ଆଜି ବସିବ ସର୍ବଦଳୀୟ ବୈଠକ
- ବିଧାୟକଙ୍କ ପ୍ରସ୍ତାବ ଲୋଡ଼ିବେ ସରକାର
- କରୋନା ମୁକାବିଲା ପାଇଁ ଏକାଠି ହେବେ ଶାସକ-ବିରୋଧୀ
ଭୁବନେଶ୍ୱର : ରାଜ୍ୟରେ କୋଭିଡ୍ ସଂକ୍ରମଣ ଚିନ୍ତାଜନକ ଥିବା ବେଳେ ମୁକାବିଲା ଲାଗି ସୋମବାର ବସିବ ସର୍ବଦଳୀୟ ବୈଠକ । ସ୍ଥିତି ମୁକାବିଲା ଲାଗି ଏକାଠି ହେବେ ବିରୋଧୀ ଓ ଶାସକ । ରାଜ୍ୟରେ କୋଭିଡ୍ ସ୍ଥିତି କିପରି ରହିଛି ଓ ଦ୍ୱିତୀୟ ଲହରରେ କୋଭିଡ୍ ପରିଚାଳନା ଲାଗି ଆଉ କ’ଣ କରିହେବ ସେନେଇ ବିଧାୟକମାନଙ୍କ ପ୍ରସ୍ତାବ ଲୋଡ଼ିଛନ୍ତି ସରକାର । ସେପଟେ ବୈଠକରେ କୋଭିଡ୍ ପରିଚାଳନାରେ କେଉଁଠି ତ୍ରୁଟି ରହିଛି ଓ ସଂକ୍ରମଣ ରୋକିବାକୁ ସରକାର କ’ଣ ପଦକ୍ଷେପ ଦରକାର ସେନେଇ ବିରୋଧୀ ସରକାରଙ୍କ ପାଖରେ ପ୍ରସ୍ତାବ ରଖିବେ ବୋଲି କହିଛନ୍ତି ।
ସୋମବାର ସନ୍ଧ୍ୟା ୫ଟା ୩୦ ମିନିଟରେ ବିଧାନସଭା ସମ୍ମିଳନୀ କକ୍ଷରେ ବୈଠକ ବସିବ । ସବୁ ଦଳର ବିଧାୟକମାନେ ଭାଗ ନେବା ପାଇଁ ବ୍ୟବସ୍ଥା କରାଯାଇଛି। ଖୁବ୍ ଶୀଘ୍ର ବିଧାନସଭା ସଚିବାଳୟ ପକ୍ଷରୁ ସବୁ ବିଧାୟକମାନଙ୍କୁ ଏ ସଂକ୍ରାନ୍ତ ଚିଠି ପଠାଯାଇଛି। ଯଦି କୌଣସି ବିଧାୟକ ବିଧାନସଭା ସମ୍ମିଳନୀ କକ୍ଷକୁ ଆସି ନ ପାରିବେ, ତାହେଲେ ସେ ନିଜ ଜିଲ୍ଲା କିମ୍ବା ନିର୍ବାଚନମଣ୍ଡଳୀରେ ରହି ଭିଡିଓ କନଫରେନ୍ ସିଂ ଜରିଆରେ ଭାଗ ନେଇ ପାରିବେ । କୋଭିଡ୍ ମହାମାରୀର ପ୍ରକୋପ, ସ୍ୱାସ୍ଥ୍ୟସେବା, ଔଷଧ, ଡାକ୍ତର, ନର୍ସ, ଅକ୍ସିଜେନ୍ ସୁବିଧା ଆଦି ଅଭାବ ଓ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିପାରିବେ। ଏହାସହିତ ଆଗକୁ କିପରି ଆହୁରି ଦକ୍ଷତା ଓ ସଫଳତାର ସହ ମହାମାରୀକୁ ସାମ୍ନା କରିହେବ ସେ ନେଇ ସରକାରଙ୍କୁ ପରାମର୍ଶ ବି ଦେଇପାରିବେ।ମହାମାରୀର ମୁକାବିଲା କରିବାପାଇଁ ସର୍ବଦଳୀୟ ବୈଠକ ଡାକିବାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକିଥିବାରୁ କଂଗ୍ରେସ ଏହାକୁ ସ୍ୱାଗତ କରିଛି ।