ପଶ୍ଚିମବଙ୍ଗରେ ଷଷ୍ଠ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ
କୋଲକାତା: ପଶ୍ଚିମବଙ୍ଗରେ ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ରାଜ୍ୟରେ ୪୩ଟି ଆସନରେ ମତଦାନ ହେଉଛି। ଏଥିରେ ୧ କୋଟି ୪୦ ଲକ୍ଷରୁ ଅଧିକ ଭୋଟର ୩୦୬ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ମତଦାନ କେନ୍ଦ୍ରଗୁଡିକରେ ବ୍ୟାପକ କୋଭିଡ କଟକଣା ଲାଗୁ କରାଯାଇଛି। ଏଥିସହିତ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି। ଭୋଟରମାନେ କୋଭିଡ କଟକଣା ମାନି ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଭୋଟରମାନଙ୍କୁ ନିବେଦନ କରିଛନ୍ତି। କରୋନା କଟକଣା ମଧ୍ୟରେ ନିର୍ବାଚନ ସାରିବାକୁ କମିଶନଙ୍କର କଡ଼ା ନିର୍ଦ୍ଦେଶ ରହିଛି । କରୋନା ସଂକ୍ରମଣ ସଂଖ୍ୟାର ବୃଦ୍ଧିକୁ ଦେଖି ଏପରି ନିଷ୍ପତ୍ତ ନେଇଛନ୍ତି ନିର୍ବାଚନ କମିଶନର । ସେପଟେ ନିର୍ବାଚନକୁ ଦୃଷ୍ଟିରେ ରଖି ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସମ୍ବେଦନଶୀଳ ବୁଥ୍ରେ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଏହି ଅବସରରେ ଭୋଟ୍ ଦେବା ପାଇଁ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଭୋଟର୍ମାନଙ୍କୁ ଅନୁରୋଧ କରିଛନ୍ତି। ସେ ଲେଖିଛନ୍ତି, ନୂଆ ବିଧାନସଭା ପାଇଁ ପଶ୍ଚିମବଙ୍ଗବାସୀ ଭୋଟ୍ ଦେଉଛନ୍ତି। ଆଜି ଷଷ୍ଠ ପର୍ଯ୍ୟାୟରେ, ଯେଉଁମାନଙ୍କ ଆସନରେ ଭୋଟ୍ ଗ୍ରହଣ ଚାଲିଛି, ମତଦାନ ଅଧିକାର ସାବ୍ୟସ୍ତ କରିବା ପାଇଁ ସେମାନଙ୍କୁ ଅନୁରୋଧ କରୁଛି। ଆଜି ଏଥିରେ ମତଦାନ କରୁଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଅଛନ୍ତି ପଶ୍ଚିମବଙ୍ଗ ‘ବିଜେପି’ର ଉପସଭାପତି ଅର୍ଜୁନ ସିଂହ ଏବଂ ‘ବିଜେପି’ର ଜାତୀୟ ସହ-ସମ୍ପାଦକ ମୁକୁଲ୍ ରାୟ। ଅର୍ଜୁନ ସିଂହ ଉତ୍ତର ୨୪ ପ୍ରଗଣାର ଅନ୍ତର୍ଗତ ଜଗତ୍ଦଳର ୧୪୪ ନମ୍ବର ବୁଥ୍ରେ ଭୋଟ୍ ଦେଇଥିବା ବେଳେ ତାଙ୍କ ପୁତ୍ର ତଥା ଭାଟପଡ଼ାର ଦଳୀୟ ପ୍ରାର୍ଥୀ ପବନ ସିଂହ ମଧ୍ୟ ଭୋଟ୍ ଦେଇଛନ୍ତି। ଉତ୍ତର ୨୪ ପ୍ରଗଣା ଜିଲ୍ଲାର ‘କାଞ୍ଚରପଡ଼ା ମୁନିସ୍ପାଲ୍ ପଲିଟେକ୍ନିକ୍ ହାଇସ୍କୁଲ୍’ରେ ହୋଇଥିବା ୧୪୧ ନମ୍ବର ବୁଥ୍ରେ ମୁକୁଲ୍ ରାୟ ଭୋଟ୍ ଦେଇଛନ୍ତି। ୪ଟି ଜିଲ୍ଲା ଅନ୍ତର୍ଗତ ଏହି ୪୩ଟି ଆସନରୁ ୨୦୧୬ ବିଧାନସଭା ନିର୍ବାଚନରେ ‘ତୃଣମୂଳ କଂଗ୍ରେସ’ ୩୨ଟି ଆସନରେ ବିଜୟ ହାସଲ କରିଥିଲା।