୨୯ରେ ଆଉ ଏକ ଲଘୁଚାପ, ୩ ଦିନ ପ୍ରବଳ ବର୍ଷିବ
![](https://thetruths.in/wp-content/uploads/2022/08/Low-Pressure-4.jpg)
ଭୁବନେଶ୍ୱର : ଚଳିତବର୍ଷ ରାଜ୍ୟରେ ମୌସୁମୀ ବର୍ଷା ସ୍ୱାଭାବିକ ଠୁ ଅଧିକ ରେକର୍ଡ କରାଯାଇଛି। ଗୋଟିଏ ପରେ ଗୋଟିଏ ଲଘୁଚାପ ପଛକୁ ପଛ ହୋଇ ଆସୁଛି । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟାର ବିଭିଷୀକା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଆସନ୍ତା ୨୯ରେ ରାଜ୍ୟରେ ଆଉ ଏକ ଲଘୁଚାପ ସମ୍ଭାବନା। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ ହୋଇପାରେ । ଏହା ପ୍ରଭାବରେ ଉପକୂଳ ଓଡିଶାରେ ସେପ୍ଟେମ୍ବର ୧ରୁ ୩ ଯାଏ ବର୍ଷା ସମ୍ଭାବନା ଅଛି । ତେବେ ଆସନ୍ତା ସପ୍ତାହ ଯାଏ ରାଜ୍ୟରେ ଅଧିକ ବର୍ଷାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।
ଏହି ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ଭାରି ବର୍ଷା ହୋଇପାରେ । ତେବେ ଆସନ୍ତା ସପ୍ତାହ ଯାଏ ରାଜ୍ୟରେ ବିସ୍ତୃତ ବର୍ଷା ସମ୍ଭାବନା କମ୍ । ଗରମ ଯୋଗୁ କିଛି ଜାଗାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୨୩ ଓ ୨୪ରେ ଉପକୂଳରେ ସ୍ୱଳ୍ପ ବର୍ଷା ହୋଇପାରେ । ୨୪ରୁ ୨୬ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପ ବର୍ଷା ହେବ । ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି । ୨୩ରୁ ୨୫କୁ ଛାଡି ଅନ୍ୟ ଦିନ ଉପକୂଳରେ ଟାଣ ଖରା ହେବ । ଆଭ୍ୟନ୍ତରୀଣ ଅଞ୍ଚଳରେ ସେପ୍ଟେମ୍ବର ପ୍ରଥମ ସପ୍ତାହ ଯାଏ ପାଗ ଶୁଖିଲା ରହିପାରେ ବୋଲି ସେ କହିଛନ୍ତି । ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କହୁଛି, ଆସନ୍ତା ୨୩ରେ ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ । ସେହିଭଳି ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୨୪ରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ ବୋଲି କୁହାଯାଇଛି ।
ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ସୁନ୍ଦରଗଡର ବଣାଇରେ ୧୪୦, ରାୟଗଡାର ଆମ୍ବଦୋଳାରେ ୧୦୨, ଦେବଗଡରେ ୯୬, ସୁନ୍ଦରଗଡ ବାରଗାଁରେ ୯୦, କନ୍ଧମାଳ କେ ନୂଆଗାଁରେ ୮୧ ମିମି ବର୍ଷା ହୋଇଛି । ସକାଳୁ ସନ୍ଧ୍ୟା ଭିତରେ ବାଲେଶ୍ୱରରେ ୨୯, ହୀରାକୁଦରେ ୨୨, ସମ୍ବଲପୁରରେ ୧୨ ଓ ସୋନପୁରରେ ୧୦.୮ମିମି ବର୍ଷା ହୋଇଛି ।