ଦିଲ୍ଲୀରେ ୧୫% କମିଲା ଘରୋଇ ସ୍କୁଲ ଫି’

ନୂଆଦିଲ୍ଲୀ : ମହାମାରୀ କରୋନା ସମୟରେ ଲୋକେ ଆର୍ଥିକ ସଂକଟ ଦେଇ ଦିନ କାଟୁଥିବା ବେଳେ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର ଅଭିଭାବକମାନଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ଦିଲ୍ଲୀ ସରକାର ଜାତୀୟ ରାଜଧାନୀର ସମସ୍ତ ଘରୋଇ ବିଦ୍ୟାଳୟକୁ ଆଦେଶ ଦେଇଛନ୍ତି ଯେ, ନିଜର ଫି’ରେ ୧୫ ପ୍ରତିଶତ ହ୍ରାସ କରିବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଅଭିଭାବକଙ୍କ ମନରେ ଘରୋଇ ସ୍କୁଲର ଫି’ ସଂପର୍କିତ ଭ୍ରାନ୍ତି ଦୂର କରିବାରେ ସହାୟକ ହେବ । ଏଥି ସହିତ କରୋନା ସଂକଟ ସମୟରେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ପରିବାରକୁ ଆଶ୍ୱସ୍ତି ମିଳିବ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବଡ଼ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି ।
ଦିଲ୍ଲୀରେ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସରକାର ଘରୋଇ ସ୍କୁଲ ଫି’କୁ ନେଇ ଚଳାଇଥିବା ମନମାନି ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଦିଲ୍ଲୀର ସମସ୍ତ ଘରୋଇ ସ୍କୁଲ ନିଜର ଫି’ର ୧୫ ପ୍ରତିଶତ ହ୍ରାସ କରିବେ ବୋଲି କେଜ୍ରିଓ୍ୱାଲ କହିଛନ୍ତି । ଏହି ଆଦେଶ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଲାଗୁ ହେବ । ନିର୍ଦ୍ଦେଶରେ ଆହୁରି ମଧ୍ୟ କୁହାଯାଇଛି ଯେ, ଯଦି ସ୍କୁଲ ଅଭିଭାବକଙ୍କଠୁ ଅଧିକ ଟଙ୍କା ନିଏ ତେବେ ସ୍କୁଲକୁ ଟଙ୍କା ଫେରାଇବାକୁ ପଡିବ କିମ୍ବା ଆସନ୍ତା ବର୍ଷରେ ସାମିଲ କରାଯିବ । କରୋନା ମହାମାରୀ ବେଳେ କେଜ୍ରିଓ୍ୱାଲଙ୍କ ଏହି ନିଷ୍ପତ୍ତି ଅଭିଭାବକଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି । ଗୁରୁବାର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ, କରୋନାରେ ଅଭିଭାବକମାନେ ନାନା ଅସୁବିଧାର ସାମ୍ନା କରୁଛନ୍ତି । ଏହି ସମୟରେ ୧୫ ପ୍ରତିଶତ ଫି ହ୍ରାସ ସେମାନଙ୍କୁ କିଛିଟା ଆଶ୍ୱସ୍ତି ପ୍ରଦାନ କରିବ । ଏପରିକି ଫି’ ନଦେଇଥିଲେ କୌଣସି ସ୍କୁଲ ଛାତ୍ରଛାତ୍ରୀଙ୍କୁ ପାଠପଢା ବା ପରୀକ୍ଷା ଦେବାକୁ ମନା କରିପାରିବ ନାହିଁ । ଏହି ଆଦେଶ ସେହି ସମସ୍ତ ୪୬୦ ଘରୋଇ ସ୍କୁଲରେ ଲାଗୁ ହେବ ଯେଉଁମାନେ ହାଇକୋର୍ଟରେ ଅପିଲ କରିଥିଲେ । ଉଦାହରଣ ସ୍ୱରୂପ, ଯଦି ୨୦୨୦-୨୦୨୧ ଶିକ୍ଷା ବର୍ଷରେ ସ୍କୁଲର ମାସିକ ଫି ୩୦୦୦ ଟଙ୍କା ହୋଇଥାଏ ତେବେ ୧୫ ପ୍ରତିଶତ ହ୍ରାସ ପାଇବା ପରେ ଏହା ୨୫୫୦ ଟଙ୍କା ହୋଇଯିବ । ତେବେ ସ୍କୁଲଙ୍କୁ ସରକାରଙ୍କ ଆଦେଶକୁ ମାନିବାକୁ ହେବ ଯାହାକୁ ଦିଲ୍ଲୀ ସରକାର ୨୦୨୦ ଏପ୍ରିଲ ୧୮ ଓ ୨୮ ତାରିଖରେ ଜାରି କରିଥିଲେ ।