ଉତ୍ତରଓଡ଼ିଶାର ବିକାଶ ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲେଶ୍ୱର କଂଗ୍ରେସ ଏମ୍ପି ପ୍ରାର୍ଥୀ ନବଜ୍ୟୋତି
![](https://thetruths.in/wp-content/uploads/2021/07/IMG_20210716_205114.jpg)
ଭୁବନେଶ୍ବର : ପ୍ରଧାନମନ୍ତ୍ରୀଙ୍କ ‘ମିଶନ ପୂର୍ବୋଦୟ ସଫଳତାର ଚାବିକାଠି ବାଲେଶ୍ବରର ରେଳ ଡ଼ିଭିଜନ ଉପରେ ନିର୍ଭର କରୁଛି। ଯଦି ବାଲେଶ୍ୱର-ନିଳଗିରି ରେଳ ଲାଇନ ଓ ଜଳେଶ୍ୱର-ଦିଘା ରେଳ ଲାଇନ ପ୍ରକଳ୍ପ କାର୍ଯ୍ୟକାରୀ ହୁଏ ତେବେ ବାଣିଜ୍ୟ ପାଇଁ ଅପୂର୍ବ ସୁଯୋଗ ଆଣି ଦେବ। କୌଶଳାତ୍ମକ ଦୃଷ୍ଟି କୋଣରୁ ବାଲେଶ୍ୱର ଜିଲାରେ ରେଳ ଡିଭିଜନ କରାଗଲେ ଏହା କେବଳ ଯେ ଓଡ଼ିଶାର ଆର୍ଥିକ ବିକାଶରେ ସହାୟକ ହେବ ତାହା ନୁହେଁ ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ ମିଶନ’କୁ ଯଥାର୍ଥତାରେ ପରିଣତ କରିବ। ଏହି କାର୍ଯ୍ୟ କେବଳ ବାଲେଶ୍ବରର ପୂର୍ବତନ ଜିଲାପାଳ ତଥା ବର୍ତ୍ତମାନର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ହିଁ ସାକାର କରିପାରିବେ। ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିଜ କାନ୍ଧ ଉପରକୁ ନେଇ ନିର୍ଦିଷ୍ଟ ସମୟ ମଧ୍ୟରେ ଶେଷ କରିବା ଲାଗି ବାଲେଶ୍ବରର କଂଗ୍ରେସ ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଶୁକ୍ରବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।
ଶ୍ରୀ ପଟ୍ଟନାୟକ ପତ୍ରରେ ଦର୍ଶାଇଛନ୍ତି ଯେ ଉତ୍ତର ଓଡ଼ିଶା ସମୁଦାୟ ପୂର୍ବ ଭାରତର ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ଯଦି ଆନ୍ତରତିକତାର ସହିତ ପଦକ୍ଷେପ ନିଆଯାଏ, ତେବେ ଏହା ସମୁଦାୟ ଓଡ଼ିଶାର ଅର୍ଥନୈତିକ ଉନ୍ନତି ସାଧନ କରିପାରିବ । ବାଲେଶ୍ୱର ଉତ୍ତର ଓଡ଼ିଶାର ବାଣିଜ୍ୟିକ ରାଜଧାନୀ ହୋଇଥିବାରୁ ଏଠାରେ ଏକ ରେଳ ଡିଭିଜନର ନିହାତି ଆବଶ୍ୟକତା ରହିଛି। ଏହା ଉତ୍ତର ଓଡ଼ିଶାରେ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହି ସ୍ୱପ୍ନ ସାକାର କରିବା ନିମନ୍ତେ ରେଳବାଇ ଭିତ୍ତିଭୂମି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବାଲେଶ୍ୱର-ନିଳଗିରି ରେଳ ଲାଇନ ସଂଯୋଗ ମଧ୍ୟବର୍ତ୍ତୀ ଏହି ଅଞ୍ଚଳ ସାମାଜିକ ଏବଂ ଅର୍ଥନୈତିକ ଦୃଷ୍ଟିରୁ ପଛରେ ରହିଛି। ଏହି ରେଳଲାଇନ ଯଦି ବାସ୍ତବ ରୂପ ନିଏ ଏବଂ କେନ୍ଦୁଝର ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଏ, ତେବେ ଉକ୍ତ ଅଞ୍ଚଳ ଉତ୍ତର ଓଡ଼ିଶାର ବାଣିଜ୍ୟ ଓ ଶିଳ୍ପର କେନ୍ଦ୍ରସ୍ଥଳ ବାଲେଶ୍ୱର ସହିତ ସଂଯୁକ୍ତ ହୋଇପାରିବ। କେନ୍ଦୁଝର ଲୁହାପଥର, ମାଙ୍ଗାନିଜ ଭଳି ଅନ୍ୟାନ୍ୟ ଗଚ୍ଛିତ ପ୍ରାକୃତିକ ସମ୍ପଦରେ ସମୃଦ୍ଧ, ଯାହାକୁ ଏହି ରେଳଲାଇନ କାର୍ଯ୍ୟକ୍ଷମ ହେଲେ ସହଜରେ ପରିବହନ କରାଯାଇପାରିବ। ଏହି