ଦେଶରେ ସହରାଞ୍ଚଳରେ ବେକାରୀ ହାର ଚିନ୍ତାଜନକ
![](https://thetruths.in/wp-content/uploads/2021/09/Unemployment.jpg)
ନୂଆଦିଲ୍ଲୀ : ଦେଶରେ ବେକାରୀ ହାର ଚିନ୍ତାଜନକ । ବିଶେଷ କରି ସହରାଞ୍ଚଳଗୁଡ଼ିକରେ ବେକାରୀ ହାର ଚିନ୍ତାଜନକ ରହିଛି। ଗତ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ଅବଧିରେ ସହରାଞ୍ଚଳରେ ବେକାରୀ ହାର ୧୦.୩ % ରହିଛି। ୨୦୧୯-୨୦ ଆର୍ଥିକ ବର୍ଷର ଉକ୍ତ ତ୍ରୟମାସରେ ବେକାରୀ ହାର ୭.୮ % ଥିଲା। କରୋନା ମହାମାରୀ ପାଇଁ ଅନେକ ଲୋକ ସେମାନଙ୍କ ଚାକିରି ହରାଇଥିବା କାରଣରୁ ସହରାଞ୍ଚଳରେ ବେକାରୀ ହାର ଅଧିକ ରହିଛି। ତେବେ ଭାରତରେ ମହାମାରୀ ଏବଂ ଲକଡାଉନ୍ ଆରମ୍ଭ ସମୟରେ ୨୦୧୯-୨୦ର ଏପ୍ରିଲ-ଜୁନ୍ରେ ବେକାରୀ ହାର ୨୦.୮% ଭଳି ଉଚ୍ଚସ୍ତରରେ ଥିବାବେଳେ ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ତାହା ୧୩.୨%କୁ ହ୍ରାସ ପାଇଥିଲା। ତେବେ ଦ୍ଵିତୀୟ ଲହର ପରେ ଅର୍ଥନୀତିକୁ ଖୋଲାଯିବା ଦ୍ୱାରା ରୋଜଗାର ସ୍ଥିତିରେ କିଛିଟା ଉନ୍ନତି ଆସିଛି। କେନ୍ଦ୍ର ସରକାରଙ୍କ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ପିଏଲଏଫଏସ ରିପୋର୍ଟରୁ ଏହା ଜଣାଯାଇଛି।
ଗତ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ତଥ୍ୟକୁ ଦେଖିଲେ ମହିଳାଙ୍କ ବେକାରୀ ହାର ୧୩.୧% ଥିବାବେଳେ ପୁରୁଷଙ୍କ ବେକାରୀ ହାର ୯.୫% ରହିଥିଲା। ଏହା ପୂର୍ବର ଅକ୍ଟୋବର ଡିସେମ୍ବରରେ ମହିଳା ଏବଂ ପୁରୁଷଙ୍କ ବେକାରି ହାରା ଯଥାକ୍ରମେ ୯.୮% ଏବଂ ୭.୩% ରହିଥିଲା। ଯୁବ (୧୫ରୁ ୨୯ ବର୍ଷ) ବେକାରୀ ହାର ଗତବର୍ଷ ଅକ୍ଟୋବର ଡିସେମ୍ବର ଅବଧିରେ ୨୪.୯% ଥିଲା। ରାଜ୍ୟଗୁଡ଼ିକ ମଧ୍ୟରେ ଗତବର୍ଷ ଅକ୍ଟୋବର -ଡିସେମ୍ବର ଅବଧିରେ ଜମ୍ମୁ କାଶ୍ମୀରର ସହରାଞ୍ଚଳରେ ବେକାରୀ ହାର ସର୍ବାଧିକ ୧୭.୮ ପ୍ରତିଶତ ଥିବାବେଳେ ଏହା ପଛକୁ କେରଳ ୧୬.୭%, ଝାଡ଼ଖଣ୍ଡ ୧୬%, ଓଡ଼ିଶା ୧୫% ଏବଂ ଛତିଶଗଡ଼ ୧୪.୫% ରହିଥିଲା। ଅନ୍ୟପକ୍ଷରେ ଗୁଜରାଟରେ ବେକାରି ହାର ସର୍ବନିମ୍ନ ଅର୍ଥାତ ୪% ରହିଥିଲା। ୧୨ଟି ରାଜ୍ୟରେ ଉପରୋକ୍ତ ସମୟରେ ବେକାରୀ ହାର ୧୦% ଉପରେ ରହିଥିଲା। ତେବେ ଗତବର୍ଷ ଏପ୍ରିଲ-ଜୁଲାଇରେ ୨୨ଟି ରାଜ୍ୟରେ ବେକାରୀ ହାର ୧୦% ଉପରେ ଥିଲା।