ଦିଲ୍ଲୀରେ ରବିବାର ଠାରୁ ୨୮ ଟ୍ରେନ୍ ବାତିଲ

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି। ଗୋଟିଏ ପରେ ଗୋଟିଏ କଟକଣା ସରକାର ଲଗାଉଛନ୍ତି। ସଂକ୍ରମଣ ଚେନ୍ ଭାଙ୍ଗିବା ଲକ୍ଷ୍ୟରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ବିଭିନ୍ନ ରାଜ୍ୟରେ ଲକ୍ଡାଉନ୍ ଭଳି କଟକଣା ଲାଗିଥିବା ବେଳେ ଏବେ ଟ୍ରେନ୍ ଚଳାଚଳ ଉପରେ ସଂକ୍ରମଣ ପ୍ରଭାବ ପଡ଼ିବାକୁ ଯାଉଛି। ଦିଲ୍ଲୀରେ ଚଳାଚଳ ହେଉଥିବା ରାଜଧାନୀ, ଶତାବ୍ଦୀ ଏବଂ ଦୂରନ୍ତ ଏକ୍ସପ୍ରେସ୍ ସମେତ ୨୮ ଟ୍ରେନକୁ ମେ ୯ରୁ ବନ୍ଦ କରିବାକୁ ଭାରତୀୟ ରେଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପର୍ରବତ୍ତୀ ନିର୍ଦେଶ ଯାଏ ଏହି ସବୁ ଟ୍ରେନ୍ ଚଳାଚଳ ବନ୍ଦ ରହିବ। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହା ସହ ମୃତକଙ୍କ ସଂଖ୍ୟା ବଢ଼ୁଛି। ଗତ ୨୪ ଘଣ୍ଟାରେ ଦେଶରେ ୪ ଲକ୍ଷ ୧୨ ହଜାର ୨୬୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩,୯୮୦ ଲୋକଙ୍କ ଜୀବନ ନେଇଛି କରୋନା। ଗତବର୍ଷ ଭଳି ପୁଣି କରୋନା ଉଗ୍ରରୂପ ଧାରଣ କରିଥିବା ବେଳେ ପୁଣିଥରେ ଟ୍ରେନ୍ ଚଳାଚଳ ବନ୍ଦ ହେବାକୁ ଯାଉଛି।
ପ୍ରାଥମିକ ପର୍ଯ୍ୟାୟରେ ୨୮ ଟ୍ରେନ୍ ଚଳାଚଳ ବନ୍ଦ ହେଉଥିବା ବେଳେ ଆଗକୁ ଆହୁରି ଟ୍ରେନ୍ରେ ବ୍ରେକ ଲାଗିପାରେ ବୋଲି ଚର୍ଚ୍ଚା ହେଉଛି। ବିଶେଷ କରି ମହାମାରୀ ସମୟରେ ପ୍ରବାସୀ ଶ୍ରମିକ ସ୍ବରାଜ୍ୟ ଫେରିବାକୁ ଟ୍ରେନ୍ ଉପରେ ଭରସା କରୁଥିବା ବେଳେ ଏବେ ରେଳ ବିଭାଗର ଏହି ନିଷ୍ପତ୍ତି ସେମାନଙ୍କ ଚିନ୍ତାକୁ ବଢ଼ାଇବ ନିଶ୍ଚିତ। ଅନ୍ୟପଟେ କରୋନା କାଳରେ ଭାରତୀୟ ରେଳ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଚଳିତବର୍ଷ କରୋନା ସଙ୍କଟ ସମୟରେ ଭାରତୀୟ ରେଳ ପକ୍ଷରୁ ଅକ୍ସିଜେନ୍ ଏକ୍ସପ୍ରେସ୍ ଚଳାଚଳ କରୁଛି। ଗତ ୧୬ ଦିନରେ ପୂରା ଦେଶରେ ପାଖାପାଖି ୨,୦୬୭ ଟନ୍ ଅକ୍ସିଜେନ୍ ପରିବହନ କରିଛି ଭାରତୀୟ ରେଳ।