ଫିକା ପଡିଲା କଟକଣାମୁକ୍ତ ପୂଜା ! ଆଜି ୧୩ ଜିଲାରେ ପ୍ରବଳ ଓ ୪ ଜିଲାରେ ଅତି ପ୍ରବଳ ବର୍ଷା
![](https://thetruths.in/wp-content/uploads/2021/06/Heavy-Rain.jpg)
ଭୁବନେଶ୍ୱର : ଚଳିତବର୍ଷ ଶାରଦୀୟ ଦୁର୍ଗାପୂଜାକୁ ଫିକା କରିଦେଲା ବର୍ଷା । ଗତ ୨ବର୍ଷ ହେଲା କରୋନା କଟକଣା ପାଇଁ ଫିକା ପଡ଼ିଥିଲା ଶାରଦୀୟ ଦୁର୍ଗା ପୂଜା। ଏଥର କିନ୍ତୁ କଟକଣାମୁକ୍ତ ପୂଜା ପାଇଁ ଅନୁମତି ମିଳିଥିଲେ ବି ପୂଜା ମଉଜ ଫିକା ପଡିଲା। ଘୂର୍ଣ୍ଣିବଳୟ ପ୍ରଭାବରେ ଗତକାଲି ଅଷ୍ଟମୀରେ କିଛି ଜିଲାରେ ପ୍ରବଳ ବର୍ଷା ହୋଇଥିବା ବେଳେ ଆଜି ନବମୀ ଓ ଆସନ୍ତାକାଲି ଦଶମୀରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ବଙ୍ଗୋପସାଗରରେ ସୃଷ୍ଟି ଦୁଇଟି ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ଶନିବାରର ଦୁଇ ଘୁର୍ଣ୍ଣିବଳୟ ରବିବାର ମିଶିଯାଇଛନ୍ତି। ଘୁର୍ଣ୍ଣିବଳୟ ଏବେ ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି। ଏହା ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବ। ମଙ୍ଗଳବାର ପଶ୍ଚିମ ଓଡ଼ିଶାରେ ଶୁଖିଲା ପାଗ ରହୁଥିବା ବେଳେ ରାଜ୍ୟର ୧୩ ଜିଲାରେ ପ୍ରବଳ ଓ ଅନ୍ୟ ୪ ଜିଲାରେ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆକଳନ କରିଛି। ସେହିପରି ବୁଧବାର ଦକ୍ଷିଣ ଓ ଉପରକୂଳର ୧୧ ଜିଲାକୁ ପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆନ୍ଧ୍ର ଉପକୂଳ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ କିଛି ଜିଲାରେ ପ୍ରବଳ ବର୍ଷା ହେବ। ଏଥିପାଇଁ ୧୭ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲାଗୁଡ଼ିକ ମଧ୍ୟରେ ମୟୂରଭଞ୍ଜ, ରାୟଗଡ଼ା, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଓ ନୟାଗଡ଼ ପ୍ରବଳ ବର୍ଷା ହେବ। ସେହିପରି ଗଜପତି, ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ବୁଧବାର ୧୧ଟି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲା ଗୁଡ଼ିକ ହେଉଛି- ମାଲକାନଗିରି, କୋରାପୁଟ, ରାୟଗଡ଼ା, କଟକ, ଜଗତସିଂହପୁର, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି।
ଗୁରୁବାର ବେଳକୁ ରାଜ୍ୟରେ ବର୍ଷାର ପରିମାଣ କମିବ। କେବଳ ଝାଡଖଣ୍ଡ ଓ ଛତିଶଗଡ ସୀମାନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ। ତେଣୁ ନବରଙ୍ଗପୁର, ନୂଆପଡା, ବରଗଡ, ଝାରସୁଗୁଡା ଓ ସୁନ୍ଦରଗଡକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ତେଣୁ ଏହି ସମୟରେ ସମୁଦ୍ରକୁ ନ ଯିବାପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଏହା ବ୍ୟତୀତ ବିମାନ ବନ୍ଦର ଗୁଡିକୁ ମଧ୍ୟ ଆଲର୍ଟ କରାଯାଇଛି।