କିଏ ହେବେ ଗୁଜରାଟର ମୁଖ୍ୟମନ୍ତ୍ରୀ? ରେସ୍ରେ ଅନେକ ଦାବିଦାର
![](https://thetruths.in/wp-content/uploads/2021/09/Gujurat-CM.jpg)
ଅହମ୍ମଦାବାସ : ଗୁଜରାଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିଜୟ ରୁପାଣୀ। ରୁପାଣୀଙ୍କ ଇସ୍ତଫା ପରେ ଏବେ ଗୁଜରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଆରମ୍ଭ ହୋଇଛି ମାନସମନ୍ଥନ । ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ବିଜେପିର ଅନେକ ନେତା ଅଛନ୍ତି। ରେସରେ ଅନେକ ଦାବିଦାର ଥାଇ ମଧ୍ୟ ନୀତିନ ପଟେଲଙ୍କ ନାଁ ସର୍ବାଗ୍ରେ ରହିଛି । ପଦ ଲାଗି ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କ ନାଁକୁ ନେଇ ବେଶି ଚର୍ଚ୍ଚା ଲାଗି ରହିଛି । ସେହିଭଳି ରାଜ୍ୟ କୃଷିମନ୍ତ୍ରୀ ଆର୍.ସି. ଫାଲ୍ଡୁ, କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଏବଂ ମନସୁଖ ଲାଲ୍ ମାଣ୍ଡବ୍ୟଙ୍କ ନାମ ବି ଚର୍ଚ୍ଚା ହେଉଛି । ସେହିପରି ମାଣ୍ଡବ୍ୟ ପ୍ରଭାବଶାଳୀ ପଟିଦାର ସମ୍ପ୍ରଦାୟର ହୋଇଥିବାରୁ ସେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଆଗଧାଡ଼ିରେ ଥିବା କୁହାଯାଉଛି । ଏହା ବ୍ୟତୀତ ଦାଦ୍ରା ଓ ନଗର ହାଭେଲି ଏବଂ ଡାମନ୍ ଓ ଡିଉ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସକ ଥିବା ପ୍ରଫୁଲ୍ଲ ଖୋଡ଼ା ପଟେଲଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି ।
ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବ, ସେ ନେଇ ଶୀଘ୍ର ବିଜେପି ବିଧାୟକ ଦଳର ବୈଠକ ଡକାଯାଇପାରେ। ଗତ ୨୦୧୬ ଅଗଷ୍ଟରେ ଆନନ୍ଦୀବେନ୍ ପଟେଲ ଇସ୍ତଫା ଦେବା ପରେ ନୀତିନ ପଟେଲ୍ ମୁଖ୍ୟମନ୍ତ୍ରୀ ହେବା ନେଇ ଆଲୋଚନା ହେଉଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ବିଜୟ ରୂପାନୀଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ଏବେ ନୀତିନଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସୋସିଆଲ ମିଡିଆରେ ଦାବି ହେଉଛି । ଅନ୍ୟପକ୍ଷରେ ଗତ କିଛି ମାସ ଧରି ବିଜେପି ରାଜ୍ୟଗୁଡ଼ିକରେ ମୁଖ୍ୟମନ୍ତ୍ରୀ ଅଦଳବଦଳ କରୁଛି। ପ୍ରଥମେ ଦୁଇଥର ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କୁ ବଦଳା ଯାଇଥିଲା। ନିକଟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ବିଏସ୍ ୟେଦୁରପ୍ପାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ଉତ୍ତରାଖଣ୍ଡର ତୀରଥ ସିଂହ ରାୱତଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ପୁଷ୍କର ସିଂହ ଧାମୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରିଥିଲା। ଉତ୍ତରାଖଣ୍ଡରେ ମଧ୍ୟ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବ। କର୍ଣ୍ଣାଟକରେ ପାର୍ଟି ୟେଦୁରପ୍ପାଙ୍କ ସ୍ଥାନରେ ବସବରାଜ ବୋମ୍ମଇଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା। ସେହିପରି ଆସାମରୁ ସର୍ବାନନ୍ଦ ସୋନୋୱାଲ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।