କଟକ ବାଲିଯାତ୍ରାକୁ ଜାତୀୟ ମର୍ଯ୍ୟାଦା ପ୍ରଦାନ ନିମନ୍ତେ ଦାବି
କଟକ : ଐତିହାସିକ କଟକ ବାଲିଯାତ୍ରାକୁ ଜାତୀୟ ବାଣିଜ୍ୟିକ ଓ ସାଂସ୍କୃତିକ ମର୍ଯ୍ୟାଦା ପ୍ରଦାନ ନିମନ୍ତେ କଟକ ମହାନଗର ନାଗରିକ ମହାସଭା ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରାଯାଇଛି ବୋଲି ମହାସଭାର ସଭାପତି ଡ଼ାକ୍ତର ରବି ରଞ୍ଜନ ସାହୁ ଏକ ପ୍ରେସ୍ ଇସ୍ତାହାରରେ ଦର୍ଶାଇଛନ୍ତି । ଏ ସଂପର୍କରେ ସୂଚନା ପ୍ରଦାନ କରି ଡ଼ାକ୍ତର ସାହୁ ପ୍ରକାଶ କରିଛନ୍ତି ଯେ ପ୍ରାଚୀନ କଳିଙ୍ଗର ସାଧବମାନଙ୍କ ଦରିଆପାରି ବାଣିଜ୍ୟ ଯାତ୍ରାର ସ୍ମୃତି ରୋମନ୍ଥନ ନିମନ୍ତେ କଟକର ମହାନଦୀ ପଠାରେ ସପ୍ତାହବ୍ୟାପୀ ପ୍ରତିବର୍ଷ ପାଳିତ ହୋଇ ଆସୁଥିବା ବାଲିଯାତ୍ରା ଉତ୍ସବରେ ବାଣିଜ୍ୟ ଓ ସଂସ୍କୃତିର ପ୍ରତିଫଳନ ଘଟିଥାଏ । କଟକର ବାଲିଯାତ୍ରା ହଜାର ବର୍ଷର କଟକର ପରମ୍ପରା ଓ ସଂସ୍କୃତି ସହିତ ଜଡ଼ିତ ଏବଂ ପ୍ରାଚୀନ କଳିଙ୍ଗର ସାଧବମାନଙ୍କ ଦରିଆପାରି ଜଳଯାତ୍ରାକୁ ଜନମାନସରେ ଉଜ୍ଜ୍ୱୀବୀତ କରିପାରିଛି । କଟକର ବାଲିଯାତ୍ରାକୁ ଜାତୀୟ ମର୍ଯ୍ୟାଦା ପ୍ରଦାନ କରାଯାଇପାରିଲେ ଏହି ବାଣିଜ୍ୟ ଓ ସାଂସ୍କୃତିକ ମେଳା ସାରା ଦେଶରେ ବ୍ୟବସାୟୀ ଓ ସାଂସ୍କୃତିକ କଳାକାରମାନଙ୍କୁ ବିଶେଷ ଭାବେ ଆକର୍ଷିତ କରିପାରିବ ଏବଂ ବିଭିନ୍ନ ରାଜ୍ୟର ଲୋକେ ଏଥିରେ ଯୋଗ ଦେଇ ବିଭିନ୍ନତା ମଧ୍ୟରେ ଏକତାକୁ ଅନୁଭବ କରିପାରିବେ ବୋଲି ଡ଼ାକ୍ତର ସାହୁ ଦର୍ଶାଇଛନ୍ତି । ରାଜ୍ୟର ଏହି ବୃହତ୍ତମ ବାଣିଜ୍ୟ ଓ ସାଂସ୍କୃତିକ ମେଳା ବାଲିଯାତ୍ରାକୁ ଜାତୀୟ ବାଣିଜ୍ୟିକ ଓ ସାଂସ୍କୃତିକ ମର୍ଯ୍ୟାଦା ପ୍ରଦାନ ନିମନ୍ତେ କଟକ ମହାନଗର ନାଗରିକ ମହାସଭାର ସଭାପତି ଡ଼ାକ୍ତର ସାହୁ ପ୍ରଧାନମନ୍ତ୍ରୀ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ରାଜ୍ୟ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଂସ୍କୃତି ମନ୍ତ୍ରୀ, କଟକ ସାଂସଦ, ବିଧାୟକ, ମେୟର ଓ ରାଜ୍ୟ ୫-ଟି ସଚୀବଙ୍କ ଦୃଷ୍ଟି ଆକର୍ଷଣ କରି ସେମାନଙ୍କୁ ପତ୍ର ଲେଖିଥିବା ଜଣାପଡ଼ିଛି ।