‘ନ୍ୟୁୟର୍କ ଟାଇମ୍ସ୍’ରେ ପ୍ରକାଶିତ ଆଲେଖ୍ୟକୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର
ନୂଆଦିଲ୍ଲୀ : କଶ୍ମୀର ଗଣମାଧ୍ୟମରେ ସ୍ବାଧୀନତା ବିଷୟରେ ‘ନ୍ୟୁୟର୍କ ଟାଇମ୍ସ’ରେ ପ୍ରକାଶିତ ଏକ ମତାମତଭିତ୍ତିକ ଆଲେଖ୍ୟକୁ ସମାଲୋଚନା କଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର । ଭାରତ ସମ୍ବନ୍ଧରେ କୌଣସି କଥା ପ୍ରକାଶ କରିବା ବେଳେ ଏହି ସମ୍ବାଦପତ୍ର ନିରପେକ୍ଷତାକୁ ପରିହାର କରିଥିବାର ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ।
ଟୁଇଟ୍ କରି ସେ ଲେଖିଛନ୍ତି, ‘ନ୍ୟୁୟର୍କ ଟାଇମସ୍’ର କଶ୍ମୀରରେ ଗଣମାଧ୍ୟମ ସ୍ବାଧୀନତା ଉପରେ ତଥାକଥିତ ମତାମତଭିତ୍ତିକ ଲେଖାଟି ଦୁରଭିସନ୍ଧିମୂଳକ ଏବଂ କପୋଳକଳ୍ପିତ। ଭାରତ ଓ ଗଣତାନ୍ତ୍ରିକ ପ୍ରତିଷ୍ଠାନ ଏବଂ ତା’ର ମୂଲ୍ୟବୋଧ ବିଷୟରେ ଅପପ୍ରଚାର କରିବା ହେଉଛି ଏହି ଲେଖାଟି ପ୍ରକାଶ କରାଯିବାର ମୁଖ୍ୟ ଉଦ୍ଦେଶ୍ୟ। ଭାରତ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ ଏ ଖବରକାଗଜ ଓ ସମ ମନୋଭାବାପନ୍ନ ଅନ୍ୟାନ୍ୟ ବିଦେଶୀ ଗଣମାଧ୍ୟମଦ୍ବାରା ପ୍ରସାରିତ ମିଥ୍ୟା ଦୀର୍ଘସ୍ଥାୟୀ ନୁହେଁ।
ସୂଚନା ଯେ, ‘ନ୍ୟୁୟର୍କ ଟାଇମ୍ସ୍’ରେ ପ୍ରକାଶିତ ଉକ୍ତ ଆଲେଖ୍ୟରେ ଦମନମୂଳକ ଗଣମାଧ୍ୟମ ନୀତି, କଶ୍ମୀରର ଗଣମାଧ୍ୟମ ପ୍ରକାଶନ ସଂସ୍ଥାନକୁ ଭୟଭୀତ କରିବା ଏବଂ ଜମ୍ମୁ ଓ କଶ୍ମୀରରେ ସୂଚନା ଶୂନ୍ୟତା ଅବସ୍ଥା ସୃଷ୍ଟି କରୁଥିବା ଦର୍ଶାଇ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରାଯାଇଛି। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ମୋଦୀ ଯଦି ଦେଶର ବାକି ଅଞ୍ଚଳରେ ‘କଶ୍ମୀର ମଡେଲ୍’ ଭଳି ସୂଚନା ନିୟନ୍ତ୍ରଣ ‘ମଡେଲ୍’ ପ୍ରଚଳନ କରିବେ କେବଳ ଗଣମାଧ୍ୟମ ସ୍ବାଧୀନତା ବିପଦରେ ପଡ଼ିବ ନାହିଁ, ଭାରତୀୟ ଗଣତନ୍ତ୍ର ବି ବିପଦରେ ପଡ଼ିବ।