ବାତ୍ୟା ମୁକାବିଲା ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ
ଭୁବନେଶ୍ୱର : ଆସୁଛି ସାମୁଦ୍ରିକ ବାତ୍ୟା ୟଶ୍ । ଆସନ୍ତା ୨୬ରେ ଏହା ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳରେ ମାଡ ହେବ ବୋଲି ଅନୁମାନ କରାଯାଉଛି । ତେବେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଶନିବାର ଅପରାହ୍ନରେ ସମୀକ୍ଷା ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୧୪ ଉପକୂଳବର୍ତ୍ତୀ ଜିଲ୍ଲାରେ କିଭଳି ରହିଛି ବାତ୍ୟା ମୁକାବିଲା ପ୍ରସ୍ତୁତି ସେହି ବୈଠକରେ ସେ ସମୀକ୍ଷା କରିବେ । ଏହି ବୈଠକରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର, ସ୍ୱତନ୍ତ୍ର ରିଲିଫ କମିଶନର, ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ସାମିଲ ହେବେ । ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଆଶ୍ରୟସ୍ଥଳୀ ସଜାଡିବା, ଭିତ୍ତିଭୂମି ସହ ସମ୍ଭାବ୍ୟ ବାତ୍ୟାରେ ବିପନ୍ନଙ୍କୁ ଉଦ୍ଧାର, ସେମାନଙ୍କୁ ଥଇଥାନ, ପୁନରୁଦ୍ଧାର କାର୍ଯ୍ୟକୁ କିଭଳି ତ୍ୱରାନ୍ୱିତ କରାଯାଇ ପାରିବ ସେନେଇ ଆଗକୁ ପଦକ୍ଷେପ ନେବେ।
ମୁଖ୍ୟମନ୍ତ୍ରୀ ଶନିବାର ସମ୍ଭାବ୍ୟ ବାତ୍ୟା ୟଶକୁ ନେଇ ସମୀକ୍ଷା କରିବେ । ଏହାସହ ବାତ୍ୟା ମୁକାବିଲା ନେଇ ମଧ୍ୟ ଆଲୋଚନା କରିବେ । ଏହି ବୈଠକରେ ୧୪ ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ରହିବେ । ସେହିପରି ମୁଖ୍ୟ ଶାସନ ସଚିବଙ୍କ ସହ ଏସଆରସି ଓ ଅନ୍ୟ ଅଧିକାରୀମାନେ ସମୀକ୍ଷା ବୈଠକରେ ଉପସ୍ଥିତ ରହିବା ନେଇ ସୂଚନା ମିଳିଛ । ସୂଟନାଯୋଗ୍ୟ, ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ବାତ୍ୟା ଅତି ଭୀଷଣ (ଭେରି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମ) ରୂପ ନେବ । ୧୬୦ କିଲୋମିଟରକୁ ଟପିପାରେ ପବନର ବେଗ ।ପବନ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ଧରି ମାଡ଼ି ଆସିବ ବାତ୍ୟା ‘ୟଶ୍’ । ପାଣିପାଗ ବିଭାଗ ଆକଳନ କହୁଛି, ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ୨୬ ତାରିଖରେ ମାଡ଼ ହୋଇପାରେ । ଆଇଏମ୍ଡି ପୂର୍ବନୁମାନ କହୁଛି, ଶୁକ୍ରବାର ସଂଧ୍ୟା ସୁଦ୍ଧା ଦକ୍ଷିଣ-ପୂର୍ବ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଶନିବାରକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପରେ ପରିଣତ ହେବ । ୨୪ ତାରିଖ ସୁଦ୍ଧା (ସୋମବାର) ଘନୀଭୂତ ହୋଇ ବାତ୍ୟା ‘ୟଶ୍’ ରୂପ ନେବ ।ଭେରି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମ ରୂପ ନେଲେ ପବନର ବେଗ ୧୧୮ରୁ ୧୬୬ କିଲୋମିଟର ଯାଏ ରହିବ । ଭୟାନକ ରୂପ ନେବ ସମୁଦ୍ର। ବାତ୍ୟାର କେନ୍ଦ୍ର ସ୍ଥଳରେ ୧୪ ମିଟର ଯାଏ ଢେଉ ଉଠିପାରେ ।