ହିମନ୍ତ ହେବେ ଆସାମ ମୁଖ୍ୟମନ୍ତ୍ରୀ, କାଲି ନେବେ ଶପଥ
ନୂଆଦିଲ୍ଲୀ : ହିମନ୍ତ ବିଶ୍ୱ ଶର୍ମା ହେବେ ଆସାମର ପରବର୍ତ୍ତୀ ନୂଆ ମୁଖ୍ୟମନ୍ତ୍ରୀ । ସେହିପରି ଆସନ୍ତାକାଲି ସେ ଶପଥଗ୍ରହଣ କରିବେ। ଏ ନେଇ ରବିବାର ଗୁଆହାଟିରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବିଜେପି ବିଧାୟକ ଦଳ ବୈଠକରେ ହିମନ୍ତ ବିଶ୍ୱ ଶର୍ମାଙ୍କୁ ନେତା ଚୟନ କରାଯାଇଥିବା ଜଣାପଡିଛି । ଆଜିର ବୈଠକରେ ରାଜ୍ୟ ବିଜେପି ସଭାପତି ସର୍ବାନନ୍ଦ ସୋନୱାଲ ଏବଂ ବିଜେପି ବିଧାୟିକା ନନ୍ଦିତା ଗାର୍ଲୋସା ବିଧାୟକ ଦଳର ନେତା ପାଇଁ ତାଙ୍କ ନାମ ସୁପାରିଶ କରିଥିଲେ ବୋଲି ଜଣାପଡିଛି। ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ଦଳର ସାଧାରଣ ସମ୍ପାଦକ ଅରୁଣ ସିଂହ, ବିଜେପିର ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା ଉପସ୍ଥିତ ଥିଲେ।
ସୂଚନା ଯେ, ବିଧାୟକ ଦଳ ବୈଠକ ପୂର୍ବରୁ ଆସାମର ବିଦାୟୀ ସର୍ବାନନ୍ଦ ମୁଖ୍ୟମନ୍ତ୍ରୀ ସୋନୱାଲ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ପ୍ରଦାନ କରିଥିଲେ। ରାଜ୍ୟ ନେତୃତ୍ବ ପ୍ରସଙ୍ଗରେ ଆଲୋଚନା କରିବା ଲାଗି ଶନିବାର ଦିନ ସର୍ବାନନ୍ଦ ସୋନୱାଲ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଦଳର ଶୀର୍ଷସ୍ତରୀୟ ନେତାମାନଙ୍କ ସହ ଆଲୋଚନା କରିଥିଲେ । ଆଜିର ବୈଠକରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏବଂ ଦଳର ସାଧାରଣ ସମ୍ପାଦକ ଅରୁଣ ସିଂହ କେନ୍ଦ୍ରୀୟ ନିରୀକ୍ଷକ ଭାବେ ଉପସ୍ଥିତ ରହିଥିଲେ । ତେବେ ବିଧାୟକ ଦଳର ନେତା ହେବ ପରେ ହିମନ୍ତ ଶର୍ମା କେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସେ ନେଇ କୌଣସି ସୂଚନା ମିଳିପାରନାହିଁ |