ପୁରୀରେ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ମିଶନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

- ଟ୍ୟାପରୁ ସର୍ବୋତ୍ତମ ଗୁଣମାନର ପାଣି ପାଇବାରେ ପୁରୀ ଭାରତର ପ୍ରଥମ ସହର
ପୁରୀ : ଆଜି ପୁରୀ ରେ ଆରମ୍ଭ ହେଲା ‘ସୁଜଳ’ ବା ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ (Drink From Tap Mission) । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଶୁଭାରମ୍ଭ କରିଛନ୍ତି । ଏହା ହେଉଛି ଦେଶରେ ପ୍ରଥମ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ପୁରୀ ହେଉଛି ଦେଶର ପ୍ରଥମ ସହର। ପୁରୀ ଆଜି ଲଣ୍ଡନ, ଲସ୍ ଏଞ୍ଜେଲସ୍ ଓ ସିଙ୍ଗାପୁର ଭଳି ସହରାଞ୍ଚଳରେ ସାମିଲ ହୋଇଛି। ଓଡ଼ିଶା ସରକାରଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ‘ସୁଜଳ’ ବା ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ’ ଅଭିଯାନ ୫ଟି ଶାସନ ପରିଚାଳନା ମନ୍ତ୍ର ଅଧୀନରେ ଆସୁଅଛି । ଏହି ଯୋଜନା ପରେ ଏବେ ପୁରୀରେ ପର୍ଯ୍ୟଟକ ଆଉ ପାଣି ବୋତଲ ଧରି ବୁଲିବେ ନାହିଁ। ସହରର ପ୍ରତି ସ୍ଥାନରେ ପାଣି ଟ୍ୟାପର ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ପୁରୀର ଅଢେଇ ଲକ୍ଷ ଲୋକ ଏବଂ ଏଠାକୁ ପ୍ରତିବର୍ଷ ଆସୁଥିବା ୨ କୋଟି ପର୍ଯ୍ୟଟକ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଭିଡ଼ିଓ କନଫରେନ୍ସିଂ ଯୋଗେ ଏହାର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରୀବାସୀଙ୍କୁ ଧନ୍ୟବାଦ ଦେବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, କେବଳ ପୁରୀ ନୁହେଁ, ଓଡ଼ିଶା ବିକାଶରେ ଏହା ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ପ୍ରତି ଘରକୁ ସପ୍ତାହର ସମସ୍ତ ଦିନ ଚବିଶ ଘଣ୍ଟା ସର୍ବୋତ୍ତମ ଗୁଣ ମାନର ପାନୀୟ ଜଳ ଯୋଗାଣ ହେଉଛି ଏକ ଯୁଗାନ୍ତକାରୀ ପଦକ୍ଷେପ ଓ ଏହା ଦ୍ୱାରା ଜଗନ୍ନାଥ ଧାମ ପୁରୀ ଏକ ବିଶ୍ୱଶ୍ରେଣୀୟ ଐତିହ୍ୟ ସହର ଭାବରେ ଗଢିତୋଳିବାକୁ ଆମ ଅଭିଯାନ ଏହଦ୍ୱାରା ଆଉ ପାଦେ ଆଗେଇଛି । ଓଡ଼ିଶାର ପ୍ରତ୍ୟେକ ଘରକୁ ପାଇପରେ ଜଳ ଯୋଗାଣ କରିବାର ମୋର ସ୍ୱପ୍ନ ରହିଛି ଓ ଏହା ଏବେ ବାସ୍ତବତାରେ ପରିଣତ ହେଉଛି । ସହରକୁ ଆସୁଥିବା ତୀର୍ଥ ଯାତ୍ରୀମାନେ ଏହା ସହିତ ୧୨୦ ପାନୀୟ ଜଳ ଫାଉଂଟେନର ସୁବିଧା ପାଇବେ । ଏହି ସୁବିଧାକୁ ଏୟାରପୋର୍ଟ ପରି ପୁରୀ ବଡଦାଣ୍ଡ ଓ ପୁରୀର ପର୍ଯ୍ୟଟକ ଭିଡ ହେଉଥିବା ଅନ୍ୟ ସ୍ଥାନଗୁଡିକରେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପନ କରାଯାଇଛି । ପୁରୀ ବ୍ୟତୀତ, ଏହି ମିସନ୍ ମାଧ୍ୟମରେ ଓଡ଼ିଶାର ୧୬ ଟି ସହରରେ କାର୍ଯ୍ୟକାରୀ କରାଯିବ ଯଦ୍ୱାରା ୪୦ ଲକ୍ଷ ନାଗରିକ ଉପକୃତ ହୋଇପାରିବେ । ୧୧୪ ଟି ସହରାଞ୍ଚଳ ସ୍ୱାୟତ୍ତ ସଂସ୍ଥା ଅଞ୍ଚଳରେ ନିରାପଦ ଜଳ ପ୍ରଦାନ କରାଯିବ ଓ ଏଥିରେ ମଧ୍ୟ ରାଜ୍ୟର ସମସ୍ତ ବସ୍ତିର ପରିବାରଗୁଡ଼ିକୁ ସାମିଲ କରାଯିବ । ଏହି କାର୍ଯ୍ୟକ୍ରମରେ ୫-ଟି ସଚିବ ଭିକେ ପାଣ୍ଡିଆନ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ରାଜ୍ୟ ଗୃହନିର୍ମାଣ ଏବଂ ସହରାଞ୍ଚଳ ବିକାଶ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଉଦ୍ବୋଧନ ଦେଇଥିଲେ । ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ବିଧାୟକ ଜୟନ୍ତ ଷଡଙ୍ଗୀ, ଜିଲ୍ଲାପାଳ ସମର୍ଥ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ ।