ହୃଦ୍ଘାତ ରୋକିବାର ଉପାୟ
କୋଲେଷ୍ଟୋରଲ୍ ବୃଦ୍ଧି ପାଇବା ଦ୍ୱାରା ହୃତ୍ପିଣ୍ଡ ଧମନୀରେ ରକ୍ତପ୍ରବାହ ବାଧାପ୍ରାପ୍ତ ହେବ ଏବଂ ହୃତ୍ପିଣ୍ଡ କାର୍ଯ୍ୟକାରିତାରେ ତ୍ରୁଟି ଉତ୍ପନ୍ନ ହେଉଥିବାରୁ ସର୍ବଦା କୋଲେଷ୍ଟୋରଲ୍ଯୁକ୍ତ ଖାଦ୍ୟ ଖାଇବାରୁ ନିଜକୁ ନିବୃତ୍ତ ରଖନ୍ତୁ । ଦୈନନ୍ଦିନ ଖାଦ୍ୟରେ ଯଥାସମ୍ଭବ ତେଲ ମାତ୍ରା କମ୍ ରଖିବା ଉଚିତ । ମାତ୍ରାଧିକ ତେଲ ଖାଇବା ହୃତ୍ପିଣ୍ଡ ପାଇ କ୍ଷତିକାରକ । ମନୋବିଜ୍ଞାନୀଙ୍କ ମତରେ ଅବସାଦ ହୃଦ୍ରୋଗର ମୂଳ କାରଣ । ତେଣୁ ଯଥାସମ୍ଭବ ଅବସାଦମୁକ୍ତ ରହିବା ପାଇଁ ଚେଷ୍ଟା କରନ୍ତୁ । ଶରୀରରେ ପ୍ରବାହିତ ରକ୍ତଚାପ ସ୍ତର ୧୩୦/୯୦ ମଧ୍ୟରେ ରହିଲେ ଏହା ଧମନୀରେ ରୁଦ୍ଧ କରିଦିଏ । ହୃଦ୍ରୋଗ ସହ ଓଜନର ଘନିଷ୍ଠ ସମ୍ପର୍କ ଥିବାରୁ ସର୍ବଦା ନିଜର ବଡ଼ି ମାସ୍କ ଇଣ୍ଡେକ୍ସକୁ ୨୫ରୁ କମ୍ ରଖିବା ଉଚିତ । ପ୍ରତିଦିନ ଅଧଘଣ୍ଟା ପର୍ଯ୍ୟନ୍ତ ଚାଲିଲେ ଏହା ଶରୀରେ ଗୁଡ୍ କୋଲେଷ୍ଟୋରଲ୍ (ଏଚ୍ଡିଏଲ୍)କୁ ବୃଦ୍ଧି କରେ, ମନେରଖନ୍ତୁ ଖୁବ୍ ଜୋର୍ରେ ଚାଲିବେନି, ନଚେତ ଏହା ହୃତ୍ପିଣ୍ଡ ଉପରେ ନକାରାତ୍ମକ ପ୍ରଭାବ ପକାଇବ । ପ୍ରତିଦିନ ଅତି କମ୍ରେ ୧୫ମିନିଟ୍ ପର୍ଯ୍ୟନ୍ତ ଯୋଗ କଲେ ଏହା ଶରୀର ସୁସ୍ଥ ରଖିବା ସହ ହୃତପିଣ୍ଡ ମଧ୍ୟ ଭଲ ରଖେ । ଫାଷ୍ଟିଂ ବ୍ଲଡ୍ ସୁଗାର ୧୦୦ ଏମ୍ଜି ମଧ୍ୟରେ ରଖିବା ଉଚିତ ଏବଂ ଖାଇସାରିବା ପରେ ୧୪୦ ଏମ୍.ଜିଠାରୁ କମ୍ ରହିବା ଆବଶ୍ୟକ । କୌଣସି ପରିସ୍ଥିତିରେ ଜଣେ ବ୍ୟକ୍ତିର ଧମନୀ ଅବରୋଧ ହେଲେ, ହୃତ୍ପିଣ୍ଡ ମଧ୍ୟକୁ ରକ୍ତ ଓ ଅମ୍ଳଜାନ ଯୋଗାଣ ବନ୍ଦ ହୋଇଯାଏ । ଫଳରେ ଚାତିରେ ଅସହ୍ୟ ଯନ୍ତ୍ରଣା ଉତ୍ପନ୍ନ ହେବା ସହ ଅନ୍ୟାନ୍ୟ ଲକ୍ଷଣ ଦେଖିବାକୁ ମିଳେ । ଏହି ଅବସ୍ଥାକୁ ହାର୍ଟ ଆଟାକ୍ କୁହାଯାଏ ।
ହାର୍ଟ ଆଟାକ୍ର ପ୍ରଥମ ଏକଘଣ୍ଟା ମଧ୍ୟରେ ରୋଗୀର ଚିକିତ୍ସା ନକରିପାରିଲେ ତା’ର ମୃତ୍ୟୁ ନିଶ୍ଚୟ ହୁଏ । ଏହି ସମୟକୁ ଗୋଲ୍ଡେନ୍ ଆୱାର୍ କୁହାଯାଏ । ଛାତିରେ ଅସହ୍ୟ ଯନ୍ତ୍ରଣା, ଶ୍ୱାସକ୍ରିୟା ଖୁବ୍ଶୀଘ୍ର ହେବା, କାନ୍ଧ ଓ ଜଏଣ୍ଟ ସ୍ଥାନରେ ଅସହ୍ୟ ଯନ୍ତ୍ରଣା ଥକ୍କା ଲାଗିବା, ପ୍ରବଳ ଝାଳ ବାହାରିବା, ମୁଣ୍ଡ ବୁଲାଇବା । ପ୍ରଥମେ ରୋଗୀକୁ ଶୋଇ ଦିଅନ୍ତୁ, ବେଳେବେଳେ ରୋଗୀକୁ ଆସପ୍ରିନ୍ ଟ୍ୟାବ୍ଲେଟ୍ ଚୁସିବାକୁ ଦିଅନ୍ତୁ, କିନ୍ତୁ ଡାକ୍ତରଙ୍କ ପରାମର୍ଶ ନେଇ କିଭଳି କରନ୍ତୁ । ଏହାପରେ ଆମ୍ବୁଲାନ୍ସ ଯୋଗେ ରୋଗୀକୁ ହସ୍ପିଟାଲ୍ ନିଅନ୍ତୁ, ଯଦି କାର୍ଡ଼ିଓପ୍ୟୁମୋନାରୀ ଲକ୍ଷଣ ଦେଖିବାକୁ ପାଇବେ ତେବେ କୃତ୍ରିମ ସିପିଆର୍ ପ୍ରକ୍ରିୟାରେ ଶ୍ୱାସକ୍ରିୟା ଚାଲୁ ରଖନ୍ତୁ । ରୋଗୀକୁ ଶୋଇ ଦିଅନ୍ତୁ । ନିଜ ହାତକୁ ରୋଗୀର ଛାତିର ମଝିରେ ରଖନ୍ତୁ । ଧୀରେ ଧୀରେ ଚାତିକୁ ଦବାଇ ଚାଲନ୍ତୁ । ଏଭଳି ପ୍ରତି ମିନିଟ୍ରେ ଶହେଥର କରନ୍ତୁ । ଏହା ଏକ ଜରୁରୀକାଳୀନ ଚିକିତ୍ସା । ହାର୍ଟ ପମ୍ପିଂ ବନ୍ଦ ହୋଇଯିବା ପରେ ହାର୍ଟକୁ ରକ୍ତ ସଂଚାଳନ ଠପ୍ ହୋଇଯାଇଥାଏ । ଏଭଳି ପରିସ୍ଥିତିରେ ରୋଗୀକୁ ମାନୁଆଲ୍ ବା କୃତ୍ରିମ ଉପାୟରେ ଶ୍ୱାସକ୍ରିୟା ସମ୍ପାଦନ ପ୍ରକ୍ରିୟାକୁ ସିପିଆର୍ କୁହାଯାଏ । ଏହି ବ୍ୟବସ୍ଥାରେ ଜଣେ ସୁସ୍ଥ ମଣିଷ ରୋଗୀର ମୁହଁ ସହିତ ମୁହଁ ଲଗାଇ ଶ୍ୱସନ କ୍ରିୟା ସମ୍ପାଦନ କରିପାରିବେ । ହସ୍ପିଟାଲରେ ପହଞ୍ଚିବା ମାତ୍ରେ ଇଲେକ୍ଟୋ କାର୍ଡ଼ିଗ୍ରାମ (ଇସିଜି) କରନ୍ତୁ ନିଦାନ ପରେ, ରୋଗୀକୁ ଉପଯୁକ୍ତ ଔଷଧ ତଥା ଇଞ୍ଜେକ୍ସନ୍ ଦିଅନ୍ତୁ । ୯୦ ମିନିଟ୍ ପରେ ରୋଗୀର, ଆନିୟୋପ୍ଲାଷ୍ଟି କରନ୍ତୁ । ଦେଶରେ ବର୍ତ୍ତମାନ ସମୟରେ ହୃଦ୍ରୋଗ କାରଣରୁ ସର୍ବାଧିକ ମୃତ୍ୟୁ ଘଟୁଛି । ମୋଟ ମୃତ୍ୟୁର ୨୯ ପ୍ରତିଶତ କେବଳ ହୃଦ୍ରୋଗୀ । ଏହା ଅଳ୍ପାୟୁର ବଡ଼ କାରଣ, ଆଧୁନିକ ଚଳନି ତଥା ଧୂମପାନ ବା ମଦ୍ୟପାନ ଆଦି କାରଣରୁ ହୃଦ୍ରୋଗ ବଢ଼ି ବଢ଼ି ଚାଲିଛି, ପ୍ରଦୂଷିତ ବାୟୁମଣ୍ଡଳ ମଧ୍ୟ ଏହାର ଅନ୍ୟ କାରଣ ଅତ୍ୟଧିକ କାମର ଚାପ, ଥାଇରଏଡ୍, ସୁଗାର, ଆଦି ସମସ୍ୟା ମଧ୍ୟ ହୃଦ୍ରୋଗ ବୃଦ୍ଧି କରିଥାଏ ।