ବାଲେଶ୍ୱର : ଜଉକଣ୍ଢେଇ ଶିଳ୍ପୀଙ୍କୁ କରୋନା ସହାୟତା
ବାଲେଶ୍ୱର : ସାରା ବିଶ୍ୱରେ କରୋନା ପାଇଁ ଜନଜୀବନର ଆର୍ଥିକ ଓ ସାମାଜିକ ମେରୁଦଣ୍ଡ ଭାଙ୍ଗି ଯାଇଛି । କରୋନାର କଷାଘତରେ ହସ୍ତକଳା କାରିଗରର ବିକ୍ରିବଟା ହୋଇ ନ ଥିବାବେଳେ ବାଲେଶ୍ୱରର ଜଉକଣ୍ଢେଇ ଶିଳ୍ପୀ ମାନଙ୍କର ମଧ୍ୟ ଅଣ୍ଟା ଭାଙ୍ଗିଯାଇଛି । ବାଲେଶ୍ୱରର ଜଉକଣ୍ଢେଇ ସଚେତକ ଶିଳ୍ପୀ କେଶୁଦାସ ଓ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଯୁବ ବିକାଶ ଅନୁରୋଧ କ୍ରମେ ଆନନ୍ଦ ମାର୍ଗ ୟୁନିଭର୍ସିଆଲ ରିଲିଫ୍ ଟିମ, ଆନନ୍ଦନଗର ଡେଭେଲୋପମେଣ୍ଟ ସୋସାଇଟି ଓ ଯୁ ଚି ଫାଉଣ୍ଡେସନ ତରଫରୁ ୩୨ ଜଣ ଜଉକଣ୍ଢେଇ ଶିଳ୍ପୀଙ୍କୁ ଚାଉଳ, ଅଟା, ଚୁଡା, ଆଳୁ, ଡାଲି, ମସଲା, ସୁଜି, ଚିନି , ତେଲ, ବିସ୍କୁଟ, ସେନିଟାଇଜର, ମାସ୍କ, ସାବୁନ ଇତ୍ୟାଦି ମାସକର ରେଶନ ଦିଆଯାଇଛି ।
ଏହି ରେଶନ ସଠିକ ଭାବରେ ବଣ୍ଟନ ଶିଳ୍ପୀ କେଶୁଦାସଙ୍କ ତତ୍ତ୍ୱାବଧାନରେ ହୋଇଥିବା ବେଳେ ଆନନ୍ଦ ମାର୍ଗ ବାଲେଶ୍ୱର ଶାଖାର ଭାସ୍କର ଜେନା, ଶରତ ଚୌଧୁରୀ, ଗୋବିନ୍ଦ ଦଳାଇ, ବାବୁଲି ଓ ଅଙ୍କିତ ପ୍ରମୁଖ ସହଯୋଗ କରିଥିଲେ । କୃତଜ୍ଞତା ସ୍ବରୂପ ଜଉକଣ୍ଢେଇ ଶିଳ୍ପୀମାନେ ଅନୁଷ୍ଠାନ ଦାତାଙ୍କୁ ଜଉକଣ୍ଢେଇ ଉପହାର ପ୍ରଦାନ କରିଥିଲେ ।