ଅମ୍ଳଜାନ ଗ୍ୟାସ୍ ଲିକ୍ ଘଟଣାରେ ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି

- ମୃତକଙ୍କ ପରିବାରକୁ ଦିଆଯିବ ୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା
ନାସିକ୍ : ମହାରାଷ୍ଟ୍ରର ନାସିକ୍ ସହରରେ ଥିବା ଡାକ୍ତର ଜାକିରହୁସେନ୍ କୋଭିଡ୍ ହସ୍ପିଟାଲରେ ଅକ୍ସିଜେନ୍ ଟେଙ୍କର ହଠାତ୍ ଲିକ୍ ହେବାଯୋଗୁଁ ବିଭ୍ରାଟ ସୃଷ୍ଟି ହୋଇଥିଲା । ଲିକ୍କୁ ରୋକିବାପାଇଁ ପ୍ରାୟ ୩୦ମିନିଟ୍ ସମୟ ଲାଗିଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବାପାଇଁ ହସ୍ପିଟାଲରେ ଅକ୍ସିଜେନ୍ ସପ୍ଲାଇ ବନ୍ଦ କରିବା ଜରୁରୀ ହୋଇପଡିଥିଲା । ଉକ୍ତ ହସ୍ପିଟାଲର ଭେଂଟିଲେଟରରେ ୯୩ଜଣ କୋଭିଡ୍ ରୋଗୀ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ଅକ୍ସିଜେନ୍ ସ୍ତର ବିନା ଅକ୍ସିଜେନ୍ରେ କମିଯିବାରୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । ୯୩ଜଣଙ୍କ ମଧ୍ୟରୁ ୨୨ଜଣ ରୋଗୀ ଭେଂଟିଲେଟରରେ ଅକ୍ସିଜେନ୍ ନପାଇ ଛଟପଟ ହେବାପରେ ସେମାନଙ୍କ ଦୀପ ଲିଭିଯାଇଥିଲା । ତେବେ ଏଭଳି ପରିସ୍ଥିତି ଯୋଗୁଁ କିଛିସମୟ ପାଇଁ ଡାକ୍ତରଖାନ ପରିସରରେ ଆତଙ୍କ ଖେଳିଯାଇଥିଲା । ଅକ୍ସିଜେନ୍ର ଭାଲ୍ଭ ଲିକ୍ ହେବା ଘଟଣାଯୋଗୁଁ ସରକାର ଘଟଣାର ତଦନ୍ତପାଇଁ ନିର୍ଦ୍ଦେଶ ଦେବା ସହ ତିନୋଟି ବିଶେଷଜ୍ଞ ଟିମ୍ ଘଠନ କରିଛନ୍ତି । ଏନେଇ ଅକ୍ସିଜେନ୍ ଯୋଗାଣକାରୀ ସଂସ୍ଥାର ମ୍ୟାନେଜର, ସୁପରଭାଇଜର ଓ ଟେଙ୍କରର ଡ୍ରାଇଭରକୁ ଜେରା କରାଯାଇଛି । ମହାରାଷ୍ଟ୍ରର ସରକାର ମଧ୍ୟ ମୃତ ରୋଗୀଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଧାନ କରିଛନ୍ତି । ଅନ୍ୟ ରୋଗୀମାନଙ୍କୁ ସହରରେ ଥିବା ଅନ୍ୟ ତିନୋଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲରେ ଭର୍ତି କରଯାଇଛି । କୋଭିଡ୍ ଯୋଗୁଁ ସାରା ଦେଶରେ ଏବେ ଅକ୍ସିଜେନ୍ର ଭୟଙ୍କର ଅଭାବ ସୃଷ୍ଟି ହୋଇଥିବା ବେଳେ ଏହି ଘଟଣା ସାରା ଦେଶରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।