ଶୀତରେ ପୁଣି ବର୍ଷା, ଘନକୁହୁଡି଼ ପାଇଁ ୮ ଜିଲାକୁ ୟେଲୋ ଆଲର୍ଟ
![](https://thetruths.in/wp-content/uploads/2022/01/Winter-in-Rain-1024x569.jpg)
୨୬ରୁ ପୁଣି ବଢିବ ଶୀତ, ଥରିବ ଓଡିଶା
ଭୁବନେଶ୍ୱର : ବର୍ଷା ପରେ ପୁଣି ଫେରିବ ଶୀତ, ଢାଙ୍କିବ କୁହୁଡି ଚାଦର । ଉପାନ୍ତରୁ ଉପକୂଳ ଥରିବ ଓଡି଼ଶା। ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଦୁଇ ଦିନ ପରେ ଆଭ୍ୟନ୍ତରୀଣ ଓଡି଼ଶା ସମେତ ଉପକୂଳ ଓଡିଶାରେ ପାରା କମିବ। ଫଳରେ ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ ହେବା ସହ ପୁଣି ଏକ ସପ୍ତାହ ପର୍ଯ୍ୟନ୍ତ ଜାଡରେ ଥରିବ ଓଡି଼ଶା।
ଏହାସହ ଆସନ୍ତା ତିନି ଦିନ ଯାଏଁ ଘନ କୁହୁଡି ରାଜ୍ୟର ଅଧିକାଂଶ ଜିଲାରେ ରାତି ୧୦ ରୁ ସକାଳ ୧୦ ପର୍ଯ୍ୟନ୍ତ କମିବ ଦୃଶ୍ୟମାନ ଦୂରତା । ବାୟୁମଣ୍ଡଳର ସ୍ଥିରତା ଏବଂ ପ୍ରଚୁର ପରିମାଣର ଜଳୀୟବାଷ୍ପ ଉପସ୍ଥିତି ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡି ପାଇଁ ୮ ଟି ଜିଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ଅନୁଗୋଳ, ଢେଙ୍କାନାଳ ଏବଂ କେନ୍ଦୁଝର ଜିଲାକୁ ସତର୍କତା ଜାରି କରାଯାଇଛି।
ସେହିପରି ୨୬ ତାରିଖରେ ୧୦ ଟି ଜିଲା ଓ ୨୭ ତାରିଖରେ ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାକୁ ସତର୍କତା ଜାରି କରିଛି କେନ୍ଦ୍ର। ସେପଟେ ଝାଡ଼ଖଣ୍ଡ ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡା, ମାଲକାନଗିରି ଏବଂ କୋରାପୁଟ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡି଼ ବିଜୁଳି ସହ ବର୍ଷା ହେବ। ସେହିପରି ୨୬ ତାରିଖରେ ମଧ୍ୟ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କିଛି ଜିଲାରେ ବଜ୍ରପାତ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ ଘନ କୁହୁଡି ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି ହୋଇଥିବା ଜିଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି। ଘନ କୁହୁଡି଼ରେ ଗାଡି ଚାଳନା ଉପରେ ସତର୍କ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।