ଦିନିକିଆରେ ନମ୍ବର ଓ୍ଵାନ ବ୍ୟାଟସମ୍ୟାନ ହେଲେ ବାବର

- ୧୨୫୮ ଦିନ ପରେ ଆଇସିସି ରାଙ୍କିଙ୍ଗର ଶୀର୍ଷ ସ୍ଥାନରୁ ହଟିଲେ ବିରାଟ
ଦୁବାଇ : ଦୀର୍ଘ ୧୨୫୮ ଦିନ ପରେ ଆଇସିସି ଦିନିକିଆ ରାଙ୍କିଙ୍ଗର ଶୀର୍ଷ ସ୍ଥାନରୁ ହଟିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି।ବିରାଟଙ୍କ ଦିନିକିଆ ବାଦଶାହାକୁ ସମାପ୍ତ କରିଛନ୍ତି ପାକିସ୍ତାନର ତାରକା ବ୍ୟାଟସମ୍ୟାନ ବାବର ଆଜମ। ବୁଧବାର ଆଇସିସି ଦିନିକିଆ ମାନ୍ୟତା ଜାରି କରିଛି। ଶେଷ ଥର ୨୦୦୩ରେ ପାକିସ୍ତାନର କୌଣସି ବ୍ୟାଟସମ୍ୟାନ ଶୀର୍ଷରେ ପହଞ୍ଚିଥିଲେ। ୧୮ ବର୍ଷ ପରେ ପାକିସ୍ତାନ ପକ୍ଷରୁ ବାବର ଆଜମ ଏହି ଉପଲବ୍ଧି ହାସଲ କରିଛନ୍ତି। ବାବର ଆଜମ ଓ ବିରାଟ କୋହଲି ଏମିତି ଦୁଇ ଖେଳାଳି ଯିଏ କ୍ରିକେଟ୍ର ତିନି ଫର୍ମାଟ୍ରେ ଟପ୍-୬ରେ ସାମିଲ। ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି) ଅନୁଯାୟୀ, ବାବର ଆଜମ କୋହଲିଙ୍କଠୁ ୮ ପଏଣ୍ଟ ଆଗରେ ଅଛନ୍ତି। ଦକ୍ଷିଣ ଆଫ୍ରିକା ସିରିଜ୍ ପୂର୍ବରୁ ବାବରଙ୍କ ପଏଣ୍ଟ ୮୩୭ ରହିଥିଲା। ମାତ୍ର ପ୍ରଥମ ମ୍ୟାଚ୍ରେ ୧୦୩ ରନ ଇନିଂସରେ ସେ ୮୫୮ ଅଙ୍କରେ ପହଞ୍ଚିଥିଲେ। ଦ୍ଵିତୀୟ ଦିନିକିଆରେ ୩୨ ରନ କରିବାରୁ ୮୫୨ ଅଙ୍କକୁ ଖସିଥିଲେ। ଏହା ବ୍ୟତୀତ ବାବର ଆଜମ ଦିନିକିଆରେ ଏକ ନମ୍ବର, ଟି-୨୦ରେ ତୃତୀୟ ନମ୍ବର ଏବଂ ଟେଷ୍ଟରେ ଷଷ୍ଠ ସ୍ଥାନରେ ଅଛନ୍ତି। ଅନ୍ୟପଟେ କୋହଲି ଦିନିକିଆରେ ଦ୍ଵିତୀୟ, ଟି-୨୦ରେ ପଞ୍ଚମ ଓ ଟେଷ୍ଟରେ ପଞ୍ଚମ ସ୍ଥାନରେ ରହିଛନ୍ତି।

ବାବର ଆଜମ ନିଜ ଦେଶ ପକ୍ଷରୁ ଆଇସିସି ଦିନିକିଆ ମାନ୍ୟତାରେ ଶୀର୍ଷ ସ୍ଥାନ ହାସଲ କରିବାରେ ଚତୁର୍ଥ ଖେଳାଳି ହୋଇଛନ୍ତି। ୨୬ ବର୍ଷୀୟ ବାବର ସେଞ୍ଚୁରିୟନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ର ଅନ୍ତିମ ମୁକାବିଲାରେ ୮୨ ବଲ୍ରୁ ୯୪ ରନର ଇନିଂସ ଖେଳିଥିଲେ। ଏଥିରେ ତାଙ୍କୁ ୧୩ ରେଟିଂ ପଏଣ୍ଟ ମିଳିଛି ଏବଂ ତାଙ୍କର ପଏଣ୍ଟ ସଂଖ୍ୟା ୮୬୫ରେ ପହଞ୍ଚିଛି। ଅନ୍ୟପଟେ କୋହଲି ତିନି ବର୍ଷରୁ ଅଧିକ ସମୟ ଅର୍ଥାତ ୧୨୫୮ ଦିନ ପର୍ଯ୍ୟନ୍ତ ଶୀର୍ଷରେ ଥିଲେ। ବାବର ଆଜମ ନିଜ ଦେଶର ଜାହିର ଅବାସ(୧୯୮୩-୮୪), ଜାଭେଦ ମିଆଁଦାଦ(୧୯୮୮-୮୯) ଓ ମହମ୍ମଦ ୟୁସୁଫ(୨୦୦୩)ଙ୍କ ପରି ଦିନିକିଆରେ ଏକ ନମ୍ବର ବ୍ୟାଟସମ୍ୟାନ ହେବାର ଉପଲବ୍ଧି ହାସଲ କରିଛନ୍ତି।