ସମବାୟ ସଂସ୍ଥା ଦ୍ୱାରା ୬୮୬୯ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ରବି ଫସଲ ଋଣ ଯୋଗାଣ
- ଧାର୍ଯ୍ୟ ଲକ୍ଷ୍ୟର ୧୦୬ ପ୍ରତିଶତ ହାସଲ
- କୋଭିଡ୍-୧୯ ସ୍ଥିତିରେ ଫସଲ ଋଣ କୃଷି କାର୍ଯ୍ୟକୁ ଆଗେଇ ନେବାରେ ସାହାଯ୍ୟ କରିଛି : ସମବାୟ ମନ୍ତ୍ରୀ
ଭୁବନେଶ୍ୱର : ୨୦୨୦-୨୧ ରବି ଫସଲ ନିମନ୍ତେ ସମବାୟ ସଂସ୍ଥା ଦ୍ୱାରା ସ୍ୱଳ୍ପମିଆଦୀ ଫସଲ ଋଣ ପ୍ରଦାନ କ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟର ୧୦୬ ପ୍ରତିଶତ ସଫଳତା ହାସଲ ହୋଇଛି । ରାଜ୍ୟ ସରକାର ଚାଷୀମାନଙ୍କୁ ରବି ଫସଲ ପାଇଁ ମୋଟ ୬୫୦୦ କୋଟି ଟଙ୍କାର ଫସଲ ଋଣ ଯୋଗାଇଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ ସମବାୟ ବିଭାଗ ପକ୍ଷରୁ ମୋଟ ୬୮୬୯ କୋଟି ୯୦ ଲକ୍ଷ ୭୧ ହଜାର ଟଙ୍କା ଋଣ ଆକାରରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଛି । ଗତବର୍ଷ ରବି ଫସଲ ନିମନ୍ତେ ୫୭୪୦ କୋଟି ୪୬ ଲକ୍ଷ ଟଙ୍କା ଫସଲ ଋଣ ଯୋଗାଇ ଦିଆଯାଇଥିବାବେଳେ ଚଳିତ କୋଭିଡ୍ ସ୍ଥିତିରେ ରବି ଫସଲ ନିମନ୍ତେ ଋଣ ପ୍ରଦାନ କ୍ଷେତ୍ରରେ ସମବାୟ ସଂସ୍ଥାଗୁଡ଼ିକର ଉଲ୍ଲେଖନୀୟ ସଫଳତା ରାଜ୍ୟର କୃଷି କାର୍ଯ୍ୟକୁ ଆଗେଇ ନେବାରେ ସାହାଯ୍ୟ କରିଛି ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଏଥି ସହିତ ରାଜ୍ୟ ସରକାର ଫସଲ ଋଣ କ୍ଷେତ୍ରରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଯୁଗ୍ମଦେୟ ଗୋଷ୍ଠୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ନୂତନ ଚାଷୀଙ୍କୁ ଋଣ ପ୍ରଦାନ ନିମନ୍ତେ ସର୍ବଦା ପ୍ରାଥମିକତା ପ୍ରଦାନ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
୨୦୨୦-୨୧ ରବି ଫସଲ ନିମନ୍ତେ ରାଜ୍ୟର ମୋଟ ୧୫ ଲକ୍ଷ ୬୫ ହଜାର ୨୫ ଜଣ ଚାଷୀଙ୍କୁ ଏହି ଫସଲ ଋଣ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ମାଧ୍ୟମରେ ବିଭିନ୍ନ ସୋସାଇଟି ଜରିଆରେ ଯୋଗାଇ ଦିଆଯାଇଛି । ଋଣ ଟଙ୍କା ସଂପୃକ୍ତ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରେରଣ କରାଯାଇଛି । ରାଜ୍ୟର ୧୭ଟି ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ମଧ୍ୟରୁ ୧୩ଟି ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ରବି ଫସଲ ଋଣ ପ୍ରଦାନ କ୍ଷେତ୍ରରେ ଶତପ୍ରତିଶତରୁ ଊର୍ଦ୍ଧ୍ୱ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିଛନ୍ତି । କଟକ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ସର୍ବାଧିକ ଧାର୍ଯ୍ୟ ଲକ୍ଷ୍ୟର ୧୨୫ ପ୍ରତିଶତ ଋଣ ପ୍ରଦାନ କରାଯାଇଛି । ସେହିପରି ରବି ଫସଲ ନିମନ୍ତେ ରାଜ୍ୟର ୨୫ ହଜାର ୧୬୯ ଜଣ ନୂତନ ଚାଷୀଙ୍କୁ ଫସଲ ଋଣ ପ୍ରଦାନ କରାଯାଇଛି ।