାର ସେରମ ଇନଷ୍ଟିଚ୍ୟୁଟ୍ ଡିସିଜିଆଇଙ୍କ ନିକଟରେ ୧୦ଟି ସ୍ଥାନରେ ୯୨୦ ଶିଶୁଙ୍କ ଉପରେ କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ମାଗିଥିଲା । ଏହି ଆବେଦନ ଉପରେ ବିଚାର ବିମର୍ଷ ପାଇଁ କମିଟି ବସିଥିଲା । ଟ୍ରାଏଲକୁ ଏବେସୁଦ୍ଧା କୌଣସି ଦେଶ ଅନୁମତି ଦେଇନଥିବା ଓ ଏଥିରେ ଅନେକ ତ୍ରୁଟି ଥିବା ସାମ୍ନାକୁ ଆସିଥିଲା । ଏହାସହ କମିଟି ଅନେକ କିଛି ତଥ୍ୟ ମାଗିଥିଲା ଯାହା ଆବେଦନ ସହ ପ୍ରଦାନ କରିନଥିଲା ସେରମ୍ ଇନଷ୍ଟିଚ୍ୟୁଟ୍ । କୌଣସି ଦେଶ ଅନୁମତି ଦେଇନଥିବାରୁ ଭାରତରେ ମଧ୍ୟ ଅନୁମତି ଦିଆଯିବ ନାହିଁ ବୋଲି କମିଟି ସ୍ପଷ୍ଟ ଭାବେ କହିଥିଲା । ଏହି ଭାକସିନକୁ ନେଇ ସେରମ୍ ୨୦୨୦ରେ ଆମେରିକା କମ୍ପାନୀ ନୋଭାଭାକ୍ସ ସହ ଚୁକ୍ତି ସ୍ୱାକ୍ଷର କରିଥିଲା । ନୋଭାଭାକ୍ସ ଦ୍ୱାରା ପ୍ରସ୍ତୁତ ଭାକସିନ ହେଉଛି କୋଭୋଭାକ୍ସ । ଏହି ଭାକସିନକୁ ନେଇ ସେରମ ଇନଷ୍ଟିଚ୍ୟୁଟର ସିଇଓ କହିଥିଲେ ଯେ, ଏହି ଭାକସିନ୍ ୧୮ ବର୍ଷରୁ କମ୍ ବୟସ ଶିଶୁଙ୍କୁ ସୁରକ୍ଷା ଦେବାରେ ସହାୟକ ହେବ । ଚଳିତ ବର୍ଷ ଡିସେମ୍ବରରେ ଏହା ଉପଲବ୍ଧ ହେବ । ଭାକସିନର ପ୍ରସ୍ତୁତି ମଧ୍ୟ ସେରମ୍ ଇନଷ୍ଟିଚ୍ୟୁଟର ପୁଣେ ଲ୍ୟାବରେ ଚାଲିଛି ।