ଝାରଖଣ୍ଡରେ ୮ ଦିନିଆ ଲକ୍ଡାଉନ୍

- ୨୨ ଏପ୍ରିଲ ସକାଳ ୬ଟାରୁ ୨୯ ଏପ୍ରିଲ ସକାଳ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁରକ୍ଷା ସପ୍ତାହ ଘୋଷଣା
- କରୋନା ସଂକ୍ରମଣ ଚେନ୍କୁ ଭାଙ୍ଗିବା ପାଇଁ ସରକାର ଏହି ନିଷ୍ପତି ନେଇଛନ୍ତି
ରାଂଚି : ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଙ୍ଗଳବାର ଦିନ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଝାରଖଣ୍ଡରେ ବଢ଼ୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ଏହି ଚେନ୍କୁ ଭାଙ୍ଗିବା ନିତ୍ୟାନ୍ତ ଆବଶ୍ୟକ । ସେଥିଯୋଗୁଁ ୨୨ ଏପ୍ରିଲ ସକାଳ ୬ଟାରୁ ୨୯ ଏପ୍ରିଲ ସକାଳ ୬ଟା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁରକ୍ଷା ସପ୍ତାହ ସମସ୍ତଙ୍କ ଦ୍ୱାରା ପାଳନ କରାଯିବ ବୋଲି ନିଷ୍ପତି ନିଆଯାଇଛି । ଏହାଦ୍ୱାରା କୋଭିଡ଼-୧୯ ର ଚେନକୁ ଭାଙ୍ଗି ତା ଉପରେ ନିୟନ୍ତ୍ରଣ ଅଣାଯାଇପାରିବ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଝାରଖଣ୍ଡ ଏକ ଗରୀବ ରାଜ୍ୟ । ପ୍ରଥମରୁ ଆମେ ଜୀବନ ଓ ଜୀବିକାକୁ ପ୍ରାଥମିକତା ଦେଇ ଆସିଛୁ । ଏହି କଥାକୁ ଧ୍ୟାନରେ ରଖି ଏହି ନିଷ୍ପତି ନିଆଯାଇଛି । ଆବଶ୍ୟକ ସାମଗ୍ରୀ ର ଦୋକାନକୁ ବାଦ୍ଦେଇ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ । ଭାରତ ସରକାର, ରାଜ୍ୟ ସରକାର ଏବଂ ବେସରକାରୀ କ୍ଷେତ୍ର ଚିହ୍ନିତ କାର୍ଯ୍ୟାଳୟକୁ ଛାଡ଼ି ଅନ୍ୟ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ । କୃଷି, ଉଦୌଗିକ, ନିର୍ମାଣ ଏବଂ ଖଣି କାର୍ଯ୍ୟ ଚାଲୁ ରହିବ । ଧାର୍ମିକ ସ୍ଥାନ ଖୋଲା ରହିବ । କିନ୍ତୁ ଶ୍ରଦ୍ଧାଳୁମାନେ ଯାଇପାରିବେ ନାହିଁ । ପାଂଚରୁ ଅଧିକ ବ୍ୟକ୍ତି ଏକତ୍ରିତ ହେବେ ନାହିଁ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କରୋନାର ସଂକ୍ରମଣକୁ ଜନତାଙ୍କ ସହଭାଗିତାରେ ରୋକାଯାଇ ପାରିବ । ତେଣୁ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ କି ନିହାତି ଆବଶ୍ୟକ ନ ପଡ଼ିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ ।