ବିଶ୍ବର ସବୁଠୁ ଦାମୀ ନମ୍ବର ପ୍ଲେଟ୍, ୧୨୨.୬ କୋଟି ଟଙ୍କାରେ ହେଲା ବିକ୍ରି
![](https://thetruths.in/wp-content/uploads/2023/04/Most-Expensive-Number-Plate.jpg)
ନୂଆଦିଲ୍ଲୀ : ଆପଣ ଅନେକ ଦାମୀ କାର୍ ବିଷୟରେ ନିଶ୍ଚୟ ଶୁଣିଥିବେ। ମର୍ସିଡିଜ୍, ଅଡି ଭଳି କାର୍ ନିର୍ମାତା କମ୍ପାନୀ ଅନେକ ଦାମୀ କାର୍ ତିଆରି କରିଥାନ୍ତି। ଯାହାର ମୂଲ୍ୟ କୋଟି କୋଟିରେ ରହିଥାଏ। କିନ୍ତୁ କ’ଣ ଆପଣ ଶୁଣିଛନ୍ତି ଯେ କାର୍ର ନମ୍ବର ପ୍ଲେଟ୍ ଦାମ୍ ମଧ୍ୟ କୋଟିରେ ହୋଇପାରେ। ତେବେ ଆଜି ଆମେ ଆପଣଙ୍କୁ ଏହି ଦାମୀ ନମ୍ବର ପ୍ଲେଟ୍ ବିଷୟରେ କହିବୁ।
ଦୁବାଇରେ ଅମିରାତ୍ ଅକ୍ସନ ଏଲଏଲସି ତରଫରୁ ଆୟୋଜିତ ହୋଇଥିବା ଏକ ନିଲାମୀ କାର୍ଯ୍ୟକ୍ରମରେ ଏହି ଦାମୀ ନମ୍ବର ପ୍ଲେଟର ନିଲାମ ହୋଇଛି। ନିଲାମୀରେ ଭିଆଇପି କାର୍ ନମ୍ବର ପ୍ଲେଟ୍ ‘ପି୭’ ୫୫ ନିୟୁତ ଦିରହମ ବା ପ୍ରାୟ ୧୨୨.୬ କୋଟି ଟଙ୍କାରେ ବିକ୍ରି ହୋଇଛି। ଯାହା ଦୁନିଆର ସବୁଠୁ ଦାମୀ ନମ୍ବର ପ୍ଲେଟ୍ ଭାବରେ ଗିନିଜ୍ ଓ୍ବାର୍ଲ୍ଡ ରେକର୍ଡରେ ପାଲଟିଛି। ତେବେ ଏହାକୁ କିଣିଥିବା ବ୍ୟକ୍ତି ନାମ ପ୍ରଘଟ ନହେବାକୁ ସର୍ତ୍ତ ରଖିଥିଲେ। ଏହି ଆୟୋଜନରେ ଅନ୍ୟ ଭିଆଇପି ନମ୍ବର ପ୍ଲେଟ୍ ଏବଂ ଫୋନ୍ ନମ୍ବର ମଧ୍ୟ ନିଲାମ ହୋଇଥିଲା।
ନିଲାମରେ ‘ପି୭’ ନମ୍ବର ପ୍ଲେଟ୍ରେ ସବୁଠୁ ଅଧିକ ନିଲାମ ଡକାଯାଇଥିଲା। କାରଣ ଲୋକେ ୨୦୦୮ର ରେକର୍ଡ ଭାଙ୍ଗିବାକୁ ଚାହୁଥିଲେ। ୨୦୦୮ରେ ଆବୁଧାବୀର କାର୍ ନମ୍ବର ୧ ପ୍ଲେଟ୍ ୫୨.୨ ନିୟୁତ ଦିରହମ ବା ପ୍ରାୟ ୧୧୬.୩ କୋଟି ଟଙ୍କାରେ ବିକ୍ରି ହୋଇଥିଲା। ଯାହାକୁ ବ୍ୟବସାୟୀ ସୟିଦ୍ ଅବଦୁଲ ଗଫର ଖୌରୀ କିଣିଥିଲେ। ଏହି ନିଲାମୀରେ ଟେଲିଗ୍ରାମର ସଂସ୍ଥାପକ ପାଭେଲ ଦୁରୋବ ମଧ୍ୟ ଭାଗ ନେଇଥିଲେ। ୨୦୧୬ରେ ବ୍ୟବସାୟୀ ବଲବିନ୍ଦର ସିଂହ ସାହନୀ ଡି୫ ନମ୍ବର ପ୍ଲେଟ୍କୁ ୩୩ ନିୟୁତ ଦିରହମରେ କିଣିଥିଲେ।
ସୂଚନା ଥାଉ ଦୁବାଇ ଧନୀ ଲୋକଙ୍କ ପାଇଁ ନିଜ ସମ୍ପତ୍ତି ଦେଖାଇବା ହେଉ ଅବା କର ବିହୀନ ଜୀବନ ଯାପନ ପାଇଁ ଉତ୍ତମ ସ୍ଥାନ ଭାବରେ ରହିଆସିଛି। ତେବେ ନିଲାମୀରୁ ମିଳିଥିବା ଆୟ ‘୧ ବିଲିୟନ ମୀଲ ଏଣ୍ଡୋମେଣ୍ଟ’ କ୍ୟାମ୍ପେନ୍କୁ ସହଯୋଗ କରାଯିବ। ଏହି ଅଭିଯାନର ଲକ୍ଷ୍ୟ ରମଜାନ ପାଇଁ ଖାଦ୍ୟ କୋଷ ପ୍ରସ୍ତୁତ କରିବା। ଏହି ଅଭିଯାନ, ୟୁଏଇର ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଦୁବାଇର ଶାସକ ଶେଖ ମୋହମ୍ମଦ ବିନ ରାଶିଦ ଅଲ ମକତୂମ ବୈଶ୍ବିକ ସ୍ତରରେ ଖାଦ୍ୟାଭାବକୁ ଦୂରା କରିବା ପାଇଁ ପାଇଁ ଆରମ୍ଭ କରିଥିଲେ।