ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗୀତାରେ ଉଚ୍ଚଶିକ୍ଷାରେ ଶିଖର ଛୁଇଁ ପାରିବ : ବିଧାୟକ
ସ୍ୱର୍ଣ୍ଣଚୂଡ଼ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ବାର୍ଷିକୋତ୍ସବ
ବାଲେଶ୍ୱର : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧିନସ୍ଥ ମିତ୍ରପୁରରେ ଅବସ୍ଥିତ ସ୍ୱର୍ଣ୍ଣଚୂଡ଼ ମହାବିଦ୍ୟାଳୟରେ ରବିବାର ପୁରାତନ ଛାତ୍ର ସଂସଦ ତରଫରୁ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ପୁରାତନ ଛାତ୍ର ସଂସଦର ସଭାପତି ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବେ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଯୋଗଦେଇ ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗୀତାରେ ସ୍ୱର୍ଣ୍ଣଚୂଡ଼ ମହାବିଦ୍ୟାଳୟ ଉଚ୍ଚଶିକ୍ଷାରେ ଶିଖର ଛୁଇଁ ପାରିବ । ଶିକ୍ଷା ଅନୁଭବର କଥା, ଅନୁଭୂତିର କଥା, ଶିକ୍ଷା ଅଭିଜ୍ଞତାର କଥା , ଶିକ୍ଷା ସଂସ୍ଥାର ମନୋଭାବ ଯାହା ଜୀବନ ନିର୍ମାଣ କରେ ବୋଲି ମତବ୍ୟକ୍ତ କରିଥିଲେ ।
ମୁଖ୍ୟବକ୍ତା ଭାବେ ବରିଷ୍ଠ ଖବରଦାତା ସତ୍ୟଶିବ ଦାସ ଯୋଗଦେଇ ଶିକ୍ଷା ଚେତନଯୁକ୍ତ ହୋଇ ପାରିଲେ ବିପର୍ଯ୍ୟସ୍ତ ବର୍ତ୍ତମାନର ଶିକ୍ଷାକୁ ସୁଧାରି ହେବ ବୋଲି ମତବ୍ୟକ୍ତ କରିଥିଲେ । ବିଶିଷ୍ଟ ବକ୍ତା ଭାବରେ ରାଗ୍ଧା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା କବି ଡ. ଅସୀମା ସାହୁ ଯୋଗଦେଇ ପୁରାତନ ଛାତ୍ରଛାତ୍ରୀ ଗୋଟିଏ ଅନୁଷ୍ଠାନର ମସ୍ତିଷ୍କ ବୋଲି ବର୍ଣ୍ଣନା କରିଥିଲେ । ଉତ୍ସବ ପ୍ରାରମ୍ଭରେ ଆଇକ୍ୟୁଏସିର ଚେୟାରମେନ୍ ଡ. ମନୋରଞ୍ଜନ ଦାସ ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପୁରାତନ ଛାତ୍ରସଂସଦର ସମ୍ପାଦକ ସୁବ୍ରତ କୁମାର ବାର୍ଷିକ ବିବରଣୀ ପଠନ କରିଥିଲେ । ଛାତ୍ରୀଛାତ୍ରଙ୍କ ଦ୍ୱାରା ପ୍ରଥମେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଛାତ୍ର ସଂସଦ ତରଫରୁ ଅଧ୍ୟକ୍ଷ ଡ. ଶରତ ଚନ୍ଦ୍ର ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପୁରାତନ ଛାତ୍ରସଂସଦ ତରଫରୁ ପ୍ରଥମ ବ୍ୟାଚର ଛାତ୍ର ପ୍ରାକ୍ତନ ଭାରତୀୟ ସେନା କର୍ମଚାରୀ ମେଜର ଗୋପାଳ ଚନ୍ଦ୍ର ମହାପାତ୍ର, ଡ. ଅସୀମା ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ କଲେଜ ଅଭିଯାନର ଚେୟାରମ୍ୟାନ ଡ. ମନୋଜ ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଉତ୍ସବରେ ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇଥିବା ବେଳେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।