ରେଳଲାଇନ ଉକ୍ତ ଅଞ୍ଚଳର ଶିଳ୍ପାୟନରେ ଉତ୍ପ୍ରେରକ ଭୂମିକା ନିର୍ବାହ କରିବ ଏବଂ ତାହାସହିତ ଅଗଣତି ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ସେହିପରି ଜଳେଶ୍ୱର-ଦିଘା ରେଳ ଲାଇନ ପ୍ରକଳ୍ପ ଏହି କ୍ଷେତ୍ରରେ ରହିଥିବା ଅଞ୍ଚଳ ପ୍ରାଚୀନ ମନ୍ଦିରମାଳା ପାଇଁ ପରିଚିତ, ଯାହା ଅବହେଳାର ସ୍ତୁପ ମଧ୍ୟରେ ଲୁଚି ରହିଛି। ଏହି ଅଞ୍ଚଳ ଆଧ୍ୟାତ୍ମିକ ଏବଂ ପର୍ଯ୍ୟଟନ ସ୍ଥଳ ହେବାର ସାମର୍ଥ୍ୟ ରଖିଛି। ପରିବହନ ଏବଂ ସଂଯୋଗୀକରଣ ବ୍ୟତିରେକ ସବୁଠାରୁ ସୌନ୍ଦର୍ଯ୍ୟମୟ ସ୍ଥଳଗୁଡିକ କେବଳ ପୋଷ୍ଟକାର୍ଡ ଏବଂ ପାଠ୍ୟପୁସ୍ତକ ମଧ୍ୟରେ ଆବଦ୍ଧ ହୋଇ ରହିଯାଇଛି। ସେଥିପାଇଁ ଏହି ସ୍ୱପ୍ନକୁ ସାକାର କରିବା ନିମନ୍ତେ ରେଳବାଇ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଛି। ତତ୍ସହିତ ଏହି ଅଞ୍ଚଳ ଯେହେତୁ ଋତୁକାଳୀନ ବନ୍ୟା ଦ୍ୱାରା ପ୍ରଭାବିତ ହେଉଛି, ସେଥିପାଇଁ ରିଲିଫ କାର୍ଯ୍ୟକ୍ରମ ସମୟରେ ରେଳ ଲାଇନ ବିଶେଷ ସହାୟକ ହୋଇପାରିବ। ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି ଯେ ଋୁପ୍ସା-ବାଙ୍ଗିରିପୋଷି ରେଳ ଲାଇନ ଦ୍ବାରା ଓଡ଼ିଶାର ମୟୁରଭଞ୍ଜ ଜିଲାରେ ମୁଖ୍ୟତଃ ଆଦିବାସୀ ବାସ କରୁଛନ୍ତି, ଯାହା ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ପଛରେ ପଡିଛି,ଏହି ଅଞ୍ଚଳରେ କୌଣସି ଶିଳ୍ପ ନାହିଁ। ପ୍ରସ୍ତାବିତ ରେଳ ଲାଇନ ଓଡ଼ିଶା ଏବଂ ଭାରତର ଅବଶିଷ୍ଟ ଭାଗ ସହିତ ଏହି ଅଞ୍ଚଳକୁ ସଂଯୁକ୍ତ କରିବ ଏବଂ ସେହି ସମୟରେ ଏହି ଅଞ୍ଚଳ ପାଇଁ ଅତୁଳନୀୟ ଅଭିବୃଦ୍ଧି ସୁଯୋଗ ସୃଷ୍ଟି କରିବ, ଯେଉଁ ଅଞ୍ଚଳ ମୟୁରଭଞ୍ଜ (ଓଡ଼ିଶା), ଜାମସେଦପୁର (ଝାଡଖଣ୍ଡ) ଏବଂ ପଶ୍ଚିମ ମେଦିନାପୁର (ପଶ୍ଚିମବଙ୍ଗ)ରେ ପରିବ୍ୟାପ୍ତ ହୋଇଛି। ପ୍ରସ୍ତାବିତ ରେଳ ଲାଇନ ରୁପ୍ସା-ବୁଢାମରା ସେକ୍ସନକୁ ଚକୁଳିଆ (ଝାଡଖଣ୍ଡ) ସହିତ ସଂଯୁକ୍ତ କରିବ। ଏହା ଉକ୍ତ ଅଞ୍ଚଳର ଅଧିବାସୀଙ୍କର ଦୀର୍ଘ ଦିନର ଦାବି ହୋଇ ରହିଆସିଛି। ରୁପ୍ସା-ବୁଢାମରା ସେକ୍ସନର ଉନ୍ନତିସାଧନ ଏବଂ ଚକୁଳିଆ ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ରେଳବାଇ ଦ୍ୱାରା ବିଧିବଦ୍ଧ ସର୍ବେକ୍ଷଣ ପରେ ୨୦୦୯ରେ ଅନୁମୋଦନ କରାଯାଇଥିଲା। ଉତ୍ତର ଓଡ଼ିଶା ଜନସାଧାରଣ ବର୍ଷ ବର୍ଷ ଧରି ଦାରିଦ୍ର୍ୟ ଏବଂ ଅବହେଳାର ଶିକାର ହୋଇଆସିଛନ୍ତି। ତଥାପି ନିଜ ହକ୍ ପାଇଁ ସେମାନେ ଦୃଢତାର ସହିତ ଲଢେଇ କରୁଛନ୍ତି। ସେମାନେ ଭାରତର ସବୁଠାରୁ ପରିଶ୍ରମୀ ଲୋକଙ୍କ ମଧ୍ୟରେ ଅନ୍ୟତମ। ସେମାନଙ୍କୁ ଏହି ସୁଯୋଗ ମିଳିଲେ, ସେମାନେ ନିଜ ଅଞ୍ଚଳର ଭାଗ୍ୟ ବଦଳାଇଦେବାର ଦୃଢ ଇଛାଶକ୍ତି ସେମାନଙ୍କ ଠାରେ ରହିଛି। ଏହି ବିପ୍ଳବକୁ ଉତ୍ପ୍ରେରିତ କରିବା ଦିଗରେ ରେଳବାଇ ନିର୍ଣ୍ଣାୟକ ଭୂମିକା ନେଇପାରିବ ବୋଲି ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି।