୬୬ ଦିନ ପରେ ବଢ଼ିଲା ପେଟ୍ରୋଲ ଏବଂ ଡିଜେଲ ଦର

ନୂଆଦିଲ୍ଲୀ : ଦେଶରେ ପୁଣି ବଢ଼ିଲା ପେଟ୍ରୋଲ ଏବଂ ଡିଜେଲ ଦର । ପ୍ରାୟ ଗତ ୨ ମାସ ହେଲା ଦେଶରେ ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିଲା । ଏହାରି ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ସ୍ଥିର ରହିଥିଲା । କିନ୍ତୁ ଅଚାନକ ୬୬ ଦିନ ପରେ ପୁଣି ଏଥିରେ ବୃଦ୍ଧି ପରିଲକ୍ଷିତ ହୋଇଛି । ନିର୍ବାଚନ ଶେଷ ହେଉ ହେଉ ତୈଳ କମ୍ପାନୀମାନେ ଦର ବଢାଇବା ଆରମ୍ଭ କରିଦେଇଛନ୍ତି । ମଙ୍ଗଳବାର ଦିଲ୍ଲୀରେ ପେଟ୍ରୋଲ ଦର ୧୫ ପଇସା ପ୍ରତି ଲିଟର ବୃଦ୍ଧି ପାଇଥିବା ବେଳେ ଡିଜେଲ ଦର ୧୮ ପଇସା ପ୍ରତି ଲିଟର ବୃଦ୍ଧି ପାଇଛି । ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦.୫୫ ଟଙ୍କା ଏବଂ ଡିଜେଲ ଦର ୮୦.୯୧ ପ୍ରତି ଲିଟର ରହିଛି । ସେହିଭଳି ମୁମ୍ବାଇରେ ପେଟ୍ରୋଲ ଦର ୯୬.୯୫ ଟଙ୍କା ରହିଥିବା ବେଳେ ଡିଜେଲ ଦର ରହିଛି ୮୭.୯୮ ଟଙ୍କା । ଭୁବନେଶ୍ୱରରେ ମଧ୍ୟ ଦୀର୍ଘଦିନ ବ୍ୟବଧାନରେ ବଢିଛି ପେଟ୍ରୋଲ ଏବଂ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୧୫ ପଇସା ବୃଦ୍ଧି ପାଇ ୯୧.୨୭ ଟଙ୍କା ରହିଛି । ସେହିଭଳି ଡିଜେଲ ଦର ୧୯ ପଇସା ବୃଦ୍ଧି ପାଇ ୮୮.୧୭ ଟଙ୍କା ପ୍ରତି ଲିଟର ରହିଛି ।
ସୂଚନା ଯେ, ଦେଶରେ ଶେଷଥର ପାଇଁ ଫେବୃଆରୀ ୨୭ ତାରିଖରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଥିଲା । ପେଟ୍ରୋଲ ୨୪ ପଇସା ଏବଂ ଡିଜେଲ ୧୭ ପଇସା ବୃଦ୍ଧି ପାଇଥିଲା । ଏବେ ଅଚାନକ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ବଡ କଥା ହେଉଛି ଗତ ୨ ମାସ ମଧ୍ୟରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଥିଲେ ସୁଦ୍ଧା ପେଟ୍ରୋଲ ଏବଂ ଡିଜେଲ ଦର ଅପରିବର୍ତ୍ତିତ ରହିଥିଲା । କିନ୍ତୁ ୫ ରାଜ୍ୟ ଏବଂ ଉତ୍ତର ପ୍ରଦେଶ ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷଣା ହେବାପରେ ଅଚାନକ ତେଲ ଦର ବୃଦ୍ଧି ପାଇଛି ।