ରାଜ୍ୟରେ ଆଜିଠୁ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ
ଭୁବନେଶ୍ୱର : ଆଜିଠୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ । କରୋନା ସଂକ୍ରମଣ ଯୋଗୁଁ ଏପ୍ରିଲ ୧୯ରୁ ଶିକ୍ଷାନୁଷ୍ଠାନ ବନ୍ଦ ଲାଗି ଏସ୍ଆରସି(ସ୍ବତନ୍ତ୍ର ରିଲିଫ୍ କମିସନର) ନିର୍ଦ୍ଦେଶାବଳୀରେ ସ୍ପଷ୍ଟ କରିଥିଲେ। ଶିକ୍ଷାନୁଷ୍ଠାନ ସମ୍ପର୍କରେ ସବିଶେଷ ଗାଇଡ୍ଲାଇନ୍ ସମ୍ପୃକ୍ତ ବିଭାଗ ଜାରି କରିବ ବୋଲି ଏସ୍ଆରସି ସ୍ପଷ୍ଟ କରିଥିଲେ। ଯାହାକୁ ଆଧାର କରି ଉଚ୍ଚଶିକ୍ଷା ବିଭାଗ, ବୈଷୟିକ ଶିକ୍ଷା ବିଭାଗ ସ୍ୱତନ୍ତ୍ର ଗାଇଡ୍ଲାଇନ୍ ଜାରି କରି ସାରିଛି। କ୍ଲାସ୍ ରେ ପାଠପଢା, ପରୀକ୍ଷା, ପ୍ରାକ୍ଟିକାଲ୍ ବାତିଲ କରାଯାଇଥିବା ବେଳେ ଆଜି ସୁଦ୍ଧା ହଷ୍ଟେଲ ଛାଡ଼ିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିପାଇଁ ହଷ୍ଟେଲ ଛାଡି ଘରମୁହାଁ ହେଉଛନ୍ତି ଛାତ୍ରଛାତ୍ରୀ ।
କରୋନାର ଭୟବହତାକୁ ଦେଖି ବିଶ୍ବବିଦ୍ୟାଳୟ ଓ କଲେଜର ସମସ୍ତ କ୍ଲାସ ଓ ପରୀକ୍ଷା ବାତିଲ କରିଛି ଉଚ୍ଚଶିକ୍ଷା ବିଭାଗ। ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଠିକ୍ ସମୟରେ ସାରିବା ପାଇଁ ଅନଲାଇନ୍ ମୋଡରେ କ୍ଲାସ୍ କରାଯିବ। କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ମୋଟ କ୍ଷମତାର ସର୍ବନିମ୍ନ ୫୦ ପ୍ରତିଶତ ଅଧ୍ୟାପକ ଓ ଅଣଅଧ୍ୟାପକଙ୍କୁ ନେଇ ଆଜିଠୁ ପରିଚାଳିତ ହେବ । ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ପ୍ରିନ୍ସିପାଲମାନେ ଅଫିସ୍ କାର୍ଯ୍ୟ ଓ ଏକାଡେମିକ୍ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ ନିମନ୍ତେ କର୍ମଚାରୀମାନଙ୍କର ରୋଷ୍ଟର ଡ୍ୟୁଟି କରିବେ। ଅଧ୍ୟାପକମାନେ ନିଜର କଲେଜ ଅବା ବିଶ୍ୱବିଦ୍ୟାଳୟରୁ କିମ୍ବା ନିଜ ଘର ଅନଲାଇନରେ କ୍ଲାସ ନେଇପାରିବେ। ସେପଟେ କରୋନା ପାଇଁ ଆଜିଠାରୁ ରାଜ୍ୟରେ ବନ୍ଦ ରହିବ ସ୍ପୋର୍ଟ୍ସ ହଷ୍ଟେଲ୍ । କରୋନା ସ୍ଥିତି ନସୁଧୁରିବା ଯାଏଁ ସ୍ପୋର୍ଟସ ହଷ୍ଟେଲ ବନ୍ଦ ରହିବ ବୋଲି କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।