ଶ୍ରୀମନ୍ଦିର ଉପରେ ଉଡ଼ିଲା ହେଲିକପ୍ଟର
![](https://thetruths.in/wp-content/uploads/2021/06/Heliceptor-in-Puri.jpg)
ପୁରୀ : ସ୍ନାନବେଦୀରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ନୀତି ଚାଲିଥିବା ବେଳେ ଶ୍ରୀମନ୍ଦିର ବଳୟ ଉପରେ ଏକ ହେଲିକପ୍ଟର ଉଡ଼ିବା ଦେଖିବାକୁ ମିଳିଥିଲା । ଶ୍ରୀମନ୍ଦିର ଅଞ୍ଚଳ ନୋ ଫ୍ଲାଇଂ ଜୋନ୍ ହୋଇଥିବା ବେଳେ ହେଲିକପ୍ଟର ଉଡ଼ିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା । ତେବେ ପୁରୀ ଏସ୍ପି କନଓ୍ୱର ବିଶାଲ ସିଂହ ଏହାକୁ ହାଲୁକା ଭାବେ ନେଇଛନ୍ତି । ଏହାସହ କୌଣସି ବିପଦ ନଥିବା ସେ ଦର୍ଶାଇଛନ୍ତି । ସେ କହିଛନ୍ତି ଯେ, ଶ୍ରୀମନ୍ଦିର ଆକାଶରେ ଉଡ଼ିଥିବା ହେଲିକପ୍ଟରଟି ଭାରତୀୟ ତଟରକ୍ଷୀ ବାହିନୀର । ଏବେ ସିକ୍ୟୁରିଟି ଡ୍ରିଲ ଚାଲିଥିବାରୁ ହେଲକପ୍ଟର ଉଡ଼ିଥାଇପାରେ । ତେବେ ଏନେଇ ଅଧିକ ତଦନ୍ତ କରାଯାଉଥିବା ମଧ୍ୟ ଏସ୍ପି କହିଛନ୍ତି ।
ମହାପ୍ରଭୁଙ୍କ ସ୍ନାନନୀତି ସଂପନ୍ନ ହେବା ପରେ ରାଜନୀତି ଆରମ୍ଭ ହୋଇଥିଲା । ହେଲେ ଗଜପତି ମହାରାଜଙ୍କ ବଦଳରେ ମୁଦିରସ୍ତ ଆସି ଛେରାପହଁରା କରିଥିଲେ । ରାଜନୀତି ସଂପନ୍ନ ପରେ ଆରମ୍ଭ ହୋଇଥିଲା ହାତୀ ବା ଗଜାନନ ବେଶ । ଏହାପରେ ସାହାଣ ମେଲା ଦର୍ଶନ । ସନ୍ଧ୍ୟା ୫ଟାରୁ ୮ଟା ଭିତରେ ବାହୁଡ଼ା ପହଣ୍ଡି କରାଯିବ । ତେବେ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତିରେ ଏଥର ପୁରୀବାସୀ ଓ ଛତିଶା ନିଯୋଗର ସଂପୂର୍ଣ୍ଣ ସହଯୋଗ ରହିଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏବଂ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି । ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶୁଭେଚ୍ଛା ଜଣାଇଛନ୍ତି । ଚତୁର୍ଦ୍ଧା ଦାରୁ ବିଗ୍ରହଙ୍କ ପାଦପଦ୍ମରେ ପ୍ରଣିପାତ କରିବା ସହ ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି । ଏଥିସହ ମାନବ ସମାଜର ମଙ୍ଗଳ, ସୁସ୍ଥ ଓ ନିରାମୟ ଜୀବନ କାମନା କରିଛନ୍ତି ଗଜପତି ମହାରାଜ ।