ଏଣିକି ବିମାନ ବନ୍ଦରରେ ଯାତ୍ରୀମାନଙ୍କୁ କ୍ୟୁଆର କୋଡ୍ ସହିତ କରୋନା ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡିବ

ନୂଆଦିଲ୍ଲୀ: ଯଦି ଆପଣ ବର୍ତ୍ତମାନ ବିଦେଶ ଯିବାକୁ ଯୋଜନା କରୁଛନ୍ତି, ତେବେ ବିମାନବନ୍ଦରରେ ଏକ ନୂତନ ନିୟମ ଲାଗୁ ହୋଇଛି । ରିପୋର୍ଟ ଅନୁଯାୟୀ, ବିମାନ ବନ୍ଦରରେ ବିଦେଶ ଯାଉଥିବା ବିମାନ ଯାତ୍ରୀମାନଙ୍କୁ କ୍ୟୁଆର କୋଡ୍ ସହିତ କରୋନା ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡିବ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ ବିମାନ ଯାତ୍ରୀମାନଙ୍କୁ କ୍ୟୁଆର କୋଡ୍ ସହିତ ଆରଟିପିସିଆର ରିପୋର୍ଟ ବିନା ବିମାନରେ ଯିବାକୁ ଅନୁମତି ଦିଆଯିବ ନାହିଁ । ରିପୋର୍ଟ ଅନୁଯାୟୀ, ଯାତ୍ରୀମାନେ କରୋନାର ନକଲି ରିପୋର୍ଟ ଦେଖାଇ ଯାତ୍ରା କରୁଥିବା ଦେଖିବାକୁ ମିଳିଛି। ଆଉ ଏବେ ଲ୍ୟାବ ଏବଂ ରିପୋର୍ଟର ବୈଧତା କ୍ୟୁଆର କୋଡ୍ ମାଧ୍ୟମରେ ପ୍ରକାଶ ପାଇବ।
ସୂଚନା ଯେ, ଦେଶର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ଅନେକ ଦେଶ ବିମାନ ସେବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଗତ ମାସ ୩୦ ଏପ୍ରିଲରେ, ବିମାନ ସେବା ଉପରେ ଜାରି କରାଯାଇଥିବା ଏକ ସର୍କୁଲାରରେ ଆନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ମେ ୩୧,୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏହାସତ୍ତ୍ୱେ ସର୍କୁଲାରରେ ମଧ୍ୟ ସୂଚନା ଦିଆଯାଇଥିଲା ଯେ କେତେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବିଦେଶୀ ବିମାନ ସେବା ପାଇଁ ଅନୁମୋଦନ ଦିଆଯାଇପାରେ। ସର୍କୁଲାରରେ ଦର୍ଶାଯାଇଥିଲା ଯେ ଏହି ନିଷେଧାଦେଶ ଅନ୍ତର୍ଜାତୀୟ କାର୍ଗୋ ଅପରେସନ୍ ଏବଂ ବିମାନରେ ଲାଗୁ ହେବ ନାହିଁ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆମେରିକା, ଫ୍ରାନ୍ସ, ଜର୍ମାନୀ, ସାଉଦି ଆରବ, ଇଣ୍ଡୋନେସିଆ, ଇରାନ, ଇଟାଲୀ, କାମ୍ବୋଡିଆ, ମାଲଦ୍ୱୀପ, ସିଙ୍ଗାପୁର, ଜାପାନ, କୁଏତ, ନେପାଳ, ପାକିସ୍ଥାନ, ପର୍ତ୍ତୁଗାଲ, ବ୍ରିଟେନ ଏବଂ ୟୁଏଇ ଭଳି ଦେଶ ଭାରତରୁ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।