ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର : ୨୬ରୁ ଖୋଲିବ ଦଶମ ଓ ଦ୍ୱାଦଶ ଶ୍ରେଣୀ ହଷ୍ଟେଲ
ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଆସନ୍ତା ୨୬ ତାରିଖ ଠାରୁ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ହଷ୍ଟେଲ ଖୋଲିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ହଷ୍ଟେଲ ଖୋଲିବାକୁ ନିଷ୍ପତ୍ତି ହୋଇଛି। ମୁଖ୍ୟତଃ ଗଣଶିକ୍ଷା, ଏସସି/ଏସଟି ଓ ସଂଖ୍ୟାଲଘୁ ବିଭାଗ ପରିଚାଳିତ ହଷ୍ଟେଲ ଖୋଲିବ। ସେହିପରି ଘରୋଇ ସଂସ୍ଥା ପରିଚାଳିତ ଇଂଲିଶ ମିଡିୟମ ସ୍କୁଲ ହଷ୍ଟେଲ ଖୋଲିବ। ହଷ୍ଟେଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏସଓପି ମଧ୍ୟ ଜାରି କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ଡା. ପ୍ରତାପ କୁମାର ମିଶ୍ର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଏବଂ ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତିଙ୍କୁ ଚିଠି ଲେଖିଛନ୍ତି ।
ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ଘରୋଇ ସଂସ୍ଥା ପରିଚାଳିତ ଇଂଲିଶ ମିଡିୟମ ସ୍କୁଲ, ଗଣଶିକ୍ଷା, ଏସ୍/ଏସ୍ଟି ଓ ପଛୁଆ ବର୍ଗ ପରିଚାଳିତ ହଷ୍ଟେଲ ଖୋଲିବ । ହଷ୍ଟେଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏସ୍ଓପି ଜାରି ହୋଇଛି । ନିର୍ଦ୍ଧିଷ୍ଟ ବ୍ୟବଧାନରେ ମେସ୍ ଓ ଶୌଚାଳୟ ବିଶୋଧନ ହେବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମାର୍ଗଦର୍ଶିକା ମାନିବାକୁ ଏସ୍ଓପିରେ ନିର୍ଦ୍ଦେଶ ଦିଆଯାଇଛି ।ସେହିପରି ସଂସ୍ଥା ଛାତ୍ରଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବାକୁ ପଡ଼ିବ । ହଷ୍ଟେଲରେ ଯୋଗଦେବା ପୂର୍ବରୁ ଛାତ୍ରଛାତ୍ରୀ ଅଭିଭାବକଙ୍କର ଅନୁମତି ନେବେ । ସ୍ଥାନୀୟ ସ୍ୱାସ୍ଥ୍ୟ ସଂସ୍ଥା ସହିତ ଶିକ୍ଷାପ୍ରତିଷ୍ଠାନର ମୁଖ୍ୟ ସଂପର୍କରେ ରହିବେ । ହଷ୍ଟେଲ ପରିସରରେ ଗହଳିକୁ ବାରଣ କରାଯାଇଛି । ଏଥି ପାଇଁ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ନଜର ରଖିବାକୁ ପରାମର୍ଶ ଦିଆଯାଇଛି । ସୂଚନା ଯେ, ପୂର୍ବରୁ ଆସନ୍ତା ୨୬ ତାରିଖରୁ ସ୍କୁଲ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ। ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ଖୋଲିବ ବୋଲି ସେ କହିଛନ୍ତି। ଏଥିଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ଏସଓପି ଜାରି କରିଛି। ଅନଲାଇନ୍ ପାଠପଢ଼ାରେ ବିଭ୍ରାଟ ସୃଷ୍ଟି ହେବା କାରଣରୁ ବିଭାଗ ଏଭଳି ନିଷ୍ପତ୍ତି ନେଇଛି।