କରୋନାରେ କଂଗ୍ରେସ ସାଂସଦ ରାଜୀବ ସାତଭଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ମହାମାରୀ କରୋନାରେ ଆକ୍ରାନ୍ତ ହୋଇ କଂଗ୍ରେସ ସାଂସଦ ରାଜୀବ ସାତଭଙ୍କ ମୃତ୍ୟୁ। ଏ ସମ୍ପର୍କରେ ଦଳର ମୁଖପାତ୍ର ରଣଦୀପ ସୁରଜେୱାଲା ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏନେଇ ସୁରଜେୱାଲା ଟ୍ୱିଟ୍ରେ ଲେଖିଛନ୍ତି ଯେ, ସେ ଆଜି ତାଙ୍କର ଜଣେ ଭଲ ସାଥୀଙ୍କୁ ହରାଇଲେ, ଯିଏ ତାଙ୍କ ସାର୍ବଜନିକ ଜୀବନର ପ୍ରଥମ ପାଦ ଯୁବ କଂଗ୍ରେସରେ ରଖିଥିଲେ ଏବଂ ଆଜି ପର୍ଯ୍ୟନ୍ତ ତାଙ୍କ ସହ ରହିଥିଲେ। କିନ୍ତୁ ଆଜି ତାଙ୍କର ଦେହାନ୍ତ ହୋଇଗଲା। ଦଳ ପ୍ରତି ନିଷ୍ଠା ଏବଂ ତାଙ୍କର ବନ୍ଧୁତ୍ଵକୁ ସେ ସବୁଦିନ ମନେ ରଖିବେ ବୋଲି ସୁରଜେୱାଲା କହିଛନ୍ତି।
ସୂଚନା ଯେ, ଗତ ୨୨ ତାରିଖରେ ରାଜୀବ କରୋନାରେ ସଂକ୍ରମିତ ହୋଇଥିଲେ। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ତେବେ ସେ ଧୀରେ ଧୀରେ ସୁସ୍ଥ ହୋଇଆସୁଥିଲେ। ମାତ୍ର ପରେ ଆଉ ଏକ ଭୂତାଣୁଜନିତ ସଂକ୍ରମଣ ଯୋଗୁ ପୁଣି ଥରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଯାଇଥିଲା। ତାଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଥିଲା। ରବିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ୪୬ ବର୍ଷ ହୋଇଥିଲା।