ଭୁବନେଶ୍ୱରରେ ଖୋଲିବ କ୍ୟାନସର ହସ୍ପିଟାଲ
- ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ ନିଷ୍ପତ୍ତି
- ଉଭୟ ହସ୍ପିଟାଲ ପାଇଁ ବାଗଚି ଦମ୍ପତି ଦେବେ ୩୪୦ କୋଟି ଟଙ୍କା
- ଓଏସଜେଏସ୍ ଓ ଓଜେଏସ୍ ନିୟମାବଳୀ ସଂଶୋଧନକୁ କ୍ୟାବିନେଟ୍ ମଂଜୁରୀ
- ଖଣି ଚୋରି ରୋକିବାକୁ ନୂଆ ନିୟମ
- ଅନ୍ୱେଶା ଯୋଜନା ଆଉ ୫ ବର୍ଷ ବଢିଲା
ଭୁୁବନେଶ୍ୱର : ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କ୍ୟାନସର ହସ୍ପିଟାଲ । ସୋମବାର ଦିନ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତି ଗ୍ରହଣ କରାଯାଇଛି ।
ବାଗଚୀ-ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ କ୍ୟାବିନେଟ୍ ମଂଜୁରୀ ମିଳିଛି । ଏଥିପାଇଁ ସୁବ୍ରତ ବାଗଚି ଓ ସସ୍ମିତା ବାଗଚି ୨୧୦ କୋଟି ଟଙ୍କା ଅନୁଦାନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । କ୍ୟାନସର ହସ୍ପିଟାଲ ପାଇଁ ଇନଫୋସିଟି-୨ରେ ରାଜ୍ୟ ସରକାର ୨୦ ଏକର ଜମି ଯୋଗାଇଦେବେ । ଜାନୁଆରୀ ୨୦୨୪ ସୁଦ୍ଧା ୨୫୦ ଶଯ୍ୟାରେ ଚିକିତ୍ସା ସୁବିଧା ମିଳିବ । ପରେ ଶଯ୍ୟା ସଂଖ୍ୟା ୫ଶହକୁ ବୃଦ୍ଧି କରାଯିବ । ସଂପୂର୍ଣ୍ଣ ମାଗଣା ଚିକିତ୍ସା ପାଇଁ ୨୫ ପ୍ରତିଶତ ଶଯ୍ୟା ଅଲଗା ରଖାଯିବ ।
ସେହିପରି ଭୁବନେଶ୍ୱରରେ କରୁଣାଶ୍ରାୟ ପାଲିଏଟିଭ କେୟାର ସେଂଟର ପ୍ରତିଷ୍ଠା ପ୍ରସ୍ତାବକୁ ମଧ୍ୟ ମଂଜୁରୀ ମିଳିଛି । ହସ୍ପିସ୍ ଆଧାରିତ ପାଲିଏଟିଭ୍ କେୟାର ବ୍ୟତୀତ ଏହା ଘରୋଇ ପାଲିଏଟିଭ୍ କେୟାର ମଧ୍ୟ ଯୋଗାଇବ । ଏଠାରେ ସ୍ଥାନୀୟ ଡାକ୍ତର , ସ୍ୱାସ୍ଥ୍ୟକର୍ମୀ ଓ ସେବାପ୍ରଦାନକାରୀଙ୍କୁ ତାଲିମ ଦେବ । ସୁବ୍ରତ ବାଗଚି ଓ ସସ୍ମିତା ବାଗଚି ଏହି ପାଲିଏଟିଭ୍ କେୟାର ଅନୁଷ୍ଠାନ ପାଇଁ ୧୩୦ କୋଟି ଟଙ୍କାର ସାୟତା ଦେବେ । ଏହାର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଇନଫୋଭ୍ୟାଲି ନିକଟରେ ୨୦ ଏକର ଜମି ମାଗଣାରେ ଯୋଗାଇ ଦେବେ । ପ୍ରଥମେ ୧୦୦ ଶଯ୍ୟା ସହ ଆରମ୍ଭ ହେବାକୁ ଥିବା ଏହି ପାଲିଏଟିଭ୍ କେୟାର ସେଂଟର ପରେ ସମ୍ପ୍ରସାରିତ ହେବ ଏବଂ ସମସ୍ତ ରୋଗୀଙ୍କୁ ଶତ ପ୍ରତିଶତ ମାଗଣା ଚିକିତ୍ସା ପ୍ରଦାନ କରିବ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ନଅଟି ପ୍ରମୁଖ ନିଷ୍ପତି ନିଆଯାଇଛି । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇସ୍ପାତ ଓ ଖଣି ବିଭାଗ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତିକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ଏହା ମଧ୍ୟରେ ଭୁବନେଶ୍ୱରରେ ଚାଗଚୀ – ଶଙ୍କର କ୍ୟାନ୍ସର କେୟାର ସେଂଟର ଓ ବାଗଚୀ – କରୁଣାଶ୍ରୟ ପାଲିଏଟିଭ କେୟାର ସେଂଟର ପ୍ରତିଷ୍ଠା ,ଏସଟି ଏବଂ ଏସସି ଛାତ୍ରଛାତ୍ରମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଅନ୍ୱେଶା ଯୋଜନାକୁ ୫ ବର୍ଷ ଯାଏଁ ବୃଦ୍ଧି ଆଦି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଅର୍ନ୍ତଭୁକ୍ତ ।
ଓଏସଜେଏସ୍ ଓ ଓଜେଏସ୍ ନିୟମାବଳୀରେ ସଂଶୋଧନ କରିବା ନିଷ୍ପତିକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ଏହାଦ୍ୱାରା ନିଯୁକ୍ତି ବର୍ଷ ୧ ଅଗଷ୍ଟ ପରିବର୍ତେ ୧ ଏପ୍ରିଲ ବୋଲି ଗଣାଯିବ । ଜିଲ୍ଲା ଜଜ୍ ଙ୍କ କ୍ୟାଡରରେ ନିଯୁକ୍ତି ପ୍ରକ୍ରିୟାକୁ ସହଜ କରିବା ଏବଂ ନିଯୁକ୍ତି ବର୍ଷରେ ଅଧିକାରୀଙ୍କ ବରିଷ୍ଠତା ପଦ୍ଧତିକୁ ସ୍ଥିର କରିବାପାଇଁ ଏହି ନିଷ୍ପତି ହୋଇଛି । ସେହିପରି ଓଡିଶା ସରକାରୀ କାର୍ଯ୍ୟ ନିୟମାବଳୀର ଦ୍ୱିତୀୟ ଅନୁସୂଚୀ ଧାରା -୧୮ ଅନୁଯାୟୀ ରାଜ୍ୟ କ୍ୟାବିନେଟ୍ ଓଡିଶା ଲୋକସେବା ଆୟୋଗର ୨୦୧୬-୧୭ ବର୍ଷର କାର୍ଯ୍ୟାବଳୀ ସମ୍ବନ୍ଧୀୟ ବାର୍ଷିକ ବିବରଣୀ ଓ ଏହାର ଏକ ସ୍ମାରକପତ୍ର ଓଡିଶା ବିଧାନସଭାରେ ଉପସ୍ଥାପନ କରିବାକୁ ରାଜ୍ୟ କ୍ୟାବିନେଟ୍ ମଂଜୁର କରିଛି ।
ଖଣି କାରବାରକୁ ଅଧିକ ସ୍ୱଚ୍ଛ , ସୁବ୍ୟବସ୍ଥିତ କରିବ ସହିତ ଖଣି ରାଜସ୍ୱ ଆଦାୟ , ଚୋରା ଖଣି କାରବାରକୁ ରୋକିବା ଓ ସରକାରୀ ଅର୍ଥର ବାଟମାରଣାକୁ ପ୍ରତିହତ କରିବାକୁ ‘ଓଡିଶା ଖଣିଜ ପଦାର୍ଥ ଚୋରି, ବେଆଇନ୍ କାରବାର ନରାକରଣ ସଂଶୋଧନ ଅଧିନିୟମ -୨୦୨୧’କୁ ରାଜ୍ୟ କ୍ୟାବିନେଟ୍ ମଂଜୁର କରିଛି । ଓଡିଶା ଅଧସ୍ତନ ମଙ୍ଗଳ ସେବା (ନିଯୁକ୍ତି ଓ ଚାକିରି ସର୍ତାବଳୀ) ନିୟମ ୧୯୯୨ର ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ଓଡିଶା ଅଧସ୍ତନ ମଙ୍ଗଳ ସେବାର ପୁନର୍ଗଠନ ଯୋଗୁଁ ଏହି ସେବାର ଅନ୍ତଭୁକ୍ତ ସହାୟକ ଜିଲ୍ଲା ମଙ୍ଗଳ ଅଧିକାରୀ ପଦବୀକୁ ଉନ୍ନୀତ କରାଯାଇ ଓଡିଶା ମଙ୍ଗଳ ସେବା ବର୍ଗରେ ଅନ୍ତଭୁକ୍ତ କରାଯାଇଛି । ଏହାଯୋଗୁଁ ଅନୁସୂଚିତ ଜନଜାତି , ଅନୁସୂଚିତ ଜାତି , ଅନ୍ୟାନ୍ୟ ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇପାରିବ । ସେହିପରି ଓଡିଶା ମଙ୍ଗଳ ସେବା (ନିଯୁକ୍ତି ଓ ଚାକିରି ସର୍ତାବଳୀ) ନିୟମ ୧୯୯୨ର ସଂଶୋଧନକୁ ମଧ୍ୟ ରାଜ୍ୟ କ୍ୟାବିନେଟ୍ ମଂଜୁରୀ ମିଳିଛି । ଏହା ବ୍ୟତୀତ ଓଡିଶା ଲାବ୍ରୋଟାରୀ ଟେକ୍ନିସିଆନ୍ ସେବା ସଂଶୋଧନ ନିୟମ ୨୦୨୧ କୁ କ୍ୟାବିନେଟ୍ ଅନୁମୋଦନ କରିଛି ।
ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ୨୦୧୫-୧୬ ବର୍ଷରେ ଆରମ୍ଭ ହୋଇଥିବା “ଅନ୍ୱେଶା” ଯୋଜନାର ସଫଳତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରବର୍ତୀ ୫ ବର୍ଷ ନିମନ୍ତେ ଏହାକୁ କାର୍ଯ୍ୟକାରୀ ହେବ । ଏହି ନିଷ୍ପତିକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ଏଥିନିମନ୍ତେ ୨୦୨୦-୨୧ ରୁ ୨୦୨୪-୨୫ ବର୍ଷ ପାଇଁ ୫୬୯.୯୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଆସନ୍ତା ୫ ବର୍ଷ ମଧ୍ୟରେ ୨୫ହଜାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କୁ ବିଭାଗ ଦ୍ୱାରା ପରିଚାଳିତ ଅନ୍ୱେଶା ହଷ୍ଟେଲରେ ରଖାଯାଇ ଶିକ୍ଷାପ୍ରଦାନ କରାଯିବ । ରାଜ୍ୟର ୧୭ଟି ଜିଲ୍ଲାର ୧୭୭ଟି ବିଦ୍ୟାଳୟରେ ୨୧,୬୮୨ ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏଥିରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ସହରାଂଚଳରେ ଅବସ୍ଥିତ ବିଭିନ୍ନ ଖ୍ୟାତି ସମ୍ପନ୍ନ ସରକାରୀ ବେସରକାରୀ ଓ ମାନ୍ୟତାପ୍ରାପ୍ତ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରାଯାଉଛି ।