ଲିଭର ସିରୋସିସ୍ ରୋଗ କ’ଣ, କାହିଁକି ହୁଏ? ଜାଣନ୍ତୁ ଏହାର ଲକ୍ଷଣ ଓ ପ୍ରତିକାର
ଲିଭର ସିରୋସିସ୍ ରୋଗରେ ପୀଡିତ ହୋଇ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ପରେ ଲୋକଙ୍କ ମନରେ ଛନକା ପଶି ଯାଇଛି । ଏହି ଲିଭର ସିରୋସିସ୍ ରୋଗ କ’ଣ, କାହିଁକି ଏହି ରୋଗ ହୁଏ ? ଏହି ରୋଗ ହେଲେ ଏହାର ପ୍ରତିକାର କ’ଣ ?
ଲିଭର ସିରୋସିସ୍ ରୋଗ କ’ଣ :
ଲିଭର ସିରୋସିସ୍ ହେଉଛି ଯକୃତକୋଶର କ୍ଷୟ ରୋଗ । ଲିଭରଜନିତ ରୋଗର ଏହା ହେଉଛି ଶେଷ ଷ୍ଟେଜ୍ । ଏହି ରୋଗ ହେଲେ ଲିଭର ଭିତରେ କଳା ଚିହ୍ନ ଭଳି ଟିସୁ ତିଆରି ହୁଏ । ଲିଭରରେ ଥିବା ଏହି କଳା ଚିହ୍ନକୁ ଫିବ୍ରୋସିସ୍ ଟିସୁ ବୋଲି କୁହାଯାଏ । ଏହି ଟିସୁ ତିଆରି ହେଲେ ଲିଭରର ରୋଗ ପ୍ରତିିରୋଧକ ଶକ୍ତି କମିଯାଏ । ଫିବ୍ରୋସିସ୍ ଟିସୁ ଯୋଗୁ ସାଧାରଣ ଟିସୁ ପ୍ରଭାବିତ ହୋଇଥାଏ ।
କାହିଁକି ହୁଏ :
ଲିଭର ସିରୋସିସ୍ ହେବାର ମୁଖ୍ୟ କାରଣ ଅଧିକ ଦିନ ଧରି ମଦ ପିଇବା । ବର୍ଷ ବର୍ଷ ଧରି ମଦ ପିଇବା ଯୋଗୁ ଏଭଳି ରୋଗ ହୋଇଥାଏ । ହିରୋଇନ୍ ଭଳି ଡ୍ରଗ୍ସ ଖାଉଥିବା ଲୋକଙ୍କୁ ମଧ୍ୟ ଏଭଳି ରୋଗ ହୁଏ । ଲିଭରରେ ଚର୍ବି ଜମା ହେବାରୁ ରୋଗ ବଢିଥାଏ ।
ଲକ୍ଷଣ :
ଲିଭର ସିରୋସିସ୍ ରୋଗ ହେଲେ ଥକାପଣ ଅନୁଭବ ହୁଏ । ଲିଭର ସିରୋସିସ୍ ରୋଗୀ ଦୁର୍ବଳ ଅନୁଭବ କରନ୍ତି । ରୋଗ ହେଲେ ଭୋକ କମ ଲାଗିଥାଏ । ବିନାକାରଣରେ ଶରୀରର ଓଜନ ହ୍ରାସ ପାଏ । ବାନ୍ତି ଲାଗିବା ସହ ବାନ୍ତି ମଧ୍ୟ ହୋଇଥାଏ । ପାଦ ଓ ହାତ ନାଲି ପଡିଯାଏ । ତଳି ପେଟର ଡାହାଣ ପଟରେ ଯନ୍ତ୍ରଣା ହୋଇଥାଏ । ରୋଗ ଅଧିକ ଦିନ ରହିଲେ ଲକ୍ଷଣରେ ପରିବର୍ତନ ହୋଇଥାଏ । ଦେହ ହାତରେ କାଛୁ, କୁଣ୍ଡିଆ ହୋଇଥାଏ । ଗୋଡର ତଳ ଭାଗ ଫୁଲିବା ଆରମ୍ଭ ହୋଇଥାଏ । ଜଣ୍ଡିସ୍ ଭଳି ରୋଗ ହୋଇଥାଏ । ଶରୀରରେ କୌଣସି ସ୍ଥାନରେ କଟିଗଲେ ରକ୍ତ ବନ୍ଦ ହେବାରେ ବିଳମ୍ବ ହୁଏ । ଅଧିକ ଗୁୁରୁତର ବ୍ୟକ୍ତିଙ୍କ ଠାରେ ବ୍ୟବହାରରେ ପରିବର୍ତନ ଦେଖାଯାଏ । ପାକସ୍ତଳୀ, ଭେନ୍, ଖାଦ୍ୟନଳୀର ନମ୍ନ ଭାଗରୁ ରକ୍ତ ପଡେ ।
ପ୍ରତିକାର :
ଏହି ରୋଗରେ କୌଣସି ସ୍ଥାୟୀ ପ୍ରତିକାର ନଥାଏ । ରୋଗୀଙ୍କୁ ମଦ ପିଇବାକୁ ବାରଣ କରାଯାଇଥାଏ । ସୁସ୍ଥ ଡାଏଟ୍ ପାଇଁ ପରାମର୍ଶ ଦିଆଯାଇଥାଏ । ଫଳମୂଳ ଏବଂ ପନିପରିବା ଖାଇବାକୁ କୁହାଯାଏ । ଶରୀର ଓଜନ ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥାଏ । ସୁରକ୍ଷିତ ଶାରୀରିକ ସମ୍ପର୍କ ରଖିବାକୁ ପରାମର୍ଶ ଦିଆଯାଇଥାଏ ।