ଅଭିନେତ୍ରୀ ଜୁହି ଚାୱଲାଙ୍କୁ ଦିଲ୍ଲୀ ହାଇକୋର୍ଟର ଝଟକା
![](https://thetruths.in/wp-content/uploads/2021/06/Juhi-Chawla-and-5g.jpg)
- ୨୦ ଲକ୍ଷ ଟଙ୍କାର ଜରିମାନା
ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ଜୁହି ଚାୱଲାଙ୍କୁ ଝଟକା। ଦିଲ୍ଲୀ ହାଇକୋର୍ଟରେ ବଲିଉଡ ଅଭିନେତ୍ରୀ ୫ଜି ଟେକନୋଲୋଜିକୁ ନେଇ ଦାଏର କରିଥିବା ଆବେଦନ ଖାରଜ ହୋଇଛି। ଏହା ସହ ୨୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି କୋର୍ଟ । ଜଷ୍ଟିସ୍ ଜେଆର ମିଧାଙ୍କ ଖଣ୍ଡପୀଠ ଏହି ମାମଲାର ଉପରେ ଶୁକ୍ରବାର ନିଜର ରାୟ ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ବୁଧବାର ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଶୁଣାଣି ସମୟରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।
କୋର୍ଟ ଫିସ ଭରିନାହାନ୍ତି ଜୁହି ଚାଓ୍ବଲା। ଦେଢ଼ ଲକ୍ଷ ଟଙ୍କା ଗୋଟିଏ ସପ୍ତାହ ଭିତରେ ଜମା କରିବାକୁ ଜୁହିଙ୍କୁ ନିର୍ଦେଶ ଦେଇଛନ୍ତି କୋର୍ଟ। ଜୁହିଙ୍କ ଆବେଦନରେ କୌଣସି ପ୍ରକାର ତଥ୍ୟ ନଥିବା ବେଳେ ନିଜର ପବ୍ଲିସିଟି ପାଇଁ କୋର୍ଟର ସମୟ ନଷ୍ଟ କରିଥିବା ଖଣ୍ଡପୀଠ କହିଛନ୍ତି। ଜୁହି କୋର୍ଟର ଶୁଣାଣି ସମୟର ଭିଡିଓ ବନ୍ଧୁମାନଙ୍କୁ ସେୟାର କରି ଶସ୍ତା ପବ୍ଲିସିଟି କରୁଥିବା ମଧ୍ୟ କୋର୍ଟ କହିଛନ୍ତି। କୋର୍ଟର କାର୍ଯ୍ୟ ପ୍ରଣାଣୀର ଦୂରୁପଯୋଗ କରିଥିବା ନେଇ ଜୁହିଙ୍କ ଉପରେ ଫାଇନ୍ ଲଗାଇଛନ୍ତି କୋର୍ଟ। ତଥ୍ୟ ବିନା ଆବେଦନ ହୋଇଥିବା ନେଇ ଖୋଦ ଆବେଦନକାରୀ ଜାଣିନାହାନ୍ତି। ଏହା ସମ୍ପୂର୍ଣ୍ଣ ଭାବେ ପରାମର୍ଶ ଭିତ୍ତିରେ କରାଯାଇଛି, ଯାହାକି କେବଳ ପବ୍ଲିସିଟି ପାଇଁ ଥିଲା ବୋଲି ଜଜ୍ କହିଛନ୍ତି। ସୂଚନା ଯେ, ଦେଶରେ ୫ଜି ନେଟୱାର୍କ ପ୍ରତିଷ୍ଠା ବିରୋଧରେ ଅଭିନେତ୍ରୀ-ପରିବେଶବିତ୍ ଜୁହି ଚାୱଲା ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଏହା ଦ୍ୱାରା ମଣିଷ, ଜୀବ ଯନ୍ତୁ, ଗଛ ଏବଂ ପରିବେଶ ଉପରେ ବିକିରଣର ପ୍ରଭାବ ସମ୍ବନ୍ଧୀୟ ପ୍ରସଙ୍ଗ ଉତ୍ଥାପନ କରିଥିଲେ ଜୁହି ଚାଓ୍ବଲା ।