ଅଭାବନୀୟ ଘଟଣା : ବିଦ୍ୟୁତ ଆଘାତରେ ବାପ ଓ ଝିଅ ମୃତ, ମା’ ଗୁରୁତର
![](https://thetruths.in/wp-content/uploads/2021/12/Father-Daughter-Killed-in-Electric-Shock.jpg)
ହାଇଦ୍ରାବାଦ : ତେଲେଙ୍ଗାନାର ସଙ୍ଗାରେଡ୍ଡୀ ଜିଲାରେ ବିଦ୍ୟୁତ ଆଘାତରେ ବାପ ଓ ଦୁଇ ବର୍ଷର ଝିଅର ମୃତ୍ୟୁ । ଦମ୍ପତିଙ୍କ ସହ ସେମାନଙ୍କ ୨ ବର୍ଷର ଝିଅ ବିଦ୍ୟୁତ ଆଘାତର ଶିକାର ହୋଇଥିବାବେଳେ ଘଟଣାସ୍ଥଳରେ ବାପ ଓ ଝିଅଙ୍କ ମୃତ୍ୟୁ ହୋଇଥିଲା । ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ସମସ୍ତେ ଓଡିଶାର ଜଗତସିଂହପୁର ଓ ଯାଜପୁର ଜିଲ୍ଲାର ବୋଲି ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ କରିଛି ତେଲେଙ୍ଗାନା ପୋଲିସ ।
ଘଟଣା ସମ୍ପର୍କରେ ମିଳିଥିବା ସୂଚନା ଅନୁସାରେ, ଦମ୍ପତି ବାସୁ ମଲ୍ଲିକ ଓ ରିନା ମଲ୍ଲିକ ଏକ ଲୁହା ରଡରେ ଲୁଗା ଶୁଖାଉଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ନିକଟରେ ଥିବା ସେମାନଙ୍କ ଦୁଇବର୍ଷର ଝିଅ ମଧ୍ୟ ବିଦ୍ୟୁତ ଆଘାତର ଶିକାର ହୋଇଥିଲା । ଘଟଣାସ୍ଥଳରେ ବାପ ଓ ଝିଅ ପ୍ରାଣ ହରାଇଥିବାବେଳେ ମହିଳାଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଘଟଣା ସମ୍ପର୍କରେ ଓଡିଶାରେ ସେମାନଙ୍କ ସମ୍ପର୍କୀୟଙ୍କୁ ସୂଚନା ଦିଆଯାଇଥିବା ମଧ୍ୟ ସଙ୍ଗାରେଡ୍ଡୀ ପୋଲିସ ପକ୍ଷରୁ ସୂଚନା ମିଳିଛି ।