ବିକ୍ରମ ଯୋଗ ଦୂର କରେ ଚାପ, ଜାଣନ୍ତୁ କେମିତି କରିବେ

ଫିଟନେସକୁ ନେଇ ସଜାଗ ରହୁଥିବା ଲୋକେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଯୋଗ କରିଥାନ୍ତି। ଯାହାଫଳରେ ସେମାନଙ୍କ ଶରୀର ଓ ରୋଗପ୍ରତିରୋଧକ ଶକ୍ତି ମଜବୁତ ରହିବ। ବର୍ତ୍ତମାନ ସମୟରେ ବିକ୍ରମ ଯୋଗ ଶରୀରକୁ ଫିଟ ରଖିବା ଓ ଚାପ ଦୂର କରିବା ପାଇଁ ଲୋକପ୍ରିୟ ହେବାରେ ଲାଗିଛି। ଗରମ କୋଠରିରେ କରାଯାଉଥିବା ଏହି ଯୋଗକୁ ହଟ ଯୋଗ ବୋଲି ମଧ୍ୟ କୁହାଯାଏ। ଚାଲନ୍ତୁ ଜାଣିବା ଏହି ଯୋଗକୁ ନେଇ କେତେକ ଗୁରୁତ୍ବପୂର୍ଣ୍ଣ କଥା।
ବିକ୍ରମ ଯୋଗରେ ରହିଛି ୨୬ ମୁଦ୍ରା :
ଯୋଗ କରିବାକୁ ପସନ୍ଦ କରୁଥିବା ଲୋକଙ୍କ ମଧ୍ୟରେ ଲାଫଟର ଯୋଗ ପରେ ଏବେ ବିକ୍ରମ ଯୋଗ ବେଶ ଲୋକପ୍ରିୟ ହେବାରେ ଲାଗିଛି। କୁହାଯାଉଛି, ଯୋଗର ଏହି ଫର୍ମକୁ କୋଲକାତାରେ ଜନ୍ମିତ ବିକ୍ରମ ଚେଧୁରୀ ଲୋକପ୍ରିୟ କରାଇଥିଲେ। ୭୦ ଦଶକରେ ସେ ଆମେରିକା ଯାଇଥିଲେ ଓ ସେଠାରେ ଲୋକଙ୍କୁ ଯୋଗ ଶିଖାଇବା ଆରମ୍ଭ କରିଥିଲେ। ଅନେକ ସାକ୍ଷାତକାରରେ ବିକ୍ରମ ଦାବି କରିଛନ୍ତି ଯେ ସେ ଏହି ଯୋଗର ୨୬ ମୁଦ୍ରା ବା ଆସନକୁ ନିଜେ ବିକଶିତ କରିଛନ୍ତି। ବିକ୍ରମ ଲମ୍ବା ସମୟ ପର୍ଯ୍ୟନ୍ତ ବିବାଦରେ ମଧ୍ୟ ରହିଥିଲେ। ବିକ୍ରମଙ୍କ ଅନୁସାରେ ତାଙ୍କର ଏହି ମୁଦ୍ରାକୁ ବିକ୍ରମ ଯୋଗ ନାମରେ ଜଣାଯାଏ। ବିକ୍ରମ ଯୋଗକୁ ୪୧ ଡିଗ୍ରୀ ସେଣ୍ଟିଗ୍ରେଟ ତାପମାତ୍ରାରେ ଏକ ବନ୍ଦ କୋଠରିରେ କରାଯାଏ। ପାଖାପାଖି ୯୦ ମିନିଟର ଏକ ସେସନରେ ଯୋଗର ୨୬ ମୁଦ୍ରା ଓ ଆସନ ଅନୁସରଣ କରାଯାଏ। ଏହାବ୍ୟତୀତ ଦୁଇଟି ବ୍ରିଦିଙ୍ଗ ଏକ୍ସରସାଇଜ ମଧ୍ୟ କରାଯାଏ।
ମାଇଣ୍ଡ ଓ ବଡି ରିଲାକ୍ସ :
ଏହି ଯୋଗ କରିବା ଦ୍ବାରା ପ୍ରତ୍ୟେକ ପ୍ରକାରର ଚାପ ଦୂର ହୋଇଥାଏ ବୋଲି କୁହାଯାଏ। ଏହାବ୍ୟତୀତ ମସ୍ତିଷ୍କ ଓ ଶରୀରକୁ ରିଲାକ୍ସ ହେବାରେ ସାହାଯ୍ୟ ମିଳିଥାଏ। ଏହାଦ୍ବାରା ଶରୀର ଫିଟ ରହିବା ସହଜ ହୋଇଯାଏ। ଏହି ଯୋଗ କରିବା ଦ୍ବାରା ଝାଳ ମାଧ୍ୟମରେ ଶରୀରର ସମସ୍ତ ଖରାପ ତତ୍ତ୍ବ ବାହାରିବାରେ ସାହାଯ୍ୟ ମିଳିଥାଏ।
ମଜବୁତ ଶରୀର ଓ ହାଇ କ୍ୟାଲୋରୀ ବର୍ଣ୍ଣ :
ବିକ୍ରମ ଯୋଗ କରିବା ଦ୍ବାରା ହାଡ଼ ମଜବୁତ ହୋଇଥାଏ ବୋଲି ମଧ୍ୟ ଦାବି କରାଯାଏ। ଏହି ଯୋଗ ସେସନ ଅନୁସରଣ କରିବା ଦ୍ବାରା ଗଳା, ଅଣ୍ଟା ଓ ହିପ୍ସର ହାଡ଼କୁ ମଜବୁତି ମିଳିଥାଏ। ସାଧାରଣତଃ ଯୋଗ ଜରିଆରେ ବ୍ୟକ୍ତି ୧୮୦ କ୍ୟାଲୋରୀ ବର୍ଣ୍ଣ କରିଥାଏ। କିନ୍ତୁ ବିକ୍ରମ ଯୋଗ କରିବା ଦ୍ବାରା ପୁରୁଷ ୪୦୦ ଓ ମହିଳା ୩୦୦ କ୍ୟାଲୋରୀ ବର୍ଣ୍ଣ କରିପାରିବେ।
୬ ମାସର କମ୍ପ୍ଲିଟ ସେସନ :
ବିକ୍ରମ ଯୋଗ ୬ ମାସର ସେସନ ପୂରା କରିବା ଦ୍ବାରା ଶରୀରର ସମସ୍ତ ସମସ୍ୟା ଦୂର ହୋଇଯାଏ ବୋଲି କୁହାଯାଏ। ଏହି ଯୋଗ ଫର୍ମ ଜରିଆରେ ଶରୀରକୁ ଫ୍ଲେକ୍ସିବଲ ହେବାରେ ବହୁତ ସାହାଯ୍ୟ ମିଳିଥାଏ। ଯେଉଁମାନଙ୍କ ମାଂସପେଶୀ ଟାଣି ହେବା ସମସ୍ୟା ରହିଛି, ସେମାନଙ୍କୁ ବିକ୍ରମ ଯୋଗରୁ ଅନେକ ଫାଇଦା ମିଳିଥାଏ।