ବିଶ୍ୱ ହୃଦୟ ଦିବସ : ହୃଦ୍ରୋଗରୁ ରକ୍ଷା କରିବ ବ୍ୟବସ୍ଥିତ ଜୀବନ ଶୈଳୀ
ଆମ ପ୍ରତ୍ୟେକଙ୍କର ଜୀବନ ହୃଦୟକୁ ନେଇ । ହୃଦୟ ଖୁସି ହୋଇପାରେ, ଦୁଃଖିତ ବି, ଯନ୍ତ୍ରଣା ବି ପାଇପାରେ ଆଉ ମୁର୍ମୁଷୁବି । ଜୀବନ ସଞ୍ଚାରରେ ହୃତ୍ପିଣ୍ଡ ନରହିଲେ ମଣିଷ ଜୀବନର ଗଠନ ହିଁ ନାହିଁ । ଆଜିର ସମୟରେ ସବୁଠାରୁ ଯନ୍ତ୍ରଣା, ସବୁଠାରୁ ହାତ ପାହାନ୍ତାର ରୋଗ ହେଉଛି ହୃଦ୍ରୋଗ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ ପ୍ରତି ବର୍ଷ ପାଖାପାଖି ୧କୋଟି ୭୦ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଅସ୍ୱାଭାବିକ ହୃଦ୍ରୋଗ ଶିକାରରେ ସେମାନଙ୍କ ପ୍ରାଣବାୟୁ ଉଡିଯାଉଛି । ଯାହାର ବଡ଼ କାରଣ ହେଉଛି ଶାରୀରିକ ପରିଶ୍ରମର ଅଭାବ, ଧୂମ ଓ ନିଶା ସେବନ, ମାନସିକ ଚାପ, ଖାଦ୍ୟପେୟ ଓ ବିଶ୍ରାମର ଅନିୟମିତତା ।
ହୃଦ୍ରୋଗ ହେଉଛି ମୁଖ୍ୟତଃ ଚାରିପ୍ରକାରର । ହୃତ୍ପିଣ୍ଡ ଧମନୀରେ ରକ୍ତପ୍ରବାହରେ ବାଧା ହୋଇ ସୃଷ୍ଟି ହୋଇଥିବା ହୃଦରୋଗ, ଜନ୍ମଗତ ହୃଦ୍ରୋଗ, ରକ୍ତଚାପ ଜନିତ ହୃଦ୍ରୋଗ ଓ ଆଣ୍ଠୁଗଣ୍ଠି ବାତ ଜନିତ ହୃଦ୍ରୋଗ । ବର୍ତ୍ତମାନର ଅବ୍ୟବସ୍ଥିତ ଜୀବନଶୈଳୀ, କର୍ମଚାପ ଭିତରେ ଖାଦ୍ୟ ଓ ବିଶ୍ରାମର ଅଭାବ ଏହାର ମୁଖ୍ୟ କାରଣ । ଏହାସହ ନିଶା ସେବନ ଅନ୍ୟ ଏକ କାରଣ ଏବଂ କର୍ମ ଓ ବ୍ୟସ୍ତତା ଅନୁଯାୟୀ ନିଦ୍ରା ଅଭାବରୁ ରକ୍ତଚାପ, ବହୁମୂତ୍ର, ଓଜନ ବଢ଼ିବା ଏବଂ ମାନସିକ ଅବସାଦରୁ ହୃଦ୍ରୋଗର ସମ୍ଭାବନା ବଢ଼ିଯାଏ ।
ଛାତିର ଠିକ୍ ମଝିରେ ହୃଦୟର ସ୍ଥାନ । ଏହାର ଡାହାଣ ଭାଗ କେବଳ ଫୁସ୍ଫୁସ୍କୁ ରକ୍ତ ଯୋଗାଏ ଓ ବାମ ଭାଗ ଶରୀରର ଅବଶିଷ୍ଟ ଅଙ୍ଗକୁ ରକ୍ତ ପ୍ରବାହିତ କରିଥାଏ । ଜଣେ ବଡ଼ ଲୋକର ହୃଦୟର ଓଜନ ପାଖାପାଖି ୩୫୦ଗ୍ରାମ ଯାହାକି ୧୨ସେଣ୍ଟିମିଟର ଲମ୍ବ ଓ ୮ ସେଣ୍ଟିମିଟର ଚଉଡା । ଏକ ମିନିଟରେ ହୃଦୟଟି ୭୨ଥର ଭାବରେ ଦିନରେ ୧,୦୩,୬୮୦ ଥର ସ୍ପନ୍ଦିତ ହୋଇଥାଏ ।
ବର୍ତ୍ତମାନ ସମୟରେ ଅଧିକାଂଶ ଯୁବବର୍ଗ ଏହି ହୃଦ୍ରୋଗର ଶିକାର ହେଉଛନ୍ତି । ଏହା ହିଁ ଆଜିର ସମୟରେ ବହୁତ ବଡ଼ ସମସ୍ୟା । ଅନ୍ତତଃ ପକ୍ଷେ ମାସକୁ ଥରେ ଉପବାସ ରହିବା ଦ୍ୱାରା ହୃଦ୍ଘାତ ଆଶଙ୍କା ହ୍ରାସ ପାଏ । ଅଲିଭ ତେଲ ହୃତ୍ପିଣ୍ଡଜନିତ ସମସ୍ୟା ହ୍ରାସ କରିପାରେ । ଅଲିଭ ତେଲରେ ଥିବା କାରକ ବିରୋଧୀ ବା ଆଣ୍ଟି ଅକ୍ସିଡାଣ୍ଟ ପଲିଫିନଲ୍ ହିଁ ଏଥିପାଇଁ ଦାୟୀ । ଏହା ଅଲିଭ ତେଲ ବ୍ୟତୀତ ଅନ୍ୟ କୌଣସି ବୀଜରୁ ପ୍ରସ୍ତୁତ ତୈଳରୁ ମିଳି ନଥାଏ । ହଳଦୀରେ ଥିବା କୁର୍ଜମିନ ନାମକ ଔଷଧୀୟ ପଦାର୍ଥ ହୃଦ୍ରୋଗରୁ ରକ୍ଷା କରିଥାଏ । ବର୍ଷକୁ ଅନ୍ତତଃ ଦୁଇଥର ରକ୍ତଦାନ ଦ୍ୱାରା ହୃଦ୍ରୋଗର ଆଶଙ୍କାକୁ କମ୍ କରିହେବ । ଶରୀରରେ ଲୌହ ପରିମାଣ ଅଧିକ ହେଲେ ଏହା କ୍ରମେ ଜମାଟି ବାନ୍ଧି ରକ୍ତ ଧମନୀର କ୍ଷତି ପହଞ୍ଚାଇଥାଏ । ଏହାଦ୍ୱାରା ରକ୍ତ ପ୍ରବାହ ବାଧା ପାଇ ଭବିଷ୍ୟତରେ ହୃଦ୍ରୋଗର କାରର ହୋଇଥାଏ । ତେବେ ରକ୍ତଦାନ କରିବା ଦ୍ୱାରା ଶରୀରରେ ଥିବା ଅତିରିକ୍ତ ଲୌହ ବା ଆଇରନ ଅଂଶ ନିର୍ଗତ ହୋଇଯାଇଥାଏ । ଚାପମୁକ୍ତ ସନ୍ତୁଳିତ ଜୀବନଶୈଳୀ ଅନେକ ରୋଗରୁ ରକ୍ଷା କରିଥାଏ । ନିଶାଦ୍ରବ୍ୟ ସେବନଠାରୁ ଦୂରେଇ ରୁହନ୍ତୁ । ଏହା ହୃଦ୍ରୋଗକୁ ଆମନ୍ତ୍ରଣ କରିଥାଏ । ପ୍ରତିଦିନ କିଛି ସମୟ ବ୍ୟାୟାମ କରିବା ଦ୍ୱାରା ହୃଦ୍ଘାତରୁ ରକ୍ଷା ମିଳିପାରିବ । ତେଣୁ ଦୈନନ୍ଦିନ ଜୀବନଶୈଳୀରେ ବ୍ୟାୟାମକୁ ସାମିଲ କରନ୍ତୁ । ଦୈନିକ ଅତି କମ୍ରେ ଅଧଘଣ୍ଟା ବ୍ୟାୟାମ କରନ୍ତୁ ।
ହୃଦ୍ରୋଗ ପାଇଁ ଓଜନ ବୃଦ୍ଧି ବା ମେଦ ବହୁଳତା ୩୨ ଭାଗ ଦାୟୀ । ତେଣୁ ଶରୀରର ଗଢ଼ଣ ଓ ବୟସ ଅନୁସାରେ ଓଜନ କେତେ ରହିବା ଆବଶ୍ୟକ, ତାହା ଜାଣନ୍ତୁ । ଆବଶ୍ୟକତା ଠାରୁ ଅଧିକ ଓଜନ ଥିଲେ, ତାହାକୁ କିପରି ସନ୍ତୁଳିତ ସ୍ତରକୁ ଆଣିହେବ; ସେଥିନେଇ ଡାକ୍ତରଙ୍କ ପରାମର୍ଶ କରନ୍ତୁ । ହୃଦ୍ସ୍ପନ୍ଦନ ହିଁ ଆମ ଜୀବନ ଆଉ ସମ୍ପର୍କର ପ୍ରମାଣ । ତେଣୁ ହୃଦୟକୁ ସୁସ୍ଥ ରଖିବାକୁ ହେବ । ଜଣଙ୍କ ବୟସ ୩୦ରୁ ୫୦ ବର୍ଷ ଭିତରେ ଥିବା ସମୟରେ ନିଜ ଓଜନ ଉପରେ ନିୟନ୍ତ୍ରଣ ରଖିବା ଖୁବ୍ ଜରୁରୀ । କାରଣ ଏ ସମୟରେ ଓଜନ ବଢ଼ିବାର ଆଶଙ୍କା ଅଧିକ । ଓଜନ ବୃଦ୍ଧି ହୃଦ୍ରୋଗ ସହ ବହୁ ରୋଗକୁ ଜନ୍ମ ଦେଇପାରେ । ତେଣୁ କୋଲେଷ୍ଟେରୋଲ୍ ଯୁକ୍ତ ଖାଦ୍ୟ ସହ ଆଳୁ, ଭାତ ଆଦି କମ୍ ଖାଇବା ଆବଶ୍ୟକ । ଫଳ, ଗଜାମୁଗ, ବୁଟ ଓ ଦଲିଆ ଆଦି ଲୋକ ଗ୍ଲାଇସେମିକ୍ ଇଣ୍ଡେକ୍ସ ଯୁକ୍ତ ଖାଦ୍ୟ ସୁସ୍ଥ ହୃଦୟ ପାଇଁ ଖୁବ୍ ଉପଯୋଗୀ । ଏହି ବୟସରେ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗ ହେଲେ ଡାକ୍ତରଙ୍କ ପରାମର୍ଶରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷଣ କରାଇନେବା ଆବଶ୍ୟକ । ଏ ବୟସ ପାଇଁ କଠୋର ବ୍ୟାୟାମ ସ୍ୱାସ୍ଥ୍ୟ ଅପେକ୍ଷା ହାଲ୍କା ବ୍ୟାୟାମ ଆବଶ୍ୟକ । ତେବେ ଦ୍ରୁତ ପ୍ରାତଃଭ୍ରମଣ ଖୁବ ଉପଯୋଗୀ । ୱାକିଂ ସ୍ପିଡ୍ ଠିକ୍ ଅଛି ନା ନାହିଁ ତାହା ନିଜେ ଜାଣିପାରିବେ । ଉଦାହରଣ ସ୍ୱରୂପ ଚାଲିବା ବେଳେ ଯଦି କୌଣସି ବାକ୍ୟକୁ ଆରାମରେ କହିପାରୁଛନ୍ତି, ତାହେଲେ ଜାଣନ୍ତୁ ଗତି ଧିମା ଅଛି । ଅଧା ବାକ୍ୟ ଠିକ୍ରେ କହିପାରୁ ନଥିଲେ ଜାଣନ୍ତୁ ଅଧିକ ଅଛି । ଯଦି ବାକ୍ୟଟି କଷ୍ଟରେ କହିପାରୁଛନ୍ତି ତାହେଲେ ବୁଝି ନିଅନ୍ତୁ ଗତି ଠିକ୍ ଅଛି ।
ବୟସ ୫୧ ଛୁଇଁଲେ ଖାଦ୍ୟ ପାନୀୟରେ ଆଧିକ୍ୟରୁ ଦୂରେଇ ରହିବା ଉଚିତ । ଖାଦ୍ୟପାନୀୟ ବା ମଦର ଅଧିକ ମାତ୍ରା ଏ ବୟସରେ ଚିନ୍ତାଜନକ । ଏ ବୟସରେ ପାଦ ଦେବା ପରେ ଗରିଷ୍ଠ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ଖାଦ୍ୟରେ ସାଲାଡ଼, ସବୁଜ ପନିପରିବା ଓ ଫଳକୁ ପ୍ରାଧାନ୍ୟ ଦିଅନ୍ତୁ । ଅଳ୍ପ ଅଳ୍ପ କରି ଦିନରେ ୬ଥର ଖାଇବା ଦରକାର । ୫୧ ବର୍ଷରୁ ଅଧିକ ବୟସର ଲୋକମାନେ କଠୋର ବ୍ୟାୟାମ ଓ ଅଧିକ ଶାରୀରିକ ପରିଶ୍ରମ କରିବା ଉଚିତ ନୁହେଁ । ଦିନରେ ୪୫ ମିନିଟ୍ ପର୍ଯ୍ୟନ୍ତ ଚାଲନ୍ତୁ । ଏ ବୟସରେ ଅବସାଦ ସମସ୍ୟା ଅଧିକ ଥାଏ, ଯାହା ହୃଦ୍ ସମସ୍ୟାକୁ ଡାକି ଆଣିପାରେ । ଏ ସ୍ଥିତିରେ ମନସ୍ତତ୍ୱ ବିଶେଷଜ୍ଞ ମାନଙ୍କ ପରାମର୍ଶ ନେବା ଆବଶ୍ୟକ । ଏ ବୟସରେ ଜୀବନର ସଫଳତା ଓ ବିଫଳତାକୁ ନେଇ ମସ୍ତିଷ୍କରେ ଅଙ୍କକଷା ଚାଲିଥାଏ । ଏଥିରୁ ନିଜକୁ ମୁକୁଳେଇବା ପାଇଁ ଧ୍ୟାନ କରନ୍ତୁ । ନିୟମିତ ରକ୍ତ, ଇସିଜି, ଟିଏମ୍ଟି, ଶର୍କରା ଆଦି ପରୀକ୍ଷଣ କରାଇନିଅନ୍ତୁ । ହୃଦ୍ରୋଗର ସମ୍ଭାବନା ଆଶଙ୍କା ହେଲେ ଏହାର ବିଭିନ୍ନ ପ୍ରକାର ପରୀକ୍ଷା ବ୍ୟବସ୍ଥା ରହିଛି ଯେପରି ଇସିଜି ବା ଇକେଜି, ଚେଷ୍ଟ ଏକ୍ସ-ରେ, ଷ୍ଟ୍ରେସ୍ ଟେଷ୍ଟ, ଇକୋ କାର୍ଡିଓଗ୍ରାମ, କାର୍ଡ଼ିଆକ୍ କେଥେଟରାଇଜେସନ୍, ଇଲେକ୍ଟ୍ରୋ ଭିଜିଓଲୋଜି ଟେଷ୍ଟ, ସିଟି ହାର୍ଟ ସ୍କାନ, ହାର୍ଟ ଏମ୍ଆର୍ଆଇ, ପେସମେକର ଓ ଆଞ୍ଜିଓପ୍ଲାଷ୍ଟ, କୋଲେଷ୍ଟେରୋଲ ଇତ୍ୟାଦି ।
ପ୍ରତିମାସରେ ଥରେ ଉପବାସ ରହିବା ଖୁବ୍ ଭଲ । ନିଜକୁ ଚାପମୁକ୍ତ କରି ନିଶା ଦ୍ରବ୍ୟ ଠାରୁ ଦୂରେଇ ରହିଲେ ଏହା ହୃଦ୍ରୋଗର ଆଶଙ୍କା ରଖନ୍ତା ନାହିଁ । ପ୍ରତିଦିନ କିଛି ସମୟ ବ୍ୟାୟାମ ଓ ମେଦବହୁଳତା ଠାରୁ ଦୂରେଇ ରୁହନ୍ତୁ । ରକ୍ତରେ କୋଲେଷ୍ଟେରୋଲ ପରିମାଣ ବଢ଼ିଗଲେ ହୃଦ୍ରୋଗ ହେବାର ଆଶଙ୍କା ରହିଥାଏ ଏଣୁ ରକ୍ତଚାପ ଓ କୋଲେଷ୍ଟେରୋଲ ନିୟମିତ ବ୍ୟବଧାନରେ ପରୀକ୍ଷା କରନ୍ତୁ । ସୁଷମ ଖାଦ୍ୟ, ସବୁଜ ପନିପରିବା, ଫଳ ବହୁତ ଭଲ । ଅଧିକ ତେଲ ମସଲା, ରାଗ, ଘିଅ, ଲହୁଣୀ, ମାଂସ ଠାରୁ ଦୂରେଇ ରୁହନ୍ତୁ । ନିଜ ଖାଦ୍ୟରେ ଯେପରି କମ୍ ଲୁଣ ବ୍ୟବହାର ହୋଇଥାଏ ସେ ଦିଗକୁ ନଜର ରଖନ୍ତୁ କାରଣ ଲୁଣ ହିଁ ହୃଦ୍ଘାତ ଓ ଷ୍ଟ୍ରୋକର ମୁଖ୍ୟ କାରଣ । ବିଶ୍ୱସ୍ତରରେ ଘଟୁଥିବା ଅକାଳ ମୃତ୍ୟୁର ମୁଖ୍ୟ କାରଣ ହେଉଛି ହୃଦ୍ଘାତ ଓ ହୃଦ୍ରୋଗ । ବ୍ୟବସ୍ଥିତ ଜୀବନ ଶୈଳୀ ନିଶ୍ଚିନ୍ତ ଭାବରେ ଆପଣ ମାନଙ୍କୁ ହୃଦ୍ରୋଗକୁ ରକ୍ଷା କରିବ ଏ ବିଶ୍ୱାସ ରଖନ୍ତୁ ।