ରାଜ୍ୟରେ ଆଜି ଠାରୁ କମିବ ଶୀତ, ଦକ୍ଷିଣ ଓଡ଼ିିଶା ସମେତ କିଛି ଜିଲାରେ ବର୍ଷା
![](https://thetruths.in/wp-content/uploads/2022/07/Rain-1024x536.jpg)
Julia Sudnitskaya/Getty Images
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ପ୍ରଭାବରେ ସମୁଦ୍ରରୁ ସ୍ଥଳଭାଗକୁ ଜଳୀୟବାଷ୍ପ ଆସିବ । ଏହା ରାତି ତାପମାତ୍ରା ବଢ଼ାଇବ । ଫଳରେ ରାଜ୍ୟରେ ଆଜି ଠାରୁ କମିବ ଶୀତ। ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ନ ପଡ଼ିଲେ ବି ହାଲୁକା ପ୍ରଭାବ ରହିବ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିିଶା ସମେତ କିଛି ଜିଲାରେ ବର୍ଷା ହେବ । ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।
ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ଗୁରୁବାର ସକାଳ ସୁଦ୍ଧା ଏହା ଉତ୍ତର ତାମିଲନାଡୁ ଓ ପଣ୍ଡିଚେରୀ ଏବଂ ଏହାର ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ । ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବନି ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ୧୦ରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ୧୧ରେ ମାଲକାନଗିରି, କୋରାପୁଟ, ରାୟଗଡା ଓ ନବରଙ୍ଗପୁରରେ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି ।
ଏନେଇ ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଦକ୍ଷିଣ ବଙ୍ଗୋପସାଗର ଉପକୂଳରେ ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ୯ ଓ ୧୦ ତାରିଖ ପାଗ କୋହଲା ରହିବ । ୯ରେ ରାତି ତାପମାତ୍ରା ୪ ଡିଗ୍ରୀ ବଢ଼ିଯିବ । ଦିନରେ ପାଗ କୋହଲା ରହିବ । ପରବର୍ତ୍ତୀ ୫ଦିନ ଯାଏ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ । ୯ ତାରିଖରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ପ୍ରାୟ ୩ ଡିଗ୍ରୀ ବଢ଼ିବ । ୧୦ରେ ରାତି ସମୟର ତାପମାତ୍ରା ପ୍ରାୟ ୫ ଡିଗ୍ରୀ ବଢ଼ିବ । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୯ ତାରିଖରେ ରାତି ତାପମାତ୍ରା ପ୍ରାୟ ୬ ଡିଗ୍ରୀ ବଢ଼ିଯିବ । ୧୦ରେ ଏଠାରେ ୨-୩ ଡିଗ୍ରୀ ତାପମାତ୍ରା କମିବ । ସକାଳ ସମୟରେ କୁହୁଡ଼ି ଅନୁଭୂତ ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।
ସେହିପରି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁଙ୍କ ଆକଳନ ଅନୁସାରେ, ବାତ୍ୟା ପ୍ରଭାବରେ ସ୍ଥଳଭାଗକୁ ଜଳୀୟବାଷ୍ପ ଆସିବ । ଏହା ଶୀତ କମାଇବ । ଗୁରୁବାର ରାତିରୁ ଶୀତ କମିବ । ୧୬ ଯାଏ ଶୀତ କମ୍ ରହିବ । ୯ରେ ପୁରୀ, ଖୋର୍ଦ୍ଧା ସମେତ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ ।