ବାତ୍ୟା ‘ୟାସ୍’ ମଧ୍ୟରେ ଜନ୍ମନେଲେ ୭୫୦ ଶିଶୁ

ଭୁବନେଶ୍ୱର : ‘ୟାସ୍’ ସାମୁଦ୍ରିକ ବାତ୍ୟାର ଭୟାବହତା ଏବଂ କରୋନା ମହାମାରୀର ଆତଙ୍କ ମଧ୍ୟରେ ବାତ୍ୟା ପ୍ରଭାବିତ ଉପକୂଳବର୍ତୀ ୧୦ଟି ଜିଲ୍ଲାର ଡାକ୍ତରଖାନାଗୁଡ଼ିକରେ ୭୫୦ ଜଣ ଶିଶୁ ଜନ୍ମଲାଭ କରିଛନ୍ତି । ବାତ୍ୟା ‘ୟାସ୍’ର ସମ୍ଭାବ୍ୟ ବିପଦକୁ ଆଶଙ୍କା କରି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ଏହି ୧୦ଟି ଜିଲ୍ଲାରେ ଜୁନ ପ୍ରଥମ ସପ୍ତାହ ମଧ୍ୟରେ ପ୍ରସବ ହେବାକୁ ଥିବା ଗର୍ଭବତୀ ମହିଳାମାନଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ନିମନ୍ତେ ପଦକ୍ଷେପ ନିଆଯାଇଥିଲା ।
ବିଭାଗର ଡିଏସ୍ଡବ୍ଲ୍ୟୁଓ, ସିଡିପିଓ, ଅଙ୍ଗନବାଡ଼ି କର୍ମୀ, ସୁପରଭାଇଜର ଓ ଆଶାକର୍ମୀମାନଙ୍କ ସହାୟତାରେ ୪୫୫୫ ଜଣ ଗର୍ଭବତୀଙ୍କୁ ଚିହ୍ନଟ କରାଯାଇଥିଲା । ତନ୍ମଧ୍ୟରୁ ୨୧୦୭ ଜଣ ଆସନ୍ନ ପ୍ରସବା ମହିଳାଙ୍କୁ ୨୪ ତାରିଖରୁ ହସ୍ପିଟାଲ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ମଇ ୨୫ ଓ ୨୬ ତାରିଖରେ କ୍ରମାଗତ ବର୍ଷା, ପବନ ଓ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ୭୫୦ ଜଣ ଶିଶୁ ପୃଥିବୀର ଆଲୋକ ଦେଖିଛନ୍ତି । ବାଲେଶ୍ୱର-୫୮, ଭଦ୍ରକ-୯୮, କଟକ-୬୧, ଜଗତସିଂହପୁର-୮୪, ଯାଜପୁର-୬୯, କେନ୍ଦୁଝର-୫୫, ମୟୂରଭଞ୍ଜ୩୬, କେନ୍ଦ୍ରାପଡ଼ା-୧୬୬, ଖୋର୍ଦ୍ଧା-୯୫ ଏବଂ ପୁରୀ ଜିଲ୍ଲାରେ ୨୮ ଜଣ ଶିଶୁ ଜନ୍ମ ହୋଇଛନ୍ତି । ସମସ୍ତ ପ୍ରସୂତି ଓ ନବଜାତକ ସୁସ୍ଥ ଅଛନ୍ତି । ତେବେ ବାତ୍ୟା ପ୍ରଭାବିତ ଏହି ଜିଲ୍ଲାଗୁଡ଼ିକରେ ଗର୍ଭବତୀ ଏବଂ ଆସନ୍ନପ୍ରସବାମାନଙ୍କୁ ହସ୍?ପିଟାଲ୍?କୁ ସ୍ଥାନାନ୍ତରଣ କରିବା ବିଭାଗୀୟ କାର୍ଯ୍ୟକର୍ତାଙ୍କ ପାଇଁ ଥିଲା ସବୁଠାରୁ ବଡ଼ ଆହ୍ୱାନ । କିଛି ମହିଳାଙ୍କର ପ୍ରସବ ତାରିଖ ଜୁନ ମାସ ପ୍ରଥମ ସପ୍ତାହରେ ଥିବାରୁ ସେମାନେ ଏବେଠାରୁ ଆସିବାକୁ ଅନିଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ଅଙ୍ଗନବାଡ଼ି ସୁପରଭାଇଜର ଓ କର୍ମୀମାନେ ବାରମ୍ବାର ସେମାନଙ୍କ ଘରକୁ ଯାଇ ସେମାନଙ୍କୁ ବୁଝାଇସୁଝାଇ ହସ୍ପିଟାଲ୍କୁ ଆଣିଥିଲେ ।
ଏ ସଂପର୍କରେ ନିଜର ଅଭିଜ୍ଞତା କହିଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ପ୍ରକଳ୍ପର ଅଙ୍ଗନବାଡ଼ି ସୁପରଭାଇଜର ସ୍ୱିଟସୁମନ୍ ସାହୁ । ଜିଲ୍ଲାରେ ସବୁଠାରୁ ଅଧିକ ପ୍ରଭାବିତ ଏହି ପ୍ରକଳ୍ପର ନରସିଂହପୁର ଗ୍ରାମପଂଚାୟତ ଅଧୀନସ୍ଥ ସ୍ଥିତ କାଳିଦାସପୁର ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କର ୩୦ ମଇରେ ପ୍ରସବ ତାରିଖ ଥିବାରୁ ସେ କୌଣସିମତେ ହସ୍ପିଟାଲ୍କୁ ଯିବାକୁ ରାଜି ହୋଇନଥିଲେ । କିନ୍ତୁ ବାରମ୍ବାର ଅନୁରୋଧ ଏବଂ ପରିସ୍ଥିତିର ଗୁରୁତ୍ୱ ଦୃଷ୍ଟିରୁ ଅଙ୍ଗନବାଡ଼ି କର୍ମୀ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ୨୫ ତାରିଖଦିନ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ । ୨୬ ତାରିଖ ବାତ୍ୟାର ଗମ୍ଭୀରତା ମଧ୍ୟରେ ମହିଳା ଜଣକ ସୁସ୍ଥ ପୁତ୍ରସନ୍ତାନକୁ ଜନ୍ମ ଦେଇଥିଲେ । ଏଥି ପାଇଁ ତାଙ୍କ ପରିବାର ଲୋକମାନେ ଖୁସି ପ୍ରକଟ କରିବା ସହ ସରକାରୀ ତତ୍ପରତା ପାଇଁ ସାଧୁବାଦ ଜଣାଇଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆନୁଷ୍ଠାନିକ ପ୍ରସବ ପାଇଁ ବାରମ୍ବାର ସମୀକ୍ଷା କରିବା ସହ ନିର୍ଦ୍ଦେଶକ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଜିଲ୍ଲାଗୁଡ଼ିକ ସହ ନିୟମିତ ଯୋଗାଯୋଗପୂର୍ବକ ମନିଟରିଂ କରିଥିଲେ । ପ୍ରମୁଖ ଶାସନ ସଚିବ କ୍ଷେତ୍ର କର୍ମଚାରୀମାନଙ୍କ ନିଷ୍ଠାପର ଉଦ୍ୟମ ପାଇଁ ସନ୍ତୋଷ ବ୍ୟକ୍ତ କରିଛନ୍ତି । ପ୍ରକାଶ ଥାଉ କି, ଏହି ଦଶଟି ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗର୍ଭବତୀ ଓ ପ୍ରସୂତୀ ମହିଳାମାନଙ୍କୁ ଦିଆଯାଉଥିବା ଶୁଖିଲା ରାସନକୁ ଆଗାମୀ ଜୁନ ମାସ ପାଇଁ ଆଗୁଆ ପଦକ୍ଷେପ ସ୍ୱରୂପ ଚଳିତ ମଇ ୨୫ ତାରିଖ ସୁଦ୍ଧା ବଂଟନ କରାଯାଇଛି । ହିତାଧିକାରୀମାନେ ଏହାର ସଠିକ୍ ଉପଯୋଗ କରିବା ନିମନ୍ତେ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି ।