ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବ ସାମ୍ବାଦିକଙ୍କ ମୃତ୍ୟୁ
![](https://thetruths.in/wp-content/uploads/2022/11/Young-Journalist.jpg)
ରୂପ୍ସା : ବାଲେଶ୍ୱର ଜିଲା ରୂପ୍ସା ଥାନା ଅନ୍ତର୍ଗତ ଆଘିରିଆ ଗ୍ରାମର ଯୁବ ସାମ୍ବାଦିକ ରାଜା ଓରଫ୍ ସୁଶାନ୍ତ କୁମାର ବେହେରା (୩୨) ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଶନିବାର ରାତିରେ ପ୍ରାଣ ହରାଇଛନ୍ତି । ହଠାତ୍ ଏଭଳି ଅଭାବନୀୟ ଘଟଣା ଯୋଗୁଁ ପରିବାର ତଥା ଗ୍ରାମରେ ଶୋକର ବାତାବରଣ ଖେଳି ଯାଇଥିଲା।
ସୂଚନା ଯେ, ଘରେ ସାନଭାଇର ଜନ୍ମଦିନ ପାଳନ ଅବସରରେ ପରିବାର ଲୋକେ ଖୁସି ମନାଉଥିଲେ । ଭୋଜିଭାତ ପାଇଁ ପ୍ରସ୍ତୁତି ପର୍ବ ଚାଲିଥିଲା । ରାତିରେ ରୋଷେଇ ଘରକୁ ଆଉ ଏକ ବିଦ୍ୟୁତ୍ ବଲ୍ବ ସଂଯୋଗ କରୁଥିବା ବେଳେ ରାଜା ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । ସାନଭାଇ ବଜାରକୁ ଜନ୍ମଦିନ କେକ୍ ଆଣିବା ପାଇଁ ଯାଇଥିଲେ । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ରାଜାଙ୍କୁ ସ୍ଥାନୀୟ ଲୋକେ ରୂପ୍ସା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ରବିବାର ମୃତଦେହ ବ୍ୟବଚ୍ଛେଦ କରାଇଛି । ମୃତଦେହ ଘରେ ପହଞ୍ôଚବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଖବରଦାତା, ଜନପ୍ରତିନିଧି, ବ୍ୟବସାୟୀ ସେଠାରେ ପହଞ୍ôଚ ଶେଷ ଦର୍ଶନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ନିଆଯାଇ ଗାଁ ଶ୍ମଶାନରେ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହୋଇଥିଲା । ତାଙ୍କ ମୃତ୍ୟୁରେ ରବିବାର ରୂପ୍ସା ବଜାର ବନ୍ଦ ରହିଥିଲା ।