କୋଭିଡରେ ମୃତ୍ୟୁ ହେଲେ କର୍ମଚାରୀଙ୍କ ପରିବାରକୁ ୨ ବର୍ଷ ଯାଏଁ ଦରମା ଦେବ ବଜାଜ ଅଟୋ

ନୂଆଦିଲ୍ଲୀ : ଦେଶରେ କରୋନା ମୃତକଙ୍କ ସଂଖ୍ୟା ୨ ଲକ୍ଷ ଟପିଛି । ସଂକ୍ରମଣ ରୋକିବା ପାଇଁ ଅନେକ କମ୍ପାନୀ ସାମ୍ନାକୁଆସୁଛନ୍ତି । ଏହି ସଙ୍କଟ ବେଳେ ବଜାଜ ଅଟୋ ଏକ ବଡ ନିଷ୍ପତ୍ତି ନେଇଛି । କୋଭିଡ-୧୯ କାରଣରୁ ଯେଉଁ କର୍ମଚାରୀମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାରକୁ ୨ ବର୍ଷ ଯାଏଁ ଦରମା ପ୍ରଦାନ କରାଯିବ । କେବଳ ଏତିକି ନୁହେଁ, ମୃତକଙ୍କ ପିଲାଛୁଆଙ୍କ ପାଠପଢା ଖର୍ଚ୍ଚ ମଧ୍ୟ କମ୍ପାନୀ ବହନ କରିବ । ପୁଣେ ସ୍ଥିତ ଅଟୋ ମୋବାଇଲ ସଂସ୍ଥା ପକ୍ଷରୁ ବୟାନ ଜାରି କରାଯାଇଛି ଯେ, କମ୍ପାନୀ ପକ୍ଷରୁ ଦିଆଯାଇଥିବା ମେଡିକାଲ ବୀମାକୁ ୫ ବର୍ଷ ଯାଏଁ ବୃଦ୍ଧି କରାଯିବ । ଏହି ଲାଭ ବଜାଜ ଅଟୋ ଦ୍ୱାରା ଆଗତ ହୋଇଥିବା ଦ୍ୱିତୀୟ ଜୀବନ ବୀମାରୁ ଭଲ । ଏହାସହ ଯଦି କୌଣସି କର୍ମଚାରୀ କୋଭିଡରେପ୍ରାଣ ହରାନ୍ତି ତାଙ୍କ ପରିବାରକୁ ୨ ବର୍ଷ ଯାଏଁ ମାସିକ ୨ ଲକ୍ଷ ହିସାବରେ ଦରମା ମିଳିବ ।
ଆହୁରି ମଧ୍ୟ ମୃତକଙ୍କ ସର୍ବାଧିକ ୨ ଜଣ ସନ୍ତାନଙ୍କୁ ଦ୍ୱାଦଶ ଶ୍ରେଣୀ ଯାଏଁ ପାଠପଢା ପାଇଁ ବାର୍ଷିକ ୧ ଲକ୍ଷ ଟଙ୍କା କମ୍ପାନୀ ବହନ କରିବ । ସେହିପରି ସ୍ନାତକ ପାଇଁ କମ୍ପାନୀ ପକ୍ଷରୁ ୫ ଲକ୍ଷ ଟଙ୍କା ବହନ କରାଯିବ । ଏହି ସହାୟତା ନୀତି ଏପ୍ରିଲ ୧, ୨୦୨୦ରୁ ଲାଗୁ ହେବ ବୋଲି କମ୍ପାନୀ ସ୍ପଷ୍ଟ କରିଛି । ଅର୍ଥାତ ଗତ ବର୍ଷ ପ୍ରାଣ ହରାଇଥିବା କର୍ମଚାରୀମାନେ ମଧ୍ୟ ସୁବିଧାର ଲାଭ ପାଇବେ ।