ବାଲେଶ୍ୱର : ୨୫୦ ଲିଟର କ୍ଷୀରରେ ସ୍ନାନ କଲେ ଗୁଡ଼ବଳଦେବଜୀଉ
![](https://thetruths.in/wp-content/uploads/2021/06/GudBaladevjew.jpg)
ବାଲେଶ୍ୱର : ବାଲେଶ୍ୱର ଜିଲା ସୋର ବ୍ଲକ ଅନ୍ତର୍ଗତ ଗୁଡ଼ ଗ୍ରାମରେ ପ୍ରସିଦ୍ଧ ଲାଭ କରିଥିବା ଗୁଡ଼ ବଳଦେବଜୀଉଙ୍କ ସ୍ନାନ ଉତ୍ସବ ସମ୍ପନ୍ନ ହୋଇଯାଇଛି । ଦେବ ସ୍ନାନ ପୂର୍ଣ୍ଣିମା ଅବସରରେ କୋଭିଡ୍ କଟକଣାନୁସାରେ ଟ୍ରଷ୍ଟ ବୋର୍ଡ଼ ଓ ସେବାୟତଙ୍କ ଦ୍ୱାରା ସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏ ଅବସରରେ ପୂର୍ବାହ୍ନ ୯ଟା ୪୦ମିନିଟ୍ ସମୟରେ ନୀତିପୂଜା ଆରମ୍ଭ କରାଯାଇଥିଲା । ୧୦ଟା ୪୦ରେ ପହଣ୍ଡି ବିଜେ କରାଯାଇ ବଳଦେବଜୀଉଙ୍କୁ ସ୍ନାନମଣ୍ଡପକୁ ଅଣାଯାଇଥିଲା । ଭକ୍ତମାନେ ମାସ୍କ ପିନ୍ଧି କୋଭିଡ୍ କଟକଣା ଅନୁସାରେ ୨୫୦ ଲିଟର ସଂଗୃହିତ କ୍ଷୀରରେ ଶ୍ରୀଜିଉଙ୍କ ସ୍ନାନ କରାଯାଇଥିଲା । ସ୍ନାନ ପରେ ବେଶ କରାଯାଇ ଭୋଗ ଲଗାଯାଇଥିଲା । ସ୍ନାନ ଉତ୍ସବ ସମୟରେ କୌଣସି ଭକ୍ତ ନଥିବାର ଦେଖାଯାଇଥିଲା । ଅପରାହ୍ନ ୫ଟାରେ ଜୀଉଙ୍କୁ ଅଣସର ରଖାଯାଇଥିଲା । ଟ୍ରଷ୍ଟ ବୋର୍ଡ଼ର ଟ୍ରଷ୍ଟି ସମ୍ଭୁନାଥ ପଣ୍ଡା, ସମ୍ପାଦକ ଲୋକନାଥ ପଣ୍ଡା, ସମରେନ୍ଦ୍ର ପଣ୍ଡା, ଦିବାକର ପଣ୍ଡା, ସୁଶାନ୍ତ ପଣ୍ଡା, ଚିଦାନନ୍ଦ ପଣ୍ଡା, ଜଗବନ୍ଧୁ ଜେନା ଓ ବେଣୁଧର ଜେନା ପ୍ରମୁଖଙ୍କ ଦ୍ୱାରା ସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ସେହିପରି ସୋର ବ୍ଲକ ଅନନ୍ତପୁର ଠାରେ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା କରୋନା କଟକଣାରେ ପାଳନ ହୋଇଯାଇଛି । ଏ ଅବସରରେ ସେବାୟତମାନଙ୍କ ଦ୍ୱାରା ଘଣ୍ଟା, ହୁଳୁହୁଳି, କୀର୍ତ୍ତନ ଦ୍ୱାରା ଜଗନ୍ନାଥ, ବଳଭଦ୍ର, ଶୁଭଦ୍ରାଙ୍କୁ ସ୍ନାନ ମଣ୍ଡପକୁ ଅଣାଯାଇଥିଲା । ପୂଜା ନୀତି ପରେ ତିନିଦିଅଁଙ୍କୁ ସୁବାସିତ ଜଳ ଓ କ୍ଷୀରରେ ସ୍ନାନ କରାଯାଇଥିଲା । ପରେ ସଙ୍କୀର୍ତ୍ତନ କରାଯାଇ ଜୀଉମାନଙ୍କୁ ଅଣସର ଘରକୁ ନିଆଯାଇଥିଲା । ଏଥିରେ ମନ୍ଦିର କମିଟିର ସମସ୍ତ ସଦସ୍ୟ, ସେବାୟତ, ଚିତ୍ତଳ ଗାଦି ମନ୍ଦିର, ତାରିଣୀ ମନ୍ଦିର ଓ ମଙ୍ଗଳା ମନ୍ଦିରର ପ୍ରମୁଖ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।