ରିକ୍ସା ଚାଳକଙ୍କ ଘରେ ଅମିତ ଶାହା କଲେ ଭୋଜନ

୨୦୦ ରୁ ଅଧିକ ସିଟ୍ ଜିତିବା ପାଇଁ କଲେ ଦାବି
କଲିକତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ ୧୦ରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର କରିବାକୁ ଆସିଥିବା କେନ୍ଦ୍ର ଗୃହ ମନ୍ତ୍ରୀ ଅମତି ଶାହା ଆଜି ହାଓଡ଼ା ଜିଲ୍ଲାର ଜଣେ ରିକ୍ସା ଚାଳକ ଘରେ ଭୋଜନ କରିଛନ୍ତି । ସେ ରାଜ୍ୟରେ ୨୦୦ ରୁ ଅଧିକ ଆସନ ଜିତି ସରକାର ଗଠନ କରିବାକୁ ଦାବି କରିଛନ୍ତି । ଏହା ପୂର୍ବରୁ ସେ ସିଂଗୁର ଏବଂ ହାଓଡ଼ାରେ ରୋଡ଼ ଶୋ କରିଥିଲେ ।
ବୁଧବାର ରିକ୍ସା ଚାଳକ ଘରେ ମଧ୍ୟାହ୍ନ ଭୋଜନ ପରେ ଗଣମାଧ୍ୟମରେ ପୁଣି ଥରେ ଦାବି କରିଛନ୍ତି ଯେ, ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ଦୁଇ ଶହରୁ ଅଧିକ ଆସନ ଜିତି ସରକାର ଗଠନ କରିବ । ସେ କହିଛନ୍ତି ଯେ, ତୃତୀୟ ପର୍ଯ୍ୟାୟ ଭୋଟରେ ଭାଜପା ୯୧ ସିଟ ମଧ୍ୟରୁ ୬୮ ସିଟ୍ ରେ ଜିତିବ । କେନ୍ଦ୍ର ଗୃହ ମନ୍ତ୍ରୀ ସିଂଗୁରରେ ରୋଡ଼ ଶୋ କରିବା ପରେ ହାଓଡ଼ାର ଡୋମଜୁର ରେ ମଧ୍ୟ ରୋଡ଼ ଶୋ କରିଥିଲେ । ଶାହା କହିଥିଲେ ଯେ, ତୃତୀୟ ପର୍ଯ୍ୟାୟ ଉତଦାନ ପରେ ଭାଜାପାର ଆକଳନ ଯେ ସେମାନେ ଟିଏମସି, କଂଗ୍ରେସ ଏବଂ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ଠାରୁ ଆଗରେ ଅଛନ୍ତି । ସେ କହିଛନ୍ତି ଯେ, ମୁଁ ହାଓଡ଼ାରେ ବିଜେପି ପ୍ରାର୍ଥୀ ରାଜୀବ ବାନାର୍ଜୀଙ୍କ ପାଇଁ ପ୍ରଚାର କରିବା ପାଇଁ ଆସିଛି । କାର୍ଯ୍ୟକର୍ତା ଏବଂ ଜନସମର୍ଥକ ମାନଙ୍କ ଉତ୍ସାହକୁ ଦେଖି ସେ କହିଛନ୍ତି ଯେ, ରାଜୀବ ଏଠାରେ ବହୁମତ ସହିତ ପଦ୍ମ ଫୁଟାଇବେ । ସେ ହାଓଡ଼ାରେ ଟିଏମସି ଛାଡ଼ି ଭାଜପାରେ ମିଶିଥିବା ପୂର୍ବତନ ମନ୍ତ୍ରୀ ରାଜୀବ ବାନାର୍ଜୀଙ୍କ ପାଇଁ ରୋଡ଼ ଶୋ କରିଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସିଧାସଳଖ ଟାର୍ଗେଟ କରି କହିଛନ୍ତି ଯେ, ତାଙ୍କ ଆଚରଣ ହତାସ ମନୋଭାବ ଦର୍ଶାଉଛି । ମମତା ବାନାର୍ଜୀଙ୍କ ହତାଶା ତାଙ୍କ ଭାଷଣ ଏବଂ ବ୍ୟବହାରରୁ ଜଣାପଡ଼ୁଛି । ତାଙକ ହତାଶା ଜଣାପଡ଼ୁଛି ଯେ, ବିଜେପି ନିର୍ବାଚନ ଜିତୁଛି । ପଶ୍ଚିମବଙ୍ଗର ଜନତା ସୋନାର ବଙ୍ଗଳା ସ୍ଲୋଗାନରେ ନିଜର ବିଶ୍ୱାସ ରଖୁଛନ୍ତି । ବେଙ୍ଗଲରେ ବିଜେପି ଦୁଇ ଶହର ଲକ୍ଷ୍ୟ ଅତିକ୍ରମ କରିବ ବୋଲି ସେ କହିଛନ୍ତି ।