ଆଝାରୁଦ୍ଦିନଙ୍କୁ ସସପେଣ୍ଡ୍ କଲା ହାଇଦ୍ରାବାଦ କ୍ରିକେଟ ଆସୋସିଏସନ
![](https://thetruths.in/wp-content/uploads/2021/06/Mohammad-Azharuddin.jpg)
ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କୁ ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନର ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି । ଏହା ସହ ତାଙ୍କ ବିରୋଧରେ ଅନେକ ଅଭିଯୋଗ ମଧ୍ୟ ଲାଗିଛି । ନୋଟିସ୍ ଅନୁସାରେ ତାଙ୍କର ସଦସ୍ୟତା ମଧ୍ୟ ଶେଷ କରାଯାଇଛି । ଆସୋସିଏସନର ଅଭିଯୋଗକୁ ଭିତ୍ତି କରି ଏପରି ନିଷ୍ପତ୍ତି ନିଆଯାଇଛି ।
ଏଚସିଏ ନିଲମ୍ବନ ନୋଟିସରେ କହିଛି ଯେ, ସଦସ୍ୟଙ୍କ ଦ୍ୱାରା ଦାଖଲ ଅଭିଯୋଗ ଅନୁସାରେ ଜୁନ ୧୦ ତାରିଖରେ ବୈଠକରେ ଆଝାରୁଦ୍ଦୀନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । କାରଣ ଆଝାରୁଦ୍ଦିନ ନିୟମକୁ ଉଲଙ୍ଘନ କରିଛନ୍ତି । ଅଭିଯୋଗର ତଦନ୍ତ ନସରିବା ଯାଏଁ ତାଙ୍କର ସଦସ୍ୟତା ରବ୍ଦ ରହିବ । ଆହୁରି ମଧ୍ୟ ଆଝାରୁଦ୍ଦୀନ ଦେଶ ବାହାରର ଏଖ କ୍ଲବର ପରାମର୍ଶଦାତା ରହିଛନ୍ତି । ଯାହା ବିସିସିଆଇର ମାନ୍ୟତା ହାସଲ କରିନାହିଁ । ଏହାମଧ୍ୟରେ ଆଝାରୁଦ୍ଦିନ ପ୍ରେସ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ, ତାଙ୍କ ବିରୋଧରେ ଯେଉଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ନିୟମର ବିରୋଧ କରୁଛି । ତାଙ୍କ ବିରୋଧରେ ଷଡଯନ୍ତ୍ର ହୋଇଛି । ଆଜି କ୍ରିକେଟ ପ୍ରଶାସନ ବିପଦରେ ରହିଛି । ଆହୁରି ମଧ୍ୟ ଗଣମାଧ୍ୟମରେ ଭୁଲ୍ ବୟାନ ପ୍ରକାଶ ପାଉଛି । ଖବରର ସଠିକତା ଯାଞ୍ଚ ଜରୁରୀ । ଏହାସହ ସେ ବୋର୍ଡର କିଛି ସଦସ୍ୟଙ୍କୁ ଟାର୍ଗେଟ୍ ମଧ୍ୟ କରିଛନ୍ତି ।