ଭାରତକୁ ଆସନ୍ତା ଦୁଇ ମାସ ମଧ୍ୟରେ ଆସିପାରେ କରୋନାର ତୃତୀୟ ଲହର : ଏମ୍ସ ନିର୍ଦ୍ଦେଶକ !
![](https://thetruths.in/wp-content/uploads/2021/06/AIIMS-Director-Randeep-Guleria-1024x576.jpg)
ନୂଆଦିଲ୍ଲୀ : ଦେଶରେ ଗତ ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିବା କରୋନାର ଦ୍ୱିତୀୟ ଲହରର ପ୍ରକୋପ କମ୍ ହେବା ଭଳି ମନେ ହେଉଥିବା ବେଳେ ଏବେ ତୃତୀୟ ଲହର ଭୟ ଲୋକଙ୍କୁ ଡରାଇବାକୁ ଆରମ୍ଭ କରିଛି । ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି ଯେ ଆସନ୍ତା ୬ରୁ ୮ସପ୍ତାହ ମଧ୍ୟରେ ଅର୍ଥାତ ୨ ମାସ ମଧ୍ୟରେ ଭାରତରେ କୋଭିଡ୍-୧୯ର ତୃତୀୟ ଲହର ଆସିପାରେ । ଏକ ନ୍ୟୁଜ୍ ଚ୍ୟାନେଲ ସହିତ ବାର୍ତ୍ତାଳାପ ସମୟରେ ଏମ୍ସ ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି ।
ଦ୍ଵିତୀୟ ଲହରରେ ଭାରତରେ ଡାକ୍ତରଖାନାଗୁଡିକରେ ବେଡ୍ ଅଭାବ ସହିତ ଚିକିତ୍ସା ସାମଗ୍ରୀର ଅଭାବ ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ଏମ୍ସ ମୁଖ୍ୟ ଆସନ୍ତା ୨ ମାସ ମଧ୍ୟରେ ତୃତୀୟ ଲହର ଆସିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଆମେ ଅନଲକ୍ ପ୍ରକ୍ରିୟା ଆରମ୍ଭ କରିଦେଇଛୁ । ପୁଣି ଥରେ କରୋନା ନିୟମ ପାଳନ କରିବାରେ ଅବହେଳା ଦେଖିବାକୁ ମିଳୁଛି । ଏମିତି ଲାଗୁଛି ଯେପରି ପ୍ରଥମ ଏବଂ ଦ୍ବିତୀୟ ଲହରରେ ଯାହା ଘଟିଥିଲା ସେଥିରୁ ଆମେ କିଛି ଶିଖିଲୁ ନାହିଁ । ପୁଣି ଭିଡ ଦେଖିବାକୁ ମିଳୁଛି । ଲୋକମାନେ ଏକାଠି ହେଉଛନ୍ତି । ଜାତୀୟ ସ୍ତରରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାକୁ ସମୟ ଲାଗିବ, କିନ୍ତୁ ଆସନ୍ତା ୬ରୁ ୮ ସପ୍ତାହ କିମ୍ବା କିଛି ସମୟ ପରେ ସଂକ୍ରମଣ ବଢିବାରେ ଲାଗିବ । ସୂଚନା ଯେ, କରୋନା ସଂକ୍ରମଣ ହେତୁ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୪୦ ଲକ୍ଷରୁ ଅଧିକ ଲୋକ ଜୀବନ ହରାଇଛନ୍ତି । ଏଥିମଧ୍ୟରୁ ୫୦ ପ୍ରତିଶତ ଭାରତ, ଆମେରିକା, ବ୍ରାଜିଲ, ଋଷ ଏବଂ ମେକ୍ସିକୋର ।