ମନ ଭିତରେ ଚାଲିଥିବା ନକାରାତ୍ମକ ଚିନ୍ତାଧାରାକୁ ନିୟନ୍ତ୍ରଣ କରିବ ଯୋଗ ନିଦ୍ରା! ଜାଣନ୍ତୁ ଏହାର ଉପାୟ

ଶରୀର ଓ ମନକୁ ସୁସ୍ଥ ରଖିବାରେ ଯୋଗ ସାହାଯ୍ୟ କରିଥାଏ। ଏପରିକି ସ୍ବାମୀ ବିବେକାନନ୍ଦ ମଧ୍ୟ ଯୋଗର ମହିମା ସମ୍ପର୍କରେ ବର୍ଣ୍ଣନା କରିବା ସହ ଏହା ଆୟୁ ବୃଦ୍ଧି କରିଥାଏ ବୋଲି କହିଛନ୍ତି। କୋରୋନା କାଳରେ ଲୋକେ ଭୟଙ୍କର ଭାବେ ମାନସିକ ଚାପ, ଅବସାଦ ଓ ଚିନ୍ତାଗ୍ରସ୍ତ ଅଛନ୍ତି। ଏପରିକି କୋରୋନାରୁ ସୁସ୍ଥ ହେବା ପରେ ବି ଅସ୍ତବ୍ୟସ୍ତ ଲାଗିବା ଓ ଚିନ୍ତା ଭଳି ସମସ୍ୟାର ସାମ୍ନା କରୁଛନ୍ତି। ତେଣୁ ଯୋଗ ନିଦ୍ରା ଏହି ସମସ୍ୟାରୁ ମୁକ୍ତି ଦେବାରେ ସାହାଯ୍ୟ କରିବ। ଏହା ବହୁ ପ୍ରାଚୀନ ପଦ୍ଧତି। ଏହାଦ୍ବାରା ମସ୍ତିଷ୍କ ଶାନ୍ତ ରହେ। ମନ ଭିତରେ ଚାଲିଥିବା ନକାରାତ୍ମକ ଚିନ୍ତାଧାରା ଉପରେ ନିୟନ୍ତ୍ରଣ ଆଣିପାରିବେ।
ଯୋଗ ନିଦ୍ରା କରିବାର ଉପାୟ :
ଯୋଗ ନିଦ୍ରା କରିବାର ଅଭ୍ୟାସ ଖୋଲା ସ୍ଥାନରେ କରନ୍ତୁ। ଘର ଭିତରେ ଏହି ଯୋଗ କରୁଥିଲେ ଝରକା କବାଟ ଖୋଲା ରଖନ୍ତୁ। ଭୂମିରେ ଦରି ପାରି ଏହା ଉପରେ କମ୍ବଳ ବିଛାନ୍ତୁ। ଢିଲା କପଡ଼ା ପିନ୍ଧି ଶବାସନ କରି ଶୋଇ ଯାଆନ୍ତୁ। ଦୁଇ ଗୋଡ଼ ପାଖାପାଖି ୧ ଫୁଟ ଦୂରରେ ରଖନ୍ତୁ। ହାତକୁ ଅଣ୍ଟା ଠାରୁ ୬ ଇଞ୍ଚ ଦୂରରେ ରଖନ୍ତୁ ଓ ଆଖି ବନ୍ଦ କରନ୍ତୁ। ଶରୀରକୁ ଢିଲା ଛାଡ଼ନ୍ତୁ। ମନେ ରଖନ୍ତୁ ଶରୀରକୁ ହଲାନ୍ତୁ ନାହିଁ। ମନରେ ଚାଲୁଥିବା ବିଚାରକୁ ଶାନ୍ତ ରଖନ୍ତୁ। ଏବେ ଆଖି ବନ୍ଦ କରି ଡାହାଣ ପାଦ ଆଡ଼କୁ ଧ୍ୟାନ ନିଅନ୍ତୁ। କିଛି ସମୟ ଧ୍ୟାନ ସେହିଠାରେ ରଖନ୍ତୁ। ଏହାପରେ ବାମ ଆଣ୍ଠୁ ଓ ଜଂଘ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ।
ଏହାପରେ ଜନନେନ୍ଦ୍ରିୟ, ପେଟ, ନାଭି, ଛାତି, ହାତ, ହାତ ଆଙ୍ଗୁଠି ଓ ମୁହଁ ଯାଏ ଧ୍ୟାନ ନିଅନ୍ତୁ। ଏହାପରେ ନିଃଶ୍ବାସ ଛାଡ଼ନ୍ତୁ ଓ ପ୍ରଶ୍ବାସ ନିଅନ୍ତୁ। ଏହି ସମୟରେ ଅନୁଭବ କରନ୍ତୁ ଆପଣ ନିଜର କୌଣସି ପସନ୍ଦର ଶାନ୍ତ ସ୍ଥାନରେ ଅଛନ୍ତି। ନିଜ ଶରୀରରୁ ଧ୍ୟାନ ବାହାର କରି ଧ୍ୟାନ କେନ୍ଦ୍ରିତ କରିଥିବା ବାହାରର ପରିବେଶ, ପବନର ସ୍ପର୍ଶ, ପକ୍ଷୀଙ୍କ କଳରବ, ବୃକ୍ଷ ହଲିବର ଶବ୍ଦ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ। ଡାହାଣ ଆଡ଼କୁ କଡ଼ ଲେଉଟାଇ ବାମ ନାକରେ ନିଶ୍ବାସ ଛାଡ଼ନ୍ତୁ। ୫ରୁ ୧୦ ମିନିଟ ପରେ ଧିରେ ଧିରେ ଆଖି ଖୋଲନ୍ତୁ